ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ଟିକା ରପ୍ତାନି ବିଳମ୍ବିତ କରିବ ସେରମ୍ ଇନଷ୍ଟିଚ୍ୟୁଟ୍

ପୁଣେ : ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ କେତେକ ଦେଶକୁ କୋଭିସିଲଡ୍ ଟିକା ରପ୍ତାନି ବିଳମ୍ବିତ କରିବ ସେରମ ଇନଷ୍ଟିଚ୍ୟୁଟ୍ । ଏସବୁ ଦେଶମାନଙ୍କ ମଧ୍ୟରେ ରହିଛନ୍ତି ବ୍ରାଜିଲ, ମରୋକ୍କୋ ଓ ସାଉଦି ଆରବ ।

ମୁଖ୍ୟତଃ ଦୁଇଟି କାରଣରୁ ଟିକା ରପ୍ତାନି ବିଳମ୍ବିତ କରିବାକୁ କମ୍ପାନି ନିଷ୍ପତ୍ତି ନେଇଛି । ପ୍ରଥମଟି ହେଲା ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ଟିକା ଚାହିଦା ବୃଦ୍ଧି ପାଇଛି । ଦ୍ବିତୀୟ କାରଣଟି ହେଉଛି, କମ୍ପାନି ନିଜର କ୍ଷମତା ସଂପ୍ରସାରଣ ପାଇଁ ନିର୍ମାଣ କାର୍ଯ୍ୟ ଜାରି ରଖିଛି ।

ଭାରତରେ ଗତ କିଛି ଦିନ ହେଲା ପୁଣି କରୋନା ସଂକ୍ରମଣ ଚିନ୍ତାଜନକଭାବେ ବୃଦ୍ଧି ପାଇଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ୪୩,୮୪୬ ଟି ନୂଆ କରୋନା ମାମଲା ଦେଖାଦେଇଛି । ଭାରତରେ ପୁଣି ଗତ ବର୍ଷ ପରି କରୋନା ସଂକ୍ରମଣ ବଢିଚାଲିଥିବାବେଳେ ବିଦେଶକୁ ଟିକା ରପ୍ତାନିକୁ ନେଇ କେତେକ ମହଲରେ ପ୍ରଶ୍ନ ଉଠିଥିଲା । ଏପରିକି ଦିଲ୍ଲୀ ହାଇକୋର୍ଟ ମଧ୍ୟ ଏ ନେଇ ପ୍ରଶ୍ନ ଉଠାଇଥିଲେ ।

ସୂଚନାଯୋଗ୍ୟ ଯେ ପୁଣେ ସ୍ଥିତି ସେରମ ଇନଷ୍ଟିଚ୍ୟୁଟ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକାକୁ ଭାରତରେ କୋଭିସିଲଡ ନାମରେ ଉତ୍ପାଦନ କରୁଛି ।

 

ସମ୍ବନ୍ଧିତ ଖବର