ବରିଷ୍ଠ କଂଗ୍ରେସ ନେତାଙ୍କୁ ଆତଙ୍କବାଦୀ ବୋଲି କହି ଅଡୁଆରେ ସାଧ୍ୱୀ

ଭୋପାଳ: ପୁଣି ଚର୍ଚ୍ଚାରେ ସାଧ୍ୱୀ ପ୍ରଜ୍ଞା ଠାକୁର। ତାଙ୍କ ପାଟିରେ ଆଉ ବାଡ଼ବତା ରହୁନାହିଁ। କେତେବେଳେ ସହିଦଙ୍କୁ ନେଇ ବିବାଦୀୟ ବୟାନ ଦେଉଛନ୍ତି, ତ ଆଉ କେତେବେଳେ କାହାକୁ ଆତଙ୍କବାଦୀ କହିପକାଉଛନ୍ତି। ମଧ୍ୟପ୍ରଦେଶର ଭୋପାଳ ସଂସଦୀୟ କ୍ଷେତ୍ରରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁର ଆଜି କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କୁୁ ଆତଙ୍କବାଦୀ ସହ ତୁଳନା କହିଛନ୍ତି। ଭୋପାଳର ସିହୋରୀର ନିର୍ବାଚନ ପ୍ରଚାର କାର୍ଯ୍ୟାଳୟ ଉଦଘାଟନ ବେଳେ ଏପରି ବୟାନ ଦେଇଛନ୍ତି ସାଧ୍ୱୀ ପ୍ରଜ୍ଞା। ଦିଗବିଜୟଙ୍କୁ ଆକ୍ଷେପ କରି ସାଧ୍ୱୀ ପ୍ରଜ୍ଞା କହିଛନ୍ତି, ରାଜ୍ୟରେ ୧୬ ବର୍ଷ ପୂର୍ବରୁ ଉମା ଦିଦି ହରାଇଥିଲେ। ଆଉ ସେବେଠାରୁ ୧୬ବର୍ଷ ହେଲା ସେ ମୁହଁମାଡ଼ି ପଡ଼ିଛନ୍ତି। ମୁହଁ ଉଠାଇ ପାରୁନାହାନ୍ତି। ଦିଗବିଜୟଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ଆତଙ୍କବାଦୀ ମୂଳପୋଛ ପାଇଁ ସନ୍ୟାସୀନୀ ମୈଦାନକୁ ଓହ୍ଲାଇଛି।

ସୂଚନାଯୋଗ୍ୟ ଭୋପାଳ ସଂସଦୀୟ କ୍ଷେତ୍ରରେ କଂଗ୍ରେସ ପୂର୍ବ ମୁଖ୍ୟମନ୍ତ୍ରୀ ଦିଗବବିଜୟ ସିଂଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଲଗାତାର ଦିଗବିଜୟଙ୍କୁ ଟାର୍ଗେଟ କରିବା ସହ କଂଗ୍ରେସ ଉପରେ ଲଗାତାର କଡ଼ା ଶବ୍ଦ ବାଣ ପ୍ରୟୋଗ କରୁଛନ୍ତି। ଏହା ପୂର୍ବରୁ ପ୍ରଜ୍ଞା ମୁମ୍ବାଇ ଆତଙ୍କବାସୀ ଗୁଳିରେ ସହିଦ ହୋଇଥିବା ଏଟିଏସ ପ୍ରମୁଖ ହେମନ୍ତ କରକରେଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ। ଅଭିଶାପ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ବୋଲି କହିଥିଲେ। ହେଲ ଚାରିଆଡ଼ୁ ତୀବ୍ର ସମାଲୋଚନା ପରେ ନିଜର ଭୁଲ ବୁଝି କ୍ଷମା ପ୍ରାର୍ଥନା କରିଥିଲେ ସାଧ୍ୱୀ ପ୍ରଜ୍ଞା। ପରେ ବାବ୍ରୀ ମସ୍‌ଜିଦ୍‌ ଭାଙ୍ଗିବାରେ ତାଙ୍କର ବି ଅଂଶୀଦାରିତା ଥିଲେ ବୋଲି କହି ବିବାଦରେ ଫସିଥିଲେ ସାଧ୍ୱୀ। ତୃତୀୟ ଥର ବିବାଦରେ ଫସିଥିଲେ ଗୋମୁତ୍ରରେ ତାଙ୍କ କର୍କଟ ଭଲ ହୋଇଛି ବୋଲି କହି।

ସମ୍ବନ୍ଧିତ ଖବର