ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ସରକାରୀ ବିଦ୍ୟାଳୟ ପୋଷାକ କିଣାରେ ବ୍ୟାପକ ଅନିୟମିତା ହୋଇଛି। କାମ ହାତେଇଥିବା ଏସ୍ଏଚ୍ଜି ଗ୍ରୁପ୍ଗୁଡ଼ିକ ବିଦ୍ୟାଳୟଗୁଡ଼ିକୁ ପୋଷାକ ଯୋଗାଇ ଦେବା ପୂର୍ବରୁ ବିଦ୍ୟାଳୟ ପରିଚାଳନା ସମିତି (ଏସ୍ଏମ୍ସି) ସହିତ ଚୁକ୍ତିନାମା କରିବା ବାଧ୍ୟତାମୂଳକ। ପୋଷାକର ମାନ ଏସ୍ଏମ୍ସି ଯାଞ୍ଚ କରିବାକୁ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ହେଲେ ଜିଲ୍ଲାରେ କାମ ପାଇଥିବା ଏସ୍ଏଚ୍ଜି ଗ୍ରୁପ୍ଗୁଡ଼ିକ ମଧ୍ୟରୁ ପ୍ରାୟ ୮୦% ଏଥିରେ ଖିଲାପ କରିଛନ୍ତି। ଦୋଷ ଲୁଚାଇବାକୁ ଏବେ ଏସ୍ଏଚ୍ଜି ଗୁଡ଼ିକ ଏସ୍ଏମ୍ସିକୁ ଚୁକ୍ତନାମା ଫର୍ମରେ ଦସ୍ତଖତ ମାରିବାକୁ ବାଧ୍ୟ କରୁଛନ୍ତି। ଭୟରେ କିଛି ବିଦ୍ୟାଳୟର ଏସ୍ଏମ୍ସି ଚୁକ୍ତିନାମା ଫର୍ମରେ ଦସ୍ତଖତ କରିଛନ୍ତି।
ଏସବୁ ବିବାଦ ଭିତରେ ଆଜି ପର୍ଯ୍ୟନ୍ତ ୩୩% ବିଦ୍ୟାଳୟକୁ ପୋଷାକ ଦିଆଯାଇ ପାରିନାହିଁ। ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ କହିଛନ୍ତି ପୂର୍ବରୁ ସରକାରଙ୍କ ଏମିତି ମାର୍ଗଦର୍ଶିକା ନଥିଲା। ନୂଆ ମାର୍ଗଦର୍ଶିକା ଯୋଗୁ ଏଭଳି ସମସ୍ୟା ଉପୁଜିଛି। ଏସ୍ଏଚ୍ଜି ଗୁଡ଼ିକ ଜିଏସ୍ଟି ବିଲ୍ ଯୋଗାଇ ଦେବା ଦରକାର। ଯଦି ନିମ୍ନମାନର ପୋଷାକ ଯୋଗାଇ ଥିବେ, ଯାଞ୍ଚ କରି ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଅଧିକାଂଶ ବିଦ୍ୟାଳୟର ଏସ୍ଏମ୍ସି ଦସ୍ତଖତ ମାରୁନାହାନ୍ତି। ଟେଲରିଂ ୟୁନିଟ୍ ନଥିବା ଏସ୍ଏଜ୍ଜି ଗୁଡ଼ିକୁ ପୋଷାକବଣ୍ଟନ ଦାୟିତ୍ବ ଦିଆଯାଇଛି। ଯେଉଁମାନେ ଏସ୍ଏଚ୍ଜି ଗ୍ରୁପ୍ ଚୟନ କରିଛନ୍ତି, ସେମାନଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ। ଅଧିକାଂଶ ଏସ୍ଏଚ୍ଜି ବିନା ଚୁକ୍ତିନାମାରେ, ଏସ୍ଏମ୍ସିକୁ ପୋଷାକର ମାନ ଯାଞ୍ଚ କରିବାକୁ ସୁଯୋଗ ନଦେଇ ଦୋକାନୀଙ୍କ ଜରିଆରେ ବିଦ୍ୟାଳୟଗୁଡ଼ିକୁ ପୋଷାକ ଯୋଗାଇ ଦେଇଛନ୍ତି। ଜିଲ୍ଲାରେ ଯେଉଁ ୬୭% ବିଦ୍ୟାଳୟ ପୋଷାକ ପାଇଛନ୍ତି, ସେମାନଙ୍କୁ ଏସ୍ଏଚ୍ଜି ଗ୍ରୁପ୍ଗୁଡ଼ିକ ପକ୍ଷରୁ ଏଯାଏ ଜିଏସ୍ଟି ବିଲ୍ ଦିଆଯାଇ ନାହିଁ। ଜିଏସ୍ଟି ବିଲ୍ ପାଇ ନଥିବାରୁ ଏସ୍ଏଚ୍ଜି ଆକାଉଣ୍ଟକୁ ଟଙ୍କା ପଠାଉ ନାହାନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ। ଏସ୍ଏଚ୍ଜିମାନେ ମୋଟାଅଙ୍କର କମିସନ ହାତେଇ ଦୋକାନୀଙ୍କୁ ପୋଷାକ ଯୋଗାଇବା କାମ ଟେକି ଦେଇଛନ୍ତି। ଦୋକାନୀମାନେ ବିଦ୍ୟାଳୟଗୁଡ଼ିକୁ ମନଇଚ୍ଛା ନିମ୍ନମାନର ପୋଷାକ ଯୋଗାଇଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏସବୁ ବିବାଦ ଭିତରେ ଆଜି ପର୍ଯ୍ୟନ୍ତ ୩୩% ବିଦ୍ୟାଳୟକୁ ପୋଷାକ ଦିଆଯାଇ ପାରିନାହିଁ। ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ କହିଛନ୍ତି ପୂର୍ବରୁ ସରକାରଙ୍କ ଏମିତି ମାର୍ଗଦର୍ଶିକା ନଥିଲା। ନୂଆ ମାର୍ଗଦର୍ଶିକା ଯୋଗୁ ଏଭଳି ସମସ୍ୟା ଉପୁଜିଛି। ଏସ୍ଏଚ୍ଜି ଗୁଡ଼ିକ ଜିଏସ୍ଟି ବିଲ୍ ଯୋଗାଇ ଦେବା ଦରକାର। ଯଦି ନିମ୍ନମାନର ପୋଷାକ ଯୋଗାଇ ଥିବେ, ଯାଞ୍ଚ କରି ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜିଲ୍ଲାରେ ଯେଉଁ ଏସ୍ଏଚ୍ଜିଗୁଡ଼ିକ ଦୋକାନୀଙ୍କ ଜରିଆରେ ନିମ୍ନମାନର ପୋଷାକ ଯୋଗାଇଛନ୍ତି, ସେମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବା ସହ କଳା ତାଲିକାଭୁକ୍ତ କରିବାକୁକୁ ଅଭିଭାବକ ଓ ଶିକ୍ଷକସଂଘଗୁଡ଼ିକ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲାର ସରକାରୀ ସ୍କୁଲ୍ ଗୁଡ଼ିକରେ ପ୍ରଥମରୁ ୮ମ ପର୍ଯ୍ୟନ୍ତ ମୋଟ ୧ ଲକ୍ଷ ୬୭ ହଜାର ୫୬୪ ପିଲା ପାଠ ପଢ଼ୁଛନ୍ତି। ଏମାନଙ୍କ ପୋଷାକ ପାଇଁ କେନ୍ଦ୍ର ସରକାର ୧୦ କୋଟି ୫ ଲକ୍ଷ ୩୮ ହଜାର ୪୦୦ ଟଙ୍କା ଓ ରାଜ୍ୟ ସରକାର ୬ କୋଟି, ୭୦ ଲକ୍ଷ ୨୫ ହଜାର ୬୦୦ ଟଙ୍କା ମଞ୍ଜୁର କରିଛନ୍ତି। ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଜିଲ୍ଲାର ୧୭ ବ୍ଲକ, ୩ଟି ପୌରପାଳିକା ଓ ଗୋଟିଏ ମହାନଗର ନିଗମରେ ପୋଷାକ ଯୋଗାଇବା ଦାୟିତ୍ବ ୨୭୪ ଏସ୍ଏଚ୍ଜି ଓ ୮୬ଟି କ୍ଷୁଦ୍ର ଉଦ୍ୟୋଗଙ୍କୁ ଦିଆଯାଇଛି। ହେଲେ କାମ ନେଇଥିବା ୨୭୪ ଏସ୍ଏଚ୍ଜି ଗ୍ରୁପ୍ ମଧ୍ୟରୁ ଅଧିକାଂଶଙ୍କର ନିଜସ୍ବ ଉତ୍ପାଦନ ୟୁନିଟ୍ ନାହିଁ। ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ରେ ୨/୩ ଜଣ ଲେଖାଏଁ ହୋଲ୍ସେଲ୍ କପଡ଼ା ବ୍ୟବସାୟୀ ବିଦ୍ୟାଳୟଗୁଡ଼ିକୁ ପୋଷାକ ଯୋଗାଉଛନ୍ତି।