ଆଇସିଜେରେ ଭାରତର ବିଜୟ ପଛର ମୁଖ୍ୟ ନାୟକ ହରିଶ ସାଲଭେ ! ଦିନକୁ ୩୦ ଲକ୍ଷ ଫିସ ନେଉଥିବା ସାଲଭେ କୁଲଭୂଷଣଙ୍କ ମାମଲା ଲଢ଼ିଛନ୍ତି ମାତ୍ର ୧ ଟଙ୍କାରେ
ନୂଆଦିଲ୍ଲୀ: ପାକିସ୍ତାନରେ ବନ୍ଦୀ ଜୀବନ କାଟୁଥିବା ଭାରତୀୟ ନାଗରିକ କୁଳଭୂଷଣଙ୍କୁ ଫାଶୀ ଦେଇ ପାରିବନି ପାକିସ୍ତାନ । ଅନ୍ତର୍ଜାତୀୟ କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଭାରତକୁ ମିଳିଛି ବଡ଼ କୁଟନୈତିକ ବିଜୟ ଏବଂ ଅନ୍ତର୍ଜାତୀୟ ଫୋରମରେ ପୁଣିଥରେ ପଦାରେ ପଡିଛି ପାକିସ୍ତାନ ଷଡଯନ୍ତ୍ର । ପ୍ରଥମେ ଫାଶୀ ଦଣ୍ଡକୁ ସ୍ଥଗିତ ରଖିବା ପରେ ଆଜି ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି ଆଇସିଜେ । ରାୟର ପୁର୍ନବିଚାର କରିବାକୁ ପାକିସ୍ତାନକୁ କହିଛନ୍ତି ଅଦାଲତ । ରାୟର ପୁନଃବିଚାର ନ ହେବା ପର୍ଯ୍ୟନ୍ତ କୁଳଭୂଷଣଙ୍କୁ ଫାଶୀ ଦିଆଯାଇପାରିବ ନାହିଁ କହିଛନ୍ତି ଆଇସିଜେ । ଆଇନଗତ ସହାୟତା ଓ ଦୂତାବାସ ସହ ଯୋଗାଯୋଗର ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅନ୍ତର୍ଜାତୀୟ ଅଦାଲତ ।

ଆଇସିଜେର ୧୬ ଜଣ ବିଚାରପତିଙ୍କ ମଧ୍ୟରୁ ୧୫ ଜଣ ଭାରତ ସପକ୍ଷରେ ଯାଇଥିବା ବେଳେ ଜଣେ ବିଚାରପତି କେବଳ ପାକିସ୍ତାନ ସପକ୍ଷରେ ଯୁକ୍ତି ବାଢିଥିଲେ । ତେବେ ଅନ୍ତର୍ଜାତୀୟ କୋର୍ଟରେ ଭାରତର ଏହି ବିଜୟ ପଛର ମୁଖ୍ୟ ନାୟକ ସାଜିଛନ୍ତି ବରିଷ୍ଠ ଓକିଲ ହରିଶ ସାଲଭେ । ଅନ୍ତର୍ଜାତୀୟ କୋର୍ଟରେ ନିଜର ଶାଣିତ ଯୁକ୍ତି ବଳରେ ପାକିସ୍ତାନକୁ ଆଇନ ଯୁଦ୍ଧରେ ଦେଶର ସବୁଠୁ ଦାମୀ ଓକିଲ ହରିଶ ସାଲଭେ କୁଳଭୂଷଣଙ୍କ ମାମଲା ଲଢିବା ପାଇଁ ମାତ୍ର ଏକ ଟଙ୍କା ଫିସ୍ ନେଇଥିଲେ । ଆଉ ଏକଥା ଖୋଦ୍ ପୂର୍ବତନ ବୈଦଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ୱିଟ୍ କରି ସୂଚନା ଦେବା ସହ ହରିଶଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
Not fair. #HarishSalve has charged us Rs.1/- as his fee for this case. https://t.co/Eyl3vQScrs
— Sushma Swaraj (@SushmaSwaraj) May 15, 2017
ହରିଶ ସାଲଭେ ଭାରତର ଅଧିକ ପାରିଶ୍ରମିକ ନେଉଥିବା ଓକିଲଙ୍କ ମଧ୍ୟରୁ ଅନ୍ୟତମ । ଗୋଟିଏ ଦିନ ପାଇଁ ହରିଶ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ନେଇଥାନ୍ତି । କିନ୍ତୁ କୁଳଭୂଷଣଙ୍କ କ୍ଷେତ୍ରରେ ମାତ୍ର ୧ ଟଙ୍କାରେ ପୂରା ମାମଲା ଲଢିଛନ୍ତି ହରିଶ । ଯେତେବେଳେ କି ପାକିସ୍ତାନ ଏହି ମାମଲାରେ ଲଢିବା ପାଇଁ ଓକିଲଙ୍କ ବାବଦକୁ ପ୍ରାୟ ୭ କୋଟି ଟଙ୍କା ଖର୍ଚ୍ଚ କରିଛି । କିନ୍ତୁ ହରିଶଙ୍କ ୧ ଟଙ୍କାର ଯୁକ୍ତି ଆଗରେ ଫିକା ପଡିଥିଲା ପାକିସ୍ତାନ ଓକିଲଙ୍କ ୭ କୋଟି ଟଙ୍କାର ଯୁକ୍ତି । ଆଉ ଏହାସହ ୧୩୦ କୋଟି ଭାରତୀୟଙ୍କର ବିଜୟ ହୋଇଥିଲା ।