ରାଉରକେଲା: ବାଲିଘାଟଗୁଡ଼ିକ ତହସିଲରୁ ଖଣି ବିଭାଗ ଅଧୀନକୁ ଆସିବା ପରେ ଚୋରାଚାଲାଣ ବଢ଼ି ଯାଇଛି। ରାଜସ୍ବମନ୍ତ୍ରୀଙ୍କ ତାଗିଦ ପରେ ବାଲି ଚୋରାଚାଲାଣ ରୋକିବାକୁ କେବଳ ପାନପୋଷ ଡିଭିଜନରେ ଏନ୍ଓଫୋର୍ସମେଣ୍ଟ ସ୍କ୍ବାଡ୍ ଗଠନ କରାଯାଇଛି। ବଣାଇ ଓ ସୁନ୍ଦରଗଡ଼ ସଦର ଡିଭିଜନରେ ଏଯାଏଁ ଗଠନ ହୋଇନି। ଯାହାର ଫାଇଦା ଉଠାଉଛନ୍ତି ବାଲି ମାଫିଆ। ଇ-ଟିପି (ଟ୍ରାନ୍ଜିଟ୍ ପାସ୍) ମିଳି ନଥିବା ବାଲିଘାଟରୁ ବି ଦୈନିକ ଶହଶହ ଟିପ୍ପର ବାଲି ଉଠୁଛି। ଏଥିରୁ ସରକାର ଟଙ୍କାଟିଏ ବି ରାଜସ୍ବ ପାଉ ନାହାନ୍ତି। ମାସକୁ ସରକାର ହରାଉଥିବା ଲକ୍ଷଲକ୍ଷ ଟଙ୍କାର ରାଜସ୍ବ ଯାଉଛି ବାଲିମାଫିଆ ଓ ସ୍ଥାନୀୟ ଥାନାର କିଛି କରିତକର୍ମା ପୁଲିସ ଅଧିକାରୀଙ୍କ ପକେଟ୍କୁ। ମାଫିଆଙ୍କ ସହ ସିଧାସଳଖ ସମ୍ପୃକ୍ତ ଅଛନ୍ତି ଜିଲ୍ଲାର କିଛି ରାଜନୈତିକ ଦଳର ନେତା। ଯାହା ମାଫିଆଙ୍କୁ ବଳ ଦେଉଛି।
ରାଉରକେଲା ଖଣିବିଭାଗ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲାର ୧୭ ବ୍ଲକରେ ମୋଟ ୧୧୫ଟି ବାଲିଘାଟ ରହଛି। ସେଥି ମଧ୍ୟରୁ ୬୦ଟି ବାଲିଘାଟ ନିଲାମ ହୋଇ ସାରିଛି। ପାନପୋଷ ସବ୍ଡିଭିଜନ୍ ଅଧୀନରେ ୩୦ଟି, ସୁନ୍ଦରଗଡ଼ ସବ୍ଡିଭିଜନ୍ରେ ୧୪ ଓ ବଣାଇ ସବ୍ଡିଭିଜନ୍ରେ ୧୬ଟି ବାଲିଘାଟ ନିଲାମ ହୋଇଛି। ଅବଶିଷ୍ଟ ୫୫ ବାଲିଘାଟ ଏଯାଏ ନିଲାମ ହୋଇ ନଥିବାରୁ ବାଲି ଉତ୍ତୋଳନ ପାଇଁ ଅନୁମତି ମିଳିନି। ଅନୁମତି ମିଳି ନଥିବା ଏସବୁ ବାଲିଘାଟ ମଧ୍ୟରୁ ପାନପୋଷ ଉପଖଣ୍ଡରେ ୧୦ଟି, ସୁନ୍ଦରଗଡ଼ ସଦର ଉପଖଣ୍ଡରେ ୩୩ ଓ ବଣାଇରେ ୧୨ଟି ରହିଛି। କିନ୍ତୁ ନିଲାମ ହୋଇନଥିବା ଏହି ବାଲିଘାଟ ଗୁଡ଼ିକରୁ ମଧ୍ୟ ମାଫିଆମାନେ ସ୍ଥାନୀୟ ନେତା, ପୁଲିସ୍କୁ ହାତକରି ବାଲି ବୋହି ନେଉଛନ୍ତି। ସେହିପରି ନିଲାମ ହୋଇ ଲିଜ୍ ପ୍ରଦାନ କରା ଯାଇଥିବା ଜିଲ୍ଲାର ୬୦ ବାଲିଘାଟ ମଧ୍ୟରୁ ମାତ୍ର ୨୪ଟି ଘାଟର ଲିଜ୍ଧାରୀଙ୍କୁ ବାଲି ଉତ୍ତୋଳନ ପାଇଁ ଏପର୍ଯ୍ୟନ୍ତ ଇ-ଟିପି (ଟ୍ରାନ୍ଜିଟ୍ ପାସ୍) ମିଳିଛି। ସେମାନେ କେବଳ ବାଲି ଉଠାଇବା ପାଇଁ ଅନୁମତିପ୍ରାପ୍ତ। ଏସବୁ ମଧ୍ୟରେ ରହିଛି ପାନପୋଷ ସବ୍ଡିଭିଜନ୍ ଅନ୍ତର୍ଗତ ଲାଠିକଟା ବ୍ଲକର ଟାଇଁସର, ଅଟାଘାଟ, ବିଜୁବନ୍ଧ, ଲୁଙ୍ଗେଇ ଓ କଂସର ବାଲିଘା।
