କୁହାଯାଏ ସେବା ହେଉଛି ନାରୀମାନଙ୍କର ବଳ। ଏହାରି ଭିତରଦେଇ ସେମାନେ ସମଗ୍ର ପରିବାରଟାକୁ ନିଜର ବଶୀଭୂତ କରିପାରନ୍ତି। ବେଳେ ବେଳେ କିଏ କେତେ ପ୍ରକାର କଥା କହିଲେ ମଧ୍ୟ ତାଙ୍କ ବିନା ସଂସାର ଚଳେନା। ଗୋଟିଏ ଦିନ ବି ବାପଘରକୁ ଗଲେ ଡାକରା ପଡ଼େ। ଏଣୁ ନାରୀକୁ ବିବାହ ପରେ କାହାରି ଗଳଗ୍ରହ ହୋଇ ବା କାହାରି ଉପରେ ନିର୍ଭର କରି ଚଳିବାକୁ ହୁଏନା। ବରଂ ତାଙ୍କ ଉପରେ ସମସ୍ତେ ନିର୍ଭର କରନ୍ତି। ବଧୂ ସମସ୍ତ ଗୃହକର୍ମ କରୁଥିଲେ ମଧ୍ୟ ଦାସୀ ପରି ଚଳେନା ବା ସେପରି ଭାବନା ମନକୁ ଆଣେନା। ବରଂ ଚଳେ ସଂରାଜ୍ଞୀ ପରି। ବିବାହ ସମୟରେ ପୁରୋହିତ ମନ୍ତ୍ର ଉଚ୍ଚାରଣ କରନ୍ତି- ‘ଶ୍ୱଶୁରେ ସଂରାଜ୍ଞୀ ଭବ... ସଂରାଜ୍ଞୀ ଚ ନନାନ୍ଦରି...’ -ଅର୍ଥାତ୍ ଏହି ମନ୍ତ୍ରରେ କନ୍ୟାକୁ ଶ୍ୱଶୁରଗୃହରେ ସଂରାଜ୍ଞୀ ହେବାକୁ ଆଶୀର୍ବାଦ କରାଯାଇଛି। ସଂରାଜ୍ଞୀ ହେବା ଅର୍ଥ ସେବାପରିଚର୍ଯ୍ୟାଦ୍ୱାରା ସମସ୍ତଙ୍କର ହୃଦୟ ଜୟକରିବା। ଆଜିକାଲି କେତେକ ଗୃହବଧୂ କେତେକ କ୍ଷେତ୍ରରେ କହିବାର ଶୁଣାଯାଉଛି- ମୁଁ କ’ଣ ତୁମର ଦାସୀ ହୋଇଛି, ନା ମୋତେ ତୁମେ ଦରମା ଦେଇ ରଖିଛ, ଏତେ କାମ ମୁଁ କରିବି କାହିଁକି? ମୋର କ’ଣ କିଛି ସ୍ବାଧୀନତା ନାହିଁ? ଆଜିକାଲି ଖୁବ୍ ନାରୀ-ସ୍ବାଧୀନତାର କଥା ବି ଶୁଣାଯାଉଛି। କିନ୍ତୁ ପ୍ରେମରେ ଅଧୀନତାହିଁ ମୁକ୍ତି।
ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ଭାଷାରେ- ‘‘ତୁମେ ଯଦି ତୁମର ସ୍ବାମୀଙ୍କୁ ପ୍ରକୃତରେ ଭଲପାଇଥାଅ- ତେବେ ତାଙ୍କର ଅଭାବ ତୁମକୁ ଅବଶ ଓ ତୁମର ପ୍ରାଣକୁ ସ୍ପନ୍ଦନହୀନ କରିତୋଳିବ, ତେଣୁ ସେ ତୁମ ନିକଟରେ ପ୍ରାଣତୁଲ୍ୟ; ତାଙ୍କର ଅଧୀନତାହିଁ ତୁମର ମୁକ୍ତି ଓ ତୃପ୍ତି ବୋଲି ମନେହେବ; ତେଣୁ, ପ୍ରେମ ଯାହାକୁ ଅଧୀନ କରିତୋଳିଛି, ମୁକ୍ତି-ପ୍ରଶ୍ନ ସେଠାରୁ ଚିରଦିନ ପାଇଁ ବିଦାୟ ନେଇଛି- ଏହା ସ୍ଥିର ଜାଣିବ।’’ (ନାରୀର ନୀତି-୧୦୩)
ଆଜିକାଲି ବଡ଼ ପରିବାର ଦେଖିଲେ ବାପାମାଆମାନେ କନ୍ୟା ବିଭା ଦେବାକୁ ରାଜି ହେଉନାହାନ୍ତି। ବଡ଼ ପରିବାରରେ ଝମେଲା ବେଶୀ। ବହୁ ଲୋକଙ୍କର ମନ ନେଇ ଚଳିବାକୁ ହୁଏ। ବେଶୀ ଖଟଣି ପଡ଼େ। ଝିଅ କିପରି ଶାଶୁଘରକୁ ଯାଇ କାହାରି କିଛି ସେବା ନ କରି ଅୟସ କରିପାରିବ ବାପାମାଆ ସେଥିପ୍ରତି ଦୃଷ୍ଟି ଦେଉଛନ୍ତି। ଏପରି କି ରୋଷେଇ କରିବାକୁ ନ ପଡ଼ିଲେ ବି ଆହୁରି ଭଲ। କେତେ କଷ୍ଟ ସହ୍ୟ କଲେ ସିନା ସଂସାରର ସଂରାଜ୍ଞୀ ହେବ। ତେଣୁ ଆଜିର ନାରୀ କଷ୍ଟ କରିବାକୁ ଡରିଲେ, ସେବା ପ୍ରତି ବିମୁଖ ହେଲେ କିପରି ସଂସାରର ମଉଡ଼ମଣି ହୋଇପାରିବ?
ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ଭାଷାରେ- ‘‘ତୁମେ ଯଦି ତୁମର ସ୍ବାମୀଙ୍କୁ ପ୍ରକୃତରେ ଭଲପାଇଥାଅ- ତେବେ ତାଙ୍କର ଅଭାବ ତୁମକୁ ଅବଶ ଓ ତୁମର ପ୍ରାଣକୁ ସ୍ପନ୍ଦନହୀନ କରିତୋଳିବ, ତେଣୁ ସେ ତୁମ ନିକଟରେ ପ୍ରାଣତୁଲ୍ୟ; ତାଙ୍କର ଅଧୀନତାହିଁ ତୁମର ମୁକ୍ତି ଓ ତୃପ୍ତି ବୋଲି ମନେହେବ; ତେଣୁ, ପ୍ରେମ ଯାହାକୁ ଅଧୀନ କରିତୋଳିଛି, ମୁକ୍ତି-ପ୍ରଶ୍ନ ସେଠାରୁ ଚିରଦିନ ପାଇଁ ବିଦାୟ ନେଇଛି- ଏହା ସ୍ଥିର ଜାଣିବ।’’ (ନାରୀର ନୀତି-୧୦୩)
ଆଜି ନାରୀମାନଙ୍କୁ କେତେ ନିର୍ଯାତନା ଦିଆଯାଉଥିବା କଥା ଖବରକାଗଜରେ ପ୍ରକାଶ ପାଉଛି। ମାଲିମକଦ୍ଦମା ହେଉଛି। ଛାଡ଼ପତ୍ର ଦିଆନିଆ ହୋଇଯାଉଛି। ଦୁଇ ପରିବାର ଉଜୁଡ଼ିଯାଉଛି। ଦୋଷ ତ କାହାର ବି ହୋଇପାରେ। ମାତ୍ର ନାରୀ ଯଦି ‘ନାରୀର ଆଦର୍ଶ’ ଅନୁସରଣ କରେ, ସେବାପରାୟଣା ହୁଏ, ସହ୍ୟ ଓ ଧୈର୍ଯ୍ୟର ଅଧିକାରିଣୀ ହୁଏ, ତେବେ ଏପରି ବିପର୍ଯ୍ୟୟ କଦାପି ଘଟିବ ନାହିଁ। ଝିଅମାନେ କ୍ଷମାଶୀଳା ନ ହେଲେ ସୁଖ ସେମାନଙ୍କ ଜୀବନରୁ ଦୂରେଇ ଯାଏ। ଧୈର୍ଯ୍ୟ, ସହ୍ୟ, କ୍ଷମା ନାରୀର ଭୂଷଣ। ଯେଉଁ ନାରୀ ମୁଖରା, ଧୈର୍ଯ୍ୟ, ସହ୍ୟହୀନା, ଗୁରୁଜନଙ୍କ କଥାର ତୁରନ୍ତ ଜବାବ ଦିଅନ୍ତି ସେମାନେ ସଂସାରର କଳଙ୍କ। ସେମାନେ ନିଜେ ବି ସୁଖୀ ହୁଅନ୍ତି ନି, ଅନ୍ୟମାନଙ୍କୁ ବି ସୁଖ ଦେଇପାରନ୍ତିନି। ସେମାନଙ୍କ ଭାଗ୍ୟରେ କେବେହେଲେ ଯଶ ଓ ଜୟ ଜୁଟେନା। ସଂସାରରେ କଠୋର ପରୀକ୍ଷାର ଭିତରଦେଇ ସେବା ମାଧ୍ୟମରେ ହୁଏ ନାରୀର ପୂର୍ଣ୍ଣତା ପ୍ରାପ୍ତି। ପ୍ରକୃତ ନାରୀଜୀବନ, ନାରୀ ଶିକ୍ଷା ଓ ନାରୀ ପ୍ରଗତି ପ୍ରଭୃତି ଆମେ ଏହାରି ଭିତରୁ ଖୋଜିପାଇବା। ଏହାଛଡା ନାରୀର ନାରୀତ୍ୱ ଆଉ କେଉଁଠି ଅଛି? ବର୍ତ୍ତମାନର ନାରୀଶିକ୍ଷା, ନାରୀ ସ୍ବାଧୀନତା, ନାରୀ ସଶକ୍ତୀକରଣ ଓ ନାରୀ ପ୍ରଗତି ଭିନ୍ନ ଦିଗରେ ଗତି କରୁଛି। ଅତୀତର ସାମାଜିକ ପରମ୍ପରା ଓ ସଂସ୍କାର ଭାଙ୍ଗି ