ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ନେଇ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳମାନଙ୍କ ମଧ୍ୟରେ ଆସନ ଭାଗବଣ୍ଟା ଦିଆଯାଇଛି। ଗଣମାଧ୍ୟମକୁ ସୂଚନା ଦେବାବେଳେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି ଯେ ଝାଡଖଣ୍ଡର ୮୧ଟି ବିଧାନସଭା ଆସନ ମଧ୍ୟରୁ ଜେଏମଏମ ଏବଂ କଂଗ୍ରେସ ୭୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହା ବ୍ୟତୀତ ଆରଜେଡି, ସିପିଏମ୍  ଏବଂ ସେମାନଙ୍କର ଅନ୍ୟ ସହଯୋଗୀମାନେ ବାକି ସିଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ତେବେ କେଉଁ ଆସନରେ କିଏ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ହେମନ୍ତ ସୋରେନ୍ ନିଷ୍ପତ୍ତି ନେବେ।

Advertisment

ତେବେ ଜେଏମଏମ ଏବଂ କଂଗ୍ରେସ ପ୍ରତ୍ୟେକ କେତେ ସିଟ୍ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପ୍ରକାଶ କରିନାହାଁନ୍ତି। କଂଗ୍ରେସର ଝାଡଖଣ୍ଡ ଦାୟିତ୍ୱରେ ଥିବା ଗୁଲାମ ଅହମ୍ମଦ ମୀରଙ୍କ ଉପସ୍ଥିତିରେ ଜେଏମଏମ କାର୍ଯ୍ୟକାରୀ ସଭାପତି ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆସନ ଭାଗବଣ୍ଟା ଘୋଷଣା କରିଛନ୍ତି। ତେବେ ଏହି ଅବସରରେ ଆରଜେଡି ଏବଂ ବାମ ଦଳର ପ୍ରତିନିଧୀମାନେ ଉପସ୍ଥିତ ନଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ମିଳିତ ମଞ୍ଚରେ ଥିବା ସହଯୋଗୀ ଦଳର ନେତାଙ୍କ ସହ ଆଲୋଚନା ଚାଲିଛି। ହେମନ୍ତ ସୋରେନ କହିଛନ୍ତି ଯେ ଆରଜେଡି ଏବଂ ସିପିଏମ ସହ ଆଲୋଚନା ପରେ କଂଗ୍ରେସ ଏବଂ ଜେଏମଏମ କେଉଁ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ମଧ୍ୟ ସ୍ପଷ୍ଟ ହୋଇଯିବ।

ସୂଚନା ଥାଉ କି ଯେ ୧୩ ଏବଂ ୨୦ ନଭେମ୍ବରରେ ଦୁଇଟି ପର୍ଯ୍ୟାୟରେ ଝାଡଖଣ୍ଡରେ ମତଦାନ ହେବ | ନଭେମ୍ବର ୨୩ ରେ ଭୋଟ୍ ଗଣତି କରାଯିବ | ଝାଡଖଣ୍ଡରେ ଏନଡିଏ ସିଟ୍ ଭାଗବଣ୍ଟା କରିସାରିଛି। ରାଜ୍ୟର ୮୧ଟି ଆସନ ମଧ୍ୟରୁ ବିଜେପି ୬୮ଟି ଆସନରେ, ୧୦ଟି ଆସନରେ ଆଜସୁ ଏବଂ ୨ଟି ଆସନରେ ଜେଡିୟୁ ଏବଂ ଗୋଟିଏ ଆସନରେ ଏଲଜେପି (ରାମ ଭିଲାସ) ପ୍ରତିଦ୍ୱନ୍ଦ୍ୱିତା କରିବ।