ଭୁବନେଶ୍ୱର: ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ପାର୍ଟିର ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ରାଜନେତାମାନେ ପାର୍ଟି ଅପେକ୍ଷା ମାଟିକୁ ଅଧିକ ଗୁରୁତ୍ୱ ଦେବା ଦରକାର। କାରଣ ମାଟି ଅଛି ବୋଲି ପାର୍ଟି ଗଠନ ହୋଇଛି। ଯୁବପିଢ଼ିଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ମାଟି ପାଇଁ ସେମାନଙ୍କର ଥିବା ଦାୟିତ୍ୱ ନିର୍ବାହ କରିବା ଦରକାର। ଆଜି ଜୟଦେବ ଭବନଠାରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତାରେ ଅତିଥି ବିଚାରକ ଭାବେ ଯୋଗ ଦେଇ ରାଜ୍ୟର ବରିଷ୍ଠ ନେତୃବୃନ୍ଦ ଏଭଳି ମତ ବ୍ୟକ୍ତ କରିଛନ୍ତି।
ପ୍ରତିଯୋଗିତାର ଅନ୍ୟତମ ବିଚାରକ କୃଷି ମନ୍ତ୍ରୀ ଡା. ଦାମୋଦର ରାଉତ ଉଦ୍ବୋଧନ ଦେଇ କହିଲେ ଯେ, ଏଇ ମାଟିରେ ଜନ୍ମ ନେଇଥିବା ଲୋକଙ୍କର ମଙ୍ଗଳ ପାଇଁ ପାର୍ଟି ତିଆରି ହେବା ଦରକାର। ନିଜର ସ୍ୱାର୍ଥ ପାଇଁ ନୁହେଁ। ପାର୍ଟିଗୁଡ଼ିକ ବିଭିନ୍ନ ଆଦର୍ଶକୁ ନେଇ ସୃଷ୍ଟି ହୋଇଛନ୍ତି। ‘ମାଟି ଅଛି ବୋଲି ପାର୍ଟି ଅଛି’ ଏହା ଯେପରି କୌଣସି ରାଜନେତା ଭୁଲିବା ଉଚିତ ନୁହେଁ। ସମ୍ପତ୍ତି ଆହରଣ କରିବା ସାଧାରଣ ଲୋକଙ୍କର ପ୍ରବୃତ୍ତି, ଏହାକୁ ତ୍ୟାଗ କରିବାର ଯାହାର କ୍ଷମତା ଥିବ ସେ ହିଁ ହେବ ଲୋକ ପ୍ରତିନିଧି। କିନ୍ତୁ ସ୍ୱାଧୀନତାର ୭୦ବର୍ଷ ମଧ୍ୟରେ ଏହା ବଦଳି ଯାଇଛି।
ଏଥିରେ ଅନ୍ୟତମ ବିଚାରକ ଥିବା ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଲେ, ଏବେ ପ୍ରକୃତରେ ପାର୍ଟି ବଡ଼ ହୋଇଯାଇଛି, ମାଟି ପଛରେ ପଡ଼ିଯାଇଛି। ମାଟି ପାଇଁ ପାର୍ଟି ଗଠନ ହୁଏ, କିଛି ଆଭିମୁଖ୍ୟ ରଖି ପାର୍ଟି ଗଠନ ହୁଏ। ସମ୍ବିଧାନରେ ବି ଏହା କୁହାଯାଇଛି। ଶ୍ରୀ ମିଶ୍ର ଆହୁରି କହିଥିଲେ ଯେ, ଧନୀ ଓ ଗରିବ ମଧ୍ୟରେ ତାରତମ୍ୟ କମ୍ ନ ରହିଲେ ସମ୍ବିଧାନ ଭୁଶୁଡ଼ିଯିବ। ଯେଉଁ ପରିସ୍ଥିତି ଏବେ ସୃଷ୍ଟି ହେଲାଣି। ତାରତମ୍ୟ କମିବା ବଦଳରେ ବଢ଼ିଚାଲିଛି। ୭୦ବର୍ଷରେ ଭାରତର ବହୁ ବିକାଶ ହୋଇଛି। କିନ୍ତୁ ସେ ବିକାଶର ସ୍ୱାଦ କେବଳ କିଛି ମୁଷ୍ଟିମେୟ ଲୋକ ପାଉଛନ୍ତି। ସେହିପରି ଗଣତନ୍ତ୍ର ଏବେ କୋମାରେ ଅଛି ବୋଲି ଶ୍ରୀ ମିଶ୍ର କହିଥିଲେ। ସମ୍ବିଧାନର ତିନିଟି ସ୍ତମ୍ଭରୁ କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଏବେ ସଂପୂର୍ଣ୍ଣ ଦୁର୍ନୀତିଗ୍ରସ୍ତ ହୋଇଥିବାବେଳେ ନ୍ୟାୟପାଳିକା କିଛି ମାତ୍ରାରେ ଦୁର୍ନୀତିଗସ୍ତ ହେଲାଣି। ଏହା ଖୁବ୍ ଶୀଘ୍ର ସଂପୂର୍ଣ୍ଣ ଦୁର୍ନୀତିଗ୍ରସ୍ତ ହୋଇଯିବ। ଏହାପରେ ଗଣତନ୍ତ୍ରକୁ ମୃତ୍ୟୁ କବଳରୁ କେହି ଉଦ୍ଧାର କରିପାରିବେନି। ଏହି ପରିସ୍ଥିତିରେ ଦେଶକୁ ଖଣ୍ଡବିଖଣ୍ଡିତ ହେବାରୁ କେହି ରକ୍ଷା କରିପାରିବେନି ବୋଲି ଶ୍ରୀ ମିଶ୍ର କ୍ଷୋଭର ସହ କହିଥିଲେ।
