ନୂଆଦିଲ୍ଲୀ: ଆମେରିକାରେ ଏକ ବଡ଼ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ପ୍ରସିଦ୍ଧ ଭାରତୀୟ ବଂଶୋଦ୍ଭବ ଜାତୀୟ ସୁରକ୍ଷା ବିଶେଷଜ୍ଞ ଆଶଲି ଟେଲିସ୍ ଙ୍କୁ ଗୋପନୀୟ କାଗଜପତ୍ର ରଖିବା ଏବଂ ଚୀନ୍‌ ସହିତ ସମ୍ପର୍କ ରଖିବା ଅଭିଯୋଗରେ ଗିରଫ କରାଯାଇଛି। ଫେଡେରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍ (FBI) ଶନିବାର ଦିନ ଭର୍ଜିନିଆର ଭିଏନାରେ ତାଙ୍କ ଘର ଉପରେ ଚଢାଉ କରି ୧୦୦୦ ପୃଷ୍ଠାରୁ ଅଧିକ ଗୁପ୍ତ କାଗଜପତ୍ର ଜବତ କରିଛି।

Advertisment

ଏଫବିଆଇ ଅଭିଯୋଗ କରିଛି ଯେ ଟେଲିସ୍ ବେଆଇନ ଭାବରେ ଆମେରିକାର ଜାତୀୟ ସୁରକ୍ଷା ସହିତ ଜଡିତ ଡକ୍ୟୁମେଣ୍ଟ ଲୁଚାଇ ରଖିଥିଲେ ଏବଂ ଗତ କିଛି ବର୍ଷ ମଧ୍ୟରେ ଚୀନ୍ ଅଧିକାରୀଙ୍କ ସହ ଅନେକ ଥର ସାକ୍ଷାତ କରିଛନ୍ତି। ଏଫବିଆଇ ଦ୍ୱାରା ଦାଖଲ କରାଯାଇଥିବା ଏକ ସତ୍ୟପାଠ ଅନୁଯାୟୀ, ଟେଲିସ୍‌ଙ୍କ ବେସମେଣ୍ଟ କାର୍ଯ୍ୟାଳୟରେ ବନ୍ଦ କ୍ୟାବିନେଟ୍, ଡେସ୍କ ଏବଂ ବ୍ୟାଗରେ ହଜାର ହଜାର କାଗଜପତ୍ର ଲୁଚାଇ ରଖାଯାଇଥିଲା। ଏଥିମଧ୍ୟରୁ ଅନେକ ଉପରେ "ଟପ୍ ସିକ୍ରେଟ୍" ଏବଂ "ସିକ୍ରେଟ୍" ଷ୍ଟାମ୍ପ ଲଗାଯାଇଥିଲା। ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ସେପ୍ଟେମ୍ବର ୨୫ ତାରିଖରେ ଟେଲିସ୍ ଯୁକ୍ତରାଷ୍ଟ୍ର ଷ୍ଟେଟ୍ ଡିପାର୍ଟମେଣ୍ଟର କମ୍ପ୍ୟୁଟର ସିଷ୍ଟମରୁ ଶହ ଶହ ଗୋପନୀୟ କାଗଜପତ୍ର ପ୍ରିଣ୍ଟ କରୁଥିବା କ୍ୟାମେରାରେ ଧରାପଡ଼ିଥିଲେ। 

ଅକ୍ଟୋବର ୧୦ ତାରିଖରେ, ଆଉ ଏକ ସୁରକ୍ଷା କ୍ୟାମେରା ଭର୍ଜିନିଆର ଆଲେକଜାଣ୍ଡ୍ରିଆରେ ଏକ ସରକାରୀ ପ୍ରତିଷ୍ଠାନରେ ଟେଲିସ୍ ତାଙ୍କ ବ୍ୟାଗରେ କାଗଜପତ୍ର ଲୁଚାଉଥିବା କଏଦ କରିଥିଲା। ଏଫବିଆଇ ରିପୋର୍ଟରେ କୁହାଯାଇଛି ଯେ ସେପ୍ଟେମ୍ବର ୨୦୨୨ ରୁ ସେପ୍ଟେମ୍ବର ୨୦୨୫ ମଧ୍ୟରେ ଟେଲିସ୍ ଭର୍ଜିନିଆର ଫେୟାରଫ୍ୟାକ୍ସରେ ଥିବା ରେଷ୍ଟୁରାଣ୍ଟରେ ଚୀନ୍ ସରକାରୀ ଅଧିକାରୀଙ୍କ ସହ ଅନେକ ଗୁପ୍ତ ବୈଠକ କରିଥିଲେ। ଏହି ବୈଠକଗୁଡ଼ିକରେ ଇରାନ-ଚୀନ୍ ସମ୍ପର୍କ, କୃତ୍ରିମ ବୁଦ୍ଧିମତ୍ତା ଏବଂ ଆମେରିକା-ପାକିସ୍ତାନ ନୀତି ବିଷୟରେ ଆଲୋଚନା ହୋଇଥିଲା। ସେପ୍ଟେମ୍ବର ୨୦୨୫ ବୈଠକ ସମୟରେ ଟେଲିସ୍ ଚୀନ୍ ଅଧିକାରୀଙ୍କଠାରୁ ଏକ ଲାଲ ଉପହାର ବ୍ୟାଗ ମଧ୍ୟ ପାଇଥିଲେ। ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ୬୪ ବର୍ଷୀୟ ଆଶଲେ ଟେଲିସ୍ ସେଣ୍ଟ ଜାଭିୟର୍ସ କଲେଜ ଏବଂ ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ଏବଂ ଚିକାଗୋ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପିଏଚଡି ଡିଗ୍ରୀ ହାସଲ କରିଥିଲେ। ସେ ଆମେରିକା-ଭାରତ ବେସାମରିକ ପରମାଣୁ ଚୁକ୍ତିର ପ୍ରମୁଖ ଆଲୋଚନାକାରୀଙ୍କ ମଧ୍ୟରୁ ଜଣେ ଥିଲେ।