ଭୁବନେଶ୍ୱର: ଯିଏ ଭୁଲ କହିଲା ସିଏ ଚାରିଗୁଣା ପାଇଲା, ଯିଏ ଠିକ କହିଲା ସିଏ ଅଳ୍ପ ପାଇଲା | ଓଡ଼ିଆ ଭାଷାକୁ ସ୍ପଷ୍ଟ ଭାବେ ଯିଏ କହିଲା ତାଙ୍କୁ ପାଉଣା ସାମାନ୍ୟ ଦିଆଗଲା, କିନ୍ତୁ ଯିଏ ବରପୁତ୍ରଙ୍କ ନାମ ଭୁଲ ଉଚ୍ଚାରଣ କଲେ ସିଏ ସର୍ବାଧିକ ପାଇଲେ | ବିଧାନସଭାରେ ଆଜି ଏମିତି ଏକ ତଥ୍ୟ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଥରେ ଭାବିବାକୁ ବାଧ୍ୟ କରିବ ବାସ୍ତବରେ ଚାଲିଥିଲା କଣ? ଆପଣଙ୍କୁ ଭାବିବାକୁ ବାଧ୍ୟ କରିବ ଓଡ଼ିଆ ଭାଷାର ଉନ୍ନତି ପାଇଁ ଆୟୋଜନ ହୋଇଥିବା ଏହି କାର୍ଯ୍ୟକ୍ରମର ବାସ୍ତବରେ କେମିତି କେଳେଙ୍କାରୀ ହୋଇଥିଲା |

Advertisment

ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିବା ପରି ଆଜି ଆମେ ଆପଣଙ୍କୁ ଏମିତି ଏକ ତଥ୍ୟ ଦେବାକୁ ଯାଉଛୁ | ବାସ୍ତବରେ ଗତ ଫେବୃୟାରୀ ୩ରୁ ୫ ତାରିଖ ମଧ୍ୟରେ ବିଶାଳ ଢଙ୍ଗରେ ଆୟୋଜନ ହୋଇଥିଲା ଓଡ଼ିଆ ଭାଷା ସମ୍ମିଳନୀ | ଏଥିରେ ଓଡ଼ିଆ ଭାଷାର ଉନ୍ନତି ଦିଗରେ ପ୍ରଦର୍ଶନୀ ସାଙ୍ଗକୁ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା | ତେବେ ସମ୍ମିଳନୀକୁ ନେଇ ଚର୍ଚ୍ଚା କମ ବରଂ ଏହାର ଉପସ୍ଥାପିକାଙ୍କ ଉଚ୍ଚାରଣକୁ ନେଇ ବେଶୀ ବିବାଦ ଦେଖାଦେଇଥିଲା |

କାରଣ ଉପସ୍ଥାପିକା ସଂହତି ପାଣି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ କଣ୍ଠ କବି ବୋଲି ଉଚ୍ଚାରଣ କରିଥିଲେ | ଓଡ଼ିଆ ଭାଷାର ବରପୁତ୍ରଙ୍କୁ କିଭଳି ବଦଳାଇଦିଆଯାଏ, ତାହାର ଭିଡିଓ ସବୁଆଡେ ଘୁରି ବୁଲିଥିଲା | ତେବେ ଆପଣ ଜାଣିଛନ୍ତି କି ଏମିତି ଭୁଲ କହିବା ପରେ ବି ସଂହତିଙ୍କୁ କେତେ ଟଙ୍କା ମିଳିଥିଲା | ତାଙ୍କୁ ତିନିଦିନ ପାଇଁ ୯୫ ହଜାର ଟଙ୍କା ଅର୍ଥାତ ଦିନକୁ ପ୍ରାୟ ୩୧ ହଜାର ଟଙ୍କା ମିଳିଥିଲା |

ତେବେ ଯେଉଁ ଅନ୍ୟ ଦୁଇଜଣ ଉପସ୍ଥାପକ ଶୁଭମ ବେହେରା ଓ ଶ୍ରୀନିବାସ ଘଟୁଆରୀଙ୍କୁ ତିନିଦିନ ପାଇଁ ଯଥାକ୍ରମେ ୨୫ ହଜାର ଓ ୨୦ ହଜାର ଟଙ୍କା ମିଳିଥିଲା | ଅର୍ଥାତ ଏମାନଙ୍କୁ ଦିନକ ପିଛା ପ୍ରାୟ ୭ ହଜାର ଟଙ୍କା ମିଳିଥିଲା | ଏହି ଦୁଇ ଉପସ୍ଥାପକ ସ୍ପଷ୍ଟ ଭାବେ ଓଡ଼ିଆ ଉଚ୍ଚାରଣ କରିଥିବାବେଳେ ଏମାନଙ୍କୁ କମ ଓ ଭୁଲ ଉଚ୍ଚାରଣ କରିଥିବା ସଂହତିଙ୍କୁ କାହିଁକି  ପ୍ରାୟ ୪ ଗୁଣ ଅଧିକ ଅର୍ଥ ମିଳିଥିଲା, ତାହା ହିଁ ସବୁଠାରୁ ବଡ ପ୍ରଶ୍ନ |  

ଇଂରାଜୀରେ ଲେଖି ଓଡ଼ିଆରେ ପଢିଲେ ଯାହା ଅବସ୍ଥା ହେବ ତାହା ହିଁ ହୋଇଥିଲା | ବାସ୍ତବରେ ଏହି ସମ୍ମିଳନୀ ଆୟୋଜନରେ କୌଣସି ଆନ୍ତରିକତା ନଥିଲା କେବଳ ପ୍ରଚାରଧର୍ମୀ ଥିଲା | ଯେଉଁମାନେ ଏହାକୁ ନିୟନ୍ତ୍ରଣ କରୁଥିଲେ ସେମାନେ ଆମ ଭାଷାଭାଷୀ ନୁହଁନ୍ତି | ତାଙ୍କ ନିକଟରେ ଭାଷାର ମର୍ଯ୍ୟାଦା ଅପେକ୍ଷା ଆତ୍ମପ୍ରଚାର ଥିଲା ଏକମାତ୍ର ମାଧ୍ୟମ | ତେଣୁ ରାଜକୋଷକୁ କିଭଳି ବର୍ବାଦ କରାଯାଏ ଏହା ହିଁ ତାହାର ନମୁନା | 

-ପ୍ରଦ୍ୟୁମ୍ନ ଶତପଥୀ
ଭାଷା ଆନ୍ଦୋଳନ ସଭାପତି