୭ ବର୍ଷ ପରେ ନିଜ ବାପା-ମାଙ୍କ ନିକଟକୁ ଫେରିଲା ଝାଡ଼ଖଣ୍ଡର ସାଲୁକା

ଖୋର୍ଦ୍ଧା: ୭ ବର୍ଷ ପୂର୍ବେ ଭୁବନେଶ୍ୱର ରେଳଷ୍ଟେସନରୁ ଉଦ୍ଧାର ହୋଇଥିବା ସାଲୁକା ସାମ୍ବରୀକୁ ଆଜି ୨୧ ବର୍ଷ । ଦୀର୍ଘ ୭ ବର୍ଷ ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପ୍ରଚେଷ୍ଟାରେ ଆଜି ସାଲୁକା ତା’ର ବାପା-ମା ନିକଟକୁ ଫେରିଯାଇଛି ।

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ମିଳିଥିବା ସୂଚନାନୁସାରେ, ୨୦୧୪ରେ ସାଲୁକା ସମ୍ବାରୀକୁ କୌଣସି କାରଣରୁ ଘର ଠାରୁ ଦୂରେଇ ଯାଇଥିଲା । ଏହାପରେ ସେ ଟ୍ରେନରେ ପ୍ରଥମେ କୋଲକାତା ଓ ପରେ ଭୁବନେଶ୍ୱରରେ ଆସି ପହଂଚିଲା । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ଅପରେସନ୍ ସ୍ମାଇଲ୍ ଅଭିଯାନରେ ସାଲୁକାକୁ ଭୁବନେଶ୍ୱର ରେଳ ଷ୍ଟେସନରୁ ଉଦ୍ଧାର କରାଯାଇଥିଲା । ଏହି ସମୟରେ ସାଲୁକା ନିଜର ଠିକଣା କହିପାରୁନଥିଲା । ଏହା ପରେ ତାଙ୍କୁ ଖୋର୍ଦ୍ଧା ଅତିରିକ୍ତ ଶିଶୁ ମଙ୍ଗଳ ସମିତି ନିକଟରେ ହାଜର କରାଯାଇଥିଲା । ଏହାପରେ ସମିତିଙ୍କ ନିଦେ୍ର୍ଦଶାନୁସାରେ ସାଲୁକାଙ୍କୁ ଭୁବନେଶ୍ୱର ଗାଢ଼କଣର ଆଦୃତା ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯାଇଥିଲା । ପ୍ରଶାସନ ପକ୍ଷରୁ ତା’ର ରକ୍ଷଣାବେକ୍ଷଣ ଓ ପାଠପଢ଼ାର ବ୍ୟବସ୍ଥା କରାଯାଇଥିଲା । ଇତି ମଧ୍ୟରେ ସାଲୁକା ୮ମ ଶ୍ରେଣୀ ପାସ୍ କରିଛନ୍ତି ।

ସରକାରଙ୍କ ନିଦେ୍ର୍ଦଶାନୁସାରେ, ସାଲୁକାର ଆଧାର କାର୍ଡ ପ୍ରସ୍ତୁତ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆଧାରକାର୍ଡ଼ ପ୍ରସ୍ତୁତ କରିବା ସମୟରେ ତାଙ୍କ ଘର ଝାଡ଼ଖଣ୍ଡ ବୋଲି ଜଣାପଡ଼ିଲା । ଏହାପରେ ସାଲୁକାଙ୍କ ଠିକଣା ନେଇ ଅନୁସନ୍ଧାନ କରାଯାଇଥିଲା । ଠିକଣା ଜଣାପଡ଼ିବା ପରେ ଆଦୃତା ଶିଶୁ ଯତ୍ନ ଅନୁଷ୍ଠାନର ଅଧିକ୍ଷକ ମାନସ ରଥ ସାଲୁକାଙ୍କ ପୈତୃକ ଗାଁ ଲୋଟାପାହାଡ଼ର ପୋଷ୍ଟମାଷ୍ଟରଙ୍କ ସହ ଯୋଗାଯୋଗ କରିଥିଲେ । ପୋଷ୍ଟମାଷ୍ଟରଙ୍କ ସହାୟତାରେ ସାଲୁକାଙ୍କ ବାପା ସୌମ୍ୟ ସାମ୍ବରୀ ଓ ମା’ ପାଲୋ ସାମ୍ବରୀ ସହ ସାଲୁକାଙ୍କ ଭାର୍ଚୁଏଲ୍ ସାକ୍ଷାତ କରାଯାଇଥିଲା । ଅନେକ ବର୍ଷ ପରେ ନିଜ ପୁଅକୁ ଦେଖି ସେମାନେ ଭାବ ବିହ୍ୱଳ ହୋଇଯାଇଥିଲେ । ଏହାପରେ ଶିଶୁ ମଙ୍ଗଳ ସମିତିର ନିଦେ୍ର୍ଦଶାନୁସାରେ, ସାଲୁକାଙ୍କ ପିତାମାତା ଖୋର୍ଦ୍ଧାରେ ପହଂଚିଥିଲେ । ସେଠାରେ ତାଙ୍କୁ ସାଲୁକାଙ୍କୁ ହସ୍ତାନ୍ତର କରାଯାଇଛି ।

ସାଲୁକାଙ୍କ ସହ ତାଙ୍କ ପରିବାରର ସାକ୍ଷାତ ଏକ ଦୀର୍ଘ ପ୍ରଚେଷ୍ଟା । ସକୁଶଳେ ତାଙ୍କ ଘରକୁ ଫେରିଥିବାରୁ ସେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର କାଉନ୍ସିଲର ମନସ୍ୱିନୀ ମହାପାତ୍ର, ୟୁନିଟ୍ର ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ ଓ ସୁରକ୍ଷା ଅଧିକାରୀ ରବୀନ୍ଦ୍ରନାଥ ସାହୁଙ୍କୁ ସାଲୁକା ଓ ତାଙ୍କ ବାପା-ମା କୃତଜ୍ଞତା ଜଣାଇଛନ୍ତି ।

ସମ୍ବନ୍ଧିତ ଖବର