କୋରାପୁଟ: କୋରାପୁଟ ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକା ଆଜି ଭୁବନେଶ୍ବରଠାରେ ପୂର୍ବତଟ ରେଳବାଇ ଜିଏମ୍ ପରମେଶ୍ବର ଫୁଙ୍କୱାଲ ଏବଂ ଅନ୍ୟ ବରିଷ୍ଠ ରେଳବାଇ ଅଧିକାରୀଙ୍କ ସହ ଅବିଭକ୍ତ କୋରାପୁଟ ଜିଲ୍ଲାରେ ରେଳ ଭିତ୍ତିଭୂମି ଓ ନୂଆ ରେଳ ଚଳାଚଳକୁ ନେଇ ଆଲୋଚନା କରିଥିଲେ। ନବରଙ୍ଗପୁର –ଜୟପୁର, ଜୟପୁର –ମାଲକାନଗିରୀ ରେଳ ଲାଇନ୍ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବିଳମ୍ବ ହେଉଥିବାରୁ ଏହାକୁ ନେଇ ଆଲୋଚନା କରି କିଭଳି ଏହା ଶୀଘ୍ର ସାରିବେ ସେ ନେଇ ଆଲୋଚନା କରିଥିଲେ। ସେହିପରି ଗୁଣୁପୁର -ଥେରୁବାଲି ରେଳଲାଇନ୍ ପ୍ରକଳ୍ପ, ରାୟଗଡ଼ା ରେଳଡିଭିଜନ ସଂପର୍କରେ ଆଲୋଚନା କରିଥିଲେ। ଗୁଣୁପୁର -ଥେରୁବାଲି ରେଳଚଳାଚଳ ପ୍ରକଳ୍ପରେ ପଦ୍ମପୁରକୁ ସାମିଲ କରିବାକୁ ଅନୁରୋଧ କରିଥିଲେ। ଏହା ସହ ଜିଲ୍ଲାସ୍ତରରେ ଗୁଣୁପୁର -ଥେରୁବାଲି ରେଳଚଳାଚଳ ପ୍ରକଳ୍ପ ଓ ଡିଭିଜନ୍ ପାଇଁ ହେବାକୁ ଥିବା ତ୍ରୟମାସିକ ସମୀକ୍ଷା ବୈଠକ ଓ ଜିଲ୍ଲାସ୍ତରରେ ହେଉଥିବା ଦିଶା ସମୀକ୍ଷା ବୈଠକକୁ ରେଳବାଇର ବରିଷ୍ଠ ଅଧିକାରୀଙ୍କୁ ଭାଗ ନେବା ପାଇଁ ପଠାଇବାକୁ ସାଂସଦ ଜିଏମଙ୍କୁ ଅନୁରୋଧ କରିଥିଲେ। ସେହିପରି ପଦ୍ମପୁର-ଗୁମୁଡା (ଆନ୍ଧ୍ରପ୍ରଦେଶ) ରେଳଲାଇନ୍ ପ୍ରକଳ୍ପ ଓ ଗୋପାଳପୁର-ରାୟଗଡା ରେଳଲାଇନ୍ ପ୍ରକଳ୍ପରେ ଗୁଣୁପୁର ଜଙ୍କସନ୍ ହେଉଥିବାରୁ ଉଭୟ ପ୍ରକଳ୍ପର ସଂପୁର୍ଣ୍ଣ ପ୍ରକଳ୍ପ ରିପୋର୍ଟ(ଡିପିଆର) ଦାଖଲ କରିବାକୁ ଅନୁରୋଧ କରିଥିଲେ। କୋରାପୁଟ ଠାରୁ ରାୟଗଡା ଯିବା ପାଇଁ ସାଢ଼େ ତିନି ଘଣ୍ଟା ସମୟ ଲାଗୁଛି। ତେଣୁ ଏହି ରାସ୍ତାରେ ଚଳାଚଳ କରୁଥିବା ଟ୍ରେନ ଗୁଡିକ ଦ୍ରୁତ ଗତିରେ ଯେଭଳି ଯିବେ ସେ ଦିଗରେ ଦୃଷ୍ଟି ଦେବାକୁ ସାଂସଦ କହିଥିଲେ। ସେହିପର ନୂଆପଡା ଗୁଣପୁର ରାସ୍ତାରେ ବି ମନ୍ଥର ଗତିରେ ଟ୍ରେନ ଯାଉଥିବାରୁ ଏହାର ଗତି ବି ବଢ଼ାଇବା ଆବଶ୍ୟକ ବୋଲି କହିଥିଲେ ସାଂସଦ।