ଅନ୍ୟତମ ବିଚାରକ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଲେ ମାଟି ସଦାବେଳେ ପାର୍ଟି ଠାରୁ ବଡ଼। ହେଲେ ଆଜି ସତ କଥାକୁ ସ୍ୱୀକାର କରିହେଉନି। ପାର୍ଟିରେ ରହିଲେ ନିଜ ମନ କଥା କହି ହୁଏ ନାହିଁ। ଆମେ ପାର୍ଟି ଭିତରେ ସମ୍ବିଧାନର ଗଣ୍ଡି ଭିତରେ ବନ୍ଧା ହୋଇ ରହିଛୁ। କିନ୍ତୁ ବିବେକକୁ ବଳି ଦେଇ ମାନବିକତାର ମୂଲ୍ୟବୋଧକୁ ମାରି ଦେଇପାରିବୁନି। ଗଣତନ୍ତ୍ର ଏବେ କ୍ଷତବିକ୍ଷତ ହୋଇ ଅଛି। ରାଜ୍ୟର ସ୍ୱାର୍ଥ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ସବୁକୁ ପଛରେ ପକାଇ ଏକାଠି ହେବୁ ସେ ମନୋଭାବ ଆଉ କାହାର ନାହିଁ। ଯେଉଁଥିପାଇଁ ଗଣତନ୍ତ୍ରର ଏପରି ଅବସ୍ଥା। ରାଜନୈତିକ ବ୍ୟକ୍ତିଙ୍କର ଅହଂକାର ବେଶୀ ଦେଖିବାକୁ ମିଳୁଛି। ଏଥିରେ ପରିବର୍ତ୍ତନ ନ ଆସିଲେ ଗଣତନ୍ତ୍ର ପାଇଁ ବିପଦ ବଢ଼ିବ।
ଅନ୍ୟତମ ବିଚାରକ ତଥା ବିଶିଷ୍ଟ ରାଜନୀତି ସମୀକ୍ଷକ ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର କହିଲେ ଯେ, ଭାରତରେ ରାଜନୈତିକ ଦଳଗୁଡ଼ିକ ନୀତି, ନୈତିକତା, ନେତୃତ୍ୱକୁ ଜଳାଞ୍ଜଳି ଦେଉଛନ୍ତି। ଏଠି ପାର୍ଟି ବଡ଼ ହୋଇଯାଇଛି। ଆମେ ଯଦି ଗଣତନ୍ତ୍ରରେ ଜନମତକୁ ଠିକ୍ ଭାବେ ରୋପିତ କରିନପାରିବା ତେବେ ସମସ୍ୟା ସୃଷ୍ଟି ହେବ। ଜନ ପ୍ରତିନିଧିମାନେ ଲୋକଙ୍କ ମତକୁ ସମ୍ମାନ ଦେବା ସହ ମାଟି ପାଇଁ କାମ କରିବା ଦରକାର।
ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଯେ, ବିନା ପାର୍ଟିରେ କ’ଣ ଗଣତନ୍ତ୍ର ସମ୍ଭବ? ରାଜତନ୍ତ୍ର ସିନା ଚାଲିଗଲା କିନ୍ତୁ ଗଣତନ୍ତ୍ର ଆସିଲାନି। ନୂଆ ରାଜା ଭାବେ ରାଜନୈତିକ ଦଳଗୁଡ଼ିକ ଆସିଲେ। ଦଳ ମଧ୍ୟରେ ହାଇକମାଣ୍ଡବାଦ୍ ସମସ୍ତ ମର୍ଯ୍ୟାଦାକୁ ନଷ୍ଟ କରୁଛି। ଗଣତନ୍ତ୍ରକୁ ସମ୍ଭାଳିବାକୁ କିଛି ଗୋଟେ ବ୍ୟବସ୍ଥା ହେବା ଦରକାର। ସମସ୍ତେ କହୁଛନ୍ତି ଗରିବ ରହିବେନି, ଅନାହାରରେ କେହି ମରିବେନି କିନ୍ତୁ ଗରିବି ହଟୁନି, ଲୋକ ମରୁଛନ୍ତି। ଦଳରେ ସଂସ୍କାର ଆସିବ ଯଦି ଆଭ୍ୟନ୍ତରୀଣ ଗଣତନ୍ତ୍ର ବଢ଼ିବ ଆଉ ହାଇକମାଣ୍ଡବାଦ୍ କମିବ। ରାଜ୍ୟରେ ତିନିଟି ଯାକ ପ୍ରମୁଖ ଦଳର ଆତ୍ମବିଶ୍ୱାସ ନାହିଁ। ଯିଏ ଜିତିବ ସେ ରାଜା ହେବ ନ୍ୟାୟରେ ଚାଲିଛନ୍ତି।
କାର୍ଯ୍ୟକ୍ରମ ଆରମ୍ଭରେ ସମ୍ବାଦର ବ୍ୟୁରୋ ମୁଖ୍ୟ ଭବାନୀ ଶଙ୍କର ତ୍ରିପାଠୀ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।
ସମ୍ବାଦ’ ପକ୍ଷରୁ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତା: ‘ପାର୍ଟି ନୁହେଁ, ମାଟି ଆଗ’
/sambad/media/post_attachments/wp-content/uploads/2017/10/t.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)