ନୂଆଦିଲ୍ଲୀ: କୋଲକାତାର ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ବୁଧବାର (୦୪ ସେପ୍ଟେମ୍ବର) ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏହି ଆବେଦନରେ କୁହାଯାଇଛି ଯେ ଦୁର୍ନୀତି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା ପୂର୍ବରୁ କଲକତା ହାଇକୋର୍ଟ ତାଙ୍କ ପକ୍ଷର ଶୁଣାଣି କରିନାହାଁନ୍ତି। ଦୁର୍ନୀତି ଅଭିଯୋଗ ସହିତ ଡାକ୍ତରଖାନାରେ ହୋଇଥିବା ଦୁଷ୍କର୍ମ ଘଟଣାକୁ ହାଇକୋର୍ଟ ଦେଇଥିବା ମନ୍ତବ୍ୟକୁ ହଟାଇବାକୁ ଘୋଷ ଦାବି କରିଛନ୍ତି। ସେପ୍ଟେମ୍ବର ୬ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଏହି ପିଟିସନର ଶୁଣାଣି କରିବେ।

Advertisment

ଅଗଷ୍ଟ ୨୩ ରେ, କଲକତା ହାଇକୋର୍ଟ ଆରଜି କର ହସ୍ପିଟାଲରେ ହୋଇଥିବା ଆର୍ଥିକ ଅନିୟମିତତା ଘଟଣାର ତଦନ୍ତକୁ ରାଜ୍ୟ ଗଠିତ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ରୁ ସିବିଆଇକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ପରେ ପୂର୍ବତନ ପ୍ରିନ୍ସିପାଲ୍ ଡକ୍ଟର ସନ୍ଦୀପ ଘୋଷଙ୍କୁ ମଙ୍ଗଳବାର (ସେପ୍ଟେମ୍ବର ୩, ୨୦୨୪) ରେ ୮ ଦିନ ପାଇଁ ପୁଲିସ ହେପାଜତକୁ ପଠାଯାଇଥିଲା। ସରକାରୀ ଡାକ୍ତରଖାନାରେ ଆର୍ଥିକ ଅନିୟମିତତା ଅଭିଯୋଗରେ ସିବିଆଇ ଘୋଷଙ୍କ ସହ ଅନ୍ୟ ତିନି ଜଣଙ୍କୁ ଗିରଫ କରିଥିଲା।

ଗତ ମାସରେ ଜଣେ ଜୁନିଅର ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ପରେ ଡାକ୍ତରଖାନା ପ୍ରଶାସନ ତୀବ୍ର ଅନୁସନ୍ଧାନର ସମ୍ମୁଖୀନ ହୋଇଛି। ସିବିଆଇ ଅଧିକାରୀ କହିଛନ୍ତି ଯେ ଘୋଷଙ୍କ ସହ ଗିରଫ ହୋଇଥିବା ଅନ୍ୟ ତିନିଜଣଙ୍କ ମଧ୍ୟରେ ଆଫସର ଅଲି (୪୪), ତାଙ୍କ ସୁରକ୍ଷା କର୍ମୀ ବିପ୍ଳବ ସିଙ୍ଗା (୫୨) ଏବଂ ସୁମନ ହଜାରା (୪୬) ଅଛନ୍ତି ।

ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ବିରୋଧରେ ସିବିଆଇ ଦୁଇଟି ପୃଥକ ମାମଲା ରୁଜୁ କରିଛି। ସେଥିମଧ୍ୟରୁ ପ୍ରଥମ ମାମଲାଟି ହେଉଛି ଅଗଷ୍ଟ ୯ ରେ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା। ଦ୍ୱିତୀୟ ମାମଲା ହେଉଛି ଡାକ୍ତରଖାନାରେ ଆର୍ଥିକ ପ୍ରଶାସନିକ ଅନିୟମିତତା। ଯେଉଁଥିରେ ଆରଜି କର ହସ୍ପିଟାଲରେ ଘଟିଥିବା ଘଟଣାରେ ସିବିଆଇକୁ ଚଳିତ ମାସ ସେପ୍ଟେମ୍ବର ୫ ରେ ସୁପ୍ରିମକୋର୍ଟରେ ଏକ 'ଷ୍ଟାଟସ୍ ରିପୋର୍ଟ' ଦାଖଲ କରିବାକୁ ପଡିବ।