ପୋଖରା : ଭାରତର ୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ୍‌ ଦଳ ସାଫ୍‌ ୧୯ ବର୍ଷରୁ କମ୍‌ ମହିଳା ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରବେଶ କରିଛି। ନେପାଳର ପୋଖରା ରଙ୍ଗଶାଳା ଷ୍ଟାଡିୟମ୍‌ରେ ଖେଳାଯାଇଥିବା ‌ଶେ‌ଷ ରାଉଣ୍ଡ ରବିନ୍‌ ମ୍ୟାଚ୍‌ରେ ଭାରତ ୮-୦ ଗୋଲ୍‌ରେ ଭୁଟାନକୁ ପରାସ୍ତ କରିଛି। ଆଲିସା ଲିଙ୍ଗ୍‌ଡୋ (୬ ମିନିଟ୍‌)ଙ୍କ ଗୋଲ୍‌ରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏହାପରେ ପର୍ଲ ଫର୍ଣ୍ଣାଡିଜ୍‌ (୧୬, ୩୯, ୪୧ ମିନିଟ୍‌) ହ୍ୟାଟ୍ରିକ୍‌, ପ୍ରୀତିକା ବର୍ମା (୨୫, ୯୦ ମିନିଟ୍‌)ଙ୍କ ଯୁଗଳ ସଫଳତା ଏବଂ ଅଭିଷ୍ଟା ବାସ୍‌ନେଟ୍‌ (୧୦ ମିନିଟ୍‌) ଓ ଦିବ୍ୟନୀ ଲିଣ୍ଡା (୧୭ ମିନିଟ୍‌)ଙ୍କ ଗୋଲ୍‌ରେ ଭାରତ ଏହି ବଡ଼ ବିଜୟ ପାଇଥିଲା। ପ୍ରୀତିକା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବି‌ବେଚିତ ହୋଇଥିଲେ।

Advertisment

ଆହୁରି ପଢନ୍ତୁ: Musk is the owner of $850 billion in assets : ମସ୍କ ୮୫୦ ବିଲିୟନ ଡଲାର ସମ୍ପତ୍ତିର ମାଲିକ

ଅନ୍ୟଏକ ମ୍ୟାଚ୍‌ରେ ବାଂଲାଦେଶ ୪-୦ ଗୋଲ୍‌ରେ ନେପାଳକୁ ପରାସ୍ତ କରିଥିଲା। ଫଳରେ ବାଂଲାଦେଶ (୯ ପଏଣ୍ଟ୍‌) ଟେବୁଲ ଶୀର୍ଷରେ ଏବଂ ଭାରତ (୬ ପଏଣ୍ଟ୍‌) ଦ୍ବିତୀୟରେ ରହି ଫାଇନାଲ୍‌ ସ୍ଥାନ ନିଶ୍ଚିକ କରିଥିଲେ। ଏହି ଦୁଇ ଦଳ ଶନିବାର ଖେଳାଯିବାକୁଥିବା ଫାଇନାଲ୍‌ରେ ମୁହାଁମୁହିଁ ହେବେ। ଏଏଫ୍‌ସି ୧୭ ବର୍ଷରୁ କମ୍‌ ଏସୀୟ କପ୍‌କୁ ନଜରରେ ରଖି ଭାରତ ଏହି ପ୍ରତି‌ଯୋଗିତା ଲାଗି ୧୯ ବର୍ଷରୁ କମ୍‌ ଦଳ ନପଠାଇ ୧୭ ବର୍ଷରୁ କମ୍‌ ଖେଳାଳିଙ୍କୁ ପଠାଇଛି।