ଭୁବନେଶ୍ବର: ରାଜ୍ୟ ସରକାର ଗାଡ଼ି ସ୍କ୍ରାପ୍‌ ନୀତି ୨୦୨୨ ଆଣିବା ପରେ ଓଡ଼ିଶାର ପ୍ରଥମ ପଞ୍ଜୀକୃତ ଗାଡ଼ି ସ୍କ୍ରାପ୍‌ ସେଣ୍ଟର୍‌ ବା ଆର୍‌ଭିଏସ୍‌ଏଫ୍‌ (ପଞ୍ଜୀକୃତ ଯାନ ସ୍କ୍ରାପିଂ ଫାସିଲିଟି) ଖୋର୍ଦ୍ଧା ପିତାପଲ୍ଲୀଠାରେ ଗତବର୍ଷ ଠାରୁ କାର୍ଯ୍ୟକ୍ଷମ ହୋଇଛି। ଏମ୍ପ୍ରିଓ ପ୍ରିମିୟମ୍‌ ନାମରେ ଏହା କାର୍ଯ୍ୟ କରୁଛି। ଓଡ଼ିଶାର ଏହା ଏକମାତ୍ର ସେଣ୍ଟର ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟର ବାହନ ପୋର୍ଟାଲରୁ ଜଣାଯାଇଛି। ଏଠାରେ ବର୍ତ୍ତମାନ ଦିନକୁ ୭ରୁ ୮ଟି ଗାଡ଼ି ସ୍କ୍ରାପ୍‌ ହେଉଛି। ସ୍କ୍ରାପିଂରେ ସରକାରୀ ଯାନର ଅଂଶ ପାଖାପାଖି ୪୦ ପ୍ରତିଶତ ରହୁଥିବାବେଳେ ପ୍ରାଇଭେଟ୍‌ ଗାଡ଼ିର ଅଂଶ ୬୦ ପ୍ରତିଶତ ରହୁଛି। ଦୁଇ ଚକିଆଠାରୁ ଆରମ୍ଭ କରି କାର୍‌, ବସ୍‌, ଅନ୍ୟାନ୍ୟ ଭାରିଯାନଗୁଡ଼ିକୁ ଏଠାରେ ଅତ୍ୟାଧୁନିକ ଉପାୟରେ ଖଣ୍ଡ ଖଣ୍ଡ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଏଠାକୁ ଗାଡ଼ି ଆସୁଛି। ଏହି କାରଖାନାରେ ବର୍ତ୍ତମାନ ପ୍ରାୟ ୧୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ପୂର୍ଣ୍ଣ କ୍ଷମତାରେ କାରଖାନା ଚାଲିଲେ ୨୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରିବେ ବୋଲି ଏମ୍ପ୍ରିଓ ଗ୍ରୁପ୍‌ର ଏମ୍‌ଡି ଅବିନାଶ ସାମଲ କହିଛନ୍ତି। 

Advertisment

ଗାଡ଼ି ପୁରୁଣା ହୋଇଯିବା ପରେ ତାହାକୁ ନିୟମ ଅନୁଯାୟୀ ରଦ୍ଦି ମାଲ୍‌ରେ ପରିଣତ କରାଯାଉଛି।  ଗାଡ଼ିଗୁଡ଼ିକରୁ ମୁଖ୍ୟତଃ ଯନ୍ତ୍ରାଂଶ, ଲୁହା, ଆଲୁମିନିୟମ, ଟାୟାର, ରବର,‌ ପ୍ଲାଷ୍ଟିକ ଏବଂ କାଚ ଆଦି ବାହାରିଥାଏ। ସେଗୁଡ଼ିକୁ ଅଲଗା କରାଯାଇଥାଏ। ଏଥିସହିତ ଗାଡ଼ିରେ ଥିବା ତେଲଗୁଡ଼ିକୁ ଅତ୍ୟନ୍ତ ସୁରକ୍ଷିତ ଭାବେ ବାହାର କରାଯାଇଥାଏ। ପରିବେଶ ପ୍ରତି ଯେଭଳି କୌଣସି କ୍ଷତି ନ ପହଞ୍ଚିବ ସେଥିପ୍ରତି ସର୍ବାଧିକ ଗୁରୁତ୍ବ ଦିଆଯାଇଥାଏ। ପୁରୁଣା ଗାଡ଼ିରୁ ବାହାରୁଥିବା ଲୁହା, ଆଲୁମିନିୟମ ଓ ଅନ୍ୟାନ୍ୟ ଧାତବ ସାମଗ୍ରୀକୁ ମେସିନ ସାହାଯ୍ୟରେ ଆୟତକାର କିମ୍ବା ବର୍ଗାକାର ରୂପ ଦିଆଯାଉଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏସବୁକୁ କଞ୍ଚାମାଲ ଭାବେ ବ୍ୟବହାର କରୁଥିବା ଉଦ୍ୟୋଗୀ କିମ୍ବା ଏହି ବ୍ୟବସାୟ ସହ ଜଡ଼ିତ ବ୍ୟକ୍ତିମାନଙ୍କୁ ତାହା ବିକ୍ରି କରାଯାଉଛି। ଏହାବ୍ୟତୀତ ଯେଉଁମାନେ ପାର୍ଟସ ଆବଶ୍ୟକ କରୁଛନ୍ତି ତାହା ସେମାନଙ୍କୁ ଏଠାରେ ଖୋଲିଥିବା କାଉଣ୍ଟରରୁ ମିଳିଯାଇ ପାରୁଛି। ଗୋଟିଏ ପଟେ ପୁରୁଣା ଗାଡ଼ିଗୁଡ଼ିକୁ ସ୍କ୍ରାପ୍‌ କରିଦେବା ଫଳରେ ପରିବେଶ ସଫା ହୋଇଥାଏ। ଅନ୍ୟ ଏକ ବିଷୟ ହେଲା ସଂପୃକ୍ତ ପୁରୁଣା ଗାଡ଼ିକୁ ଭବିଷ୍ୟତରେ ଅନ୍ୟ କେହି ଦୁରୁପଯୋଗ କରିବାର ଆଶଙ୍କା ନଥାଏ। 

ଏ ସଂପର୍କରେ ଏମ୍ପ୍ରିଓ ଗ୍ରୁପ୍‌ର ଏମ୍‌ଡି ଶ୍ରୀ ସାମଲ କୁହନ୍ତି, ବର୍ତ୍ତମାନ ଓଡ଼ିଶାରେ ଏହି ଶିଳ୍ପ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ଉକ୍ତ ଶିଳ୍ପ ଏକ ବ୍ୟବସାୟିକ ମଡେଲ୍‌ରେ ପରିଣତ ହେବାପାଇଁ ଆଉ କିଛିବର୍ଷ ଲାଗିବ। କାରଣ ସ୍କ୍ରାପିଂ ସେଣ୍ଟରଗୁଡ଼ିକରୁ ବାହାରୁଥିବା ଲୁହା, ପ୍ଲାଷ୍ଟିକ୍‌, କାଚ ଓ ରବର୍‌ ଆଦିକୁ ରିସାଇକ୍ଲିଂ କରୁଥିବା ସଂସ୍ଥାଗୁଡ଼ିକ କିଣିବା ପାଇଁ ଆଗେଇ ଆସିଲେ ଏହି ଶିଳ୍ପ ଆଗକୁ ବଢ଼ିପାରିବ। ଅନ୍ୟପଟେ ଉକ୍ତ ଶିଳ୍ପ ଆଗକୁ ବଢ଼ିବା ପାଇଁ ହେଲେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବା ଦରକାର। ଉଭୟ ପକ୍ଷର ସହଯୋଗ ରହିଲେ ପରିବେଶ ପ୍ରଦୂଷଣକୁ ହ୍ରାସ କରିବା, ଯାନଚାଳନା ଜନିତ ସୁରକ୍ଷାକୁ ବଳିଷ୍ଠ କରିବା ଆଦି ସରକାରଙ୍କ ଉଦ୍ଦେଶ୍ୟ ସାଧନ ହୋଇପାରିବ ବୋଲି ସେ କହିଛନ୍ତି।

ସ୍କ୍ରାପ୍‌ ନୀତିରେ ସୁବିଧା
୧.        ରାଜ୍ୟ ସରକାରଙ୍କ ସ୍କ୍ରାପ୍‌ ନୀତି ଅନୁଯାୟୀ ସ୍କ୍ରାପିଂ ସମୟରେ ଗାଡ଼ିର ଏକ୍ସସୋ’ରୁମ୍‌ ମୂଲ୍ୟ ଯାହା ରହିଥିବା ତାହାର ପ୍ରାୟ ୬ ପ୍ରତିଶତ ପ୍ରଦାନ କରାଯିବ।
୨.        ସ୍କ୍ରାପିଂ ପ୍ରମାଣପତ୍ର ଦେଖାଇଲେ ଗାଡ଼ି ନିର୍ମାତା ସେମାନଙ୍କୁ ୫ ପ୍ରତିଶତ ରିହାତି ପ୍ରଦାନ କରିବାକୁ କମ୍ପାନିଗୁଡ଼ିକୁ ସରକାରଙ୍କ ପରାମର୍ଶ
୩.        ସ୍କ୍ରାପ୍‌ ହୋଇଥିବା ଗାଡ଼ିର ସମାନ ବର୍ଗ ଗାଡ଼ି କିଣିଲେ ଅଣପରିବହନ ଯାନରେ ମୋଟର ଯାନ ଟିକସରେ ୨୫ ପ୍ରତିଶତ ଏବଂ ପରିବହନ ଯାନ କ୍ଷେତ୍ରରେ ମୋଟର ଯାନ ଟିକସରେ ୧୫ ପ୍ରତିଶତ ରିହାତି ମିଳିବ। ଏହି ରିହାତି ପରିବହନ ଯାନ କ୍ଷେତ୍ରରେ ୮ ବର୍ଷ ଏବଂ ଅଣପରିବହନ ଯାନ କ୍ଷେତ୍ରରେ ୧୫ ବର୍ଷ ପର୍ଯ୍ୟନ୍ତ ମିଳିପାରିବ।
୪.     ‘ସାର୍ଟିଫିକେଟ ଅଫ୍‌ ଡିପୋଜିଟ୍‌’ ଦାଖଲ କରି ଗାଡ଼ି କିଣିଲେ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଜାରି ପାଇଁ ଶୁଳ୍କ ଆଦାୟ କରାଯିବ ନାହିଁ।