ସେହିପରି ଦିନରେ ଛତିଶଗଡର ଜଗଦଲପୁର ଠାରୁ ଭୁବନେଶ୍ବର ଯାଏଁ ଭାୟା କୋରାପୁଟ –ରାୟଗଡ଼ା ଦେଇ ଆଉ ଗୋଟିଏ ନୂଆ ରେଳ ଚଳାଚଳ କରାଯାଉ ବୋଲି ସାଂସଦ ଦାବି କରିଥିଲେ। ରାୟଗଡ଼ା, କୋରାପୁଟ, ଜୟପୁର, ଗୁଣୁପୁର, ଆମ୍ବାଦୋଲା ଓ ମୁନିଗୁଡା ଷ୍ଟେସନର ଉନ୍ନୟନ ଓ ବିକାଶ ତୁରନ୍ତ କରାଯାଉ ବୋଲି ସାଂସଦ ଜିଏମଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଭିନ୍ନ ଷ୍ଟେସନ ସହ ବହୁ ସ୍ଥାନରେ ଓଭରବ୍ରିଜର ଆବଶ୍ୟକତା ରହିଛି, ସେ ସବୁ ସ୍ଥାନକୁ ଚିହ୍ନଟ କରି ସେଠାରେ ଏହାର ନିର୍ମାଣ କରାଯାଉ ବୋଲି କହିଥିଲେ ସାଂସଦ। କୋରାପୁଟ ସଂସଦୀୟ କ୍ଷେତ୍ରରେ ଚଳାଚଳ କରୁଥିବା ବହୁ ଟ୍ରେନର ସଂପ୍ରସାରଣ ପାଇଁ ସେ ସଂସଦରେ ଦାବି ଉପସ୍ଥାପନ କରିଛନ୍ତି , ତାହାକୁ କାର୍ଯ୍ୟକାରୀ କରାଇବା ଦିଗରେ ସହାୟତା କରିବାକୁ ଅନୁରୋଧ କରିଥିଲେ ସାଂସଦ।
ସେହିପରି ନୂଆରେ ଆରମ୍ଭ ହେବାକୁ ଥିବା ରାୟଗଡ଼ା ରେଳଡିଭିଜନର ଡିଆରଏମ୍ ନିଯୁକ୍ତି ତୁରନ୍ତ କରାଯାଉ, ନଚେତ ତୁରନ୍ତ ଓଏସଡି ନିଯୁକ୍ତି ଦେଇ ଡିଭିଜନର କାମ ଆରମ୍ଭ କରାଯାଉ ବୋଲି ସାଂସଦ କହିଥିଲେ। କୋଭିଡ୍ ପୂର୍ବରୁ ଯେଭଳି ବିଭିନ୍ନ ଷ୍ଟେସନରେ ଟ୍ରେନ ଗୁଡିକର ସ୍ବଳ୍ପ ରହଣୀ ରହୁଥିଲା ସେଭଳି ପୁଣି କାର୍ଯ୍ୟକାରୀ କରାଯାଉ ବୋଲି ସାଂସଦ କହିଥିଲେ। ବରିଷ୍ଠ ନାଗରିକ ଓ ସାମ୍ବାଦିକଙ୍କୁ ଯାତ୍ରା ଟିକେଟରେ ରିହାତି ଦିଆଯାଉ ବୋଲି ସାଂସଦ ଜିଏମଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କୋରାପୁଟ ଜିଲ୍ଲାରେ ରେଳଲାଇନ୍ ଓ ଷ୍ଟେସନ୍ ଆଦିର ଉନ୍ନୟନ ତଥା ନୂଆ ରେଳଲାଇନ୍ ପ୍ରକଳ୍ପର ଜମି ଅଧିଗ୍ରହଣ ପାଇଁ ଜିଲ୍ଲାପ୍ରଶାସନ ସହ ସମନ୍ବୟ ରକ୍ଷା କରି ଆଲୋଚନା କରି ଜିଲ୍ଲାର ଗମନାଗମନର ବିକାଶରେ ପ୍ରମୁଖ ଭାଗୀଧାରୀ ହେବାକୁ ସାଂସଦ ଜିଏମଙ୍କୁ ଅନୁରୋଧ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/qc65q4sEGKbV2AfaZGNH.jpg)