ବୀରମିତ୍ରପୁରର ତେତେରକେଲା, ଗୋପୁର, ରାଉରକେଲାର ପ୍ରଧାନପାଲି, ତୁମକେଲା, ଲୁଆକେରା, କୁଆରମୁଣ୍ଡାର ଚାନ୍ଦିପୋଷ, କୁଆରମୁଣ୍ଡା, କୁଆରମୁଣ୍ଡା -୨, ବିଶ୍ରା ବ୍ଲକର ଜାମସେରା -୨ ବାଲିଘାଟ। ସେମିତି ଗୁରୁଣ୍ଡିଆ ବ୍ଲକର ପିଟାଗାଁ, ଛିଡ଼ି, ବଣାଇ ବ୍ଲକର ଟେଣ୍ଡ୍ରା, ଗିଲି, ଟେଣ୍ଡ୍ରା -୨, ସାନଗଗୁଆ ଓ କୁଲେଙ୍ଗ ବସ୍ତି, ଟାଙ୍ଗରପାଲି ବ୍ଲକର ଦଲଦଲି, ବାଲିଶଙ୍କରା ବ୍ଲକର ତେଲିଜୋର ବାଲିଘାଟ। ହେଲେ ଅନ୍ୟ ୩୬ ବାଲିଘାଟକୁ ଲିଜ୍ ଦିଆଯାଇଥିଲେ ହେଁ ଲିଜ୍ଧାରୀଙ୍କୁ ଇ-ଟିପି ମିଳିନି। ଇ-ଟିପି ନମିଳିବା ଯାଏ ସେମାନେ ବାଲି ଉଠାଇବା କଥା ନୁହେଁ।
କିନ୍ତୁ ଅଧିକାଂଶ ଲିଜ୍ଧାରୀ ମାଫିଆଙ୍କ ସହ ମିଶି ବିନା ଟିପିରେ ଏସବୁ ଘାଟରୁ ବେଧଡ଼କ ବାଲି ଉଠାଇ ଚାଲିଛନ୍ତି। ଏହି ଚୋରାବାଲି ସୁନ୍ଦରଗଡ଼ର ଉପାନ୍ତ ବ୍ଲକ ସମେତ ପଡୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ଚାଲାଣ ହେଉଛି। ଆବଶ୍ୟକ ସଂଖ୍ୟକ କର୍ମଚାରୀ ଅଭାବରୁ ଖଣିବିଭାଗର ଏନ୍ଫୋର୍ସମେଣ୍ଟ ଟିମ୍ ଏମାନଙ୍କ ଟେର୍ ପାଉନାହିଁ। ମାଫିଆଙ୍କ ସହ ଭିତିରି ସଲାସୁତୁରା କରି ସ୍ଥାନୀୟ ପୁଲିସ ଏମାନଙ୍କୁ ଛାଡ଼ିଦେଉଥିବା ଅଭିଯୋଗ ହେଉଛି। ବାଲିଘାଟ ବିବାଦକୁ କେନ୍ଦ୍ରକରି ସୁନ୍ଦରଗଡ଼ ଜିଲ୍ଲାରେ ଏକାଧିକବାର ଗୁଳି ଫୁଟିଛି। କିଛି ଲୋକଙ୍କ ଜୀବନ ମଧ୍ୟ ଯାଇଛି। ନିକଟରେ କୁଆରମୁଣ୍ଡାର ଚାନ୍ଦିପୋଷ ବାଲିଘାଟକୁ ନେଇ ବିଜୟ ଲାକ୍ରା ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଥିଲା। ଏସବୁ ସତ୍ତ୍ବେ ବାଲି ଚୋରାଚାଲାଣ ରୋକିବାକୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆନଯିବାରୁ ସରକାରୀ ରାଜକୋଷକୁ କ୍ଷତି ପହଞ୍ଚାଇବା ସହ ମାଫିଆ ଓ ଅପରାଧୀଙ୍କୁ ପ୍ରୋତ୍ସାହିତ କରୁଛି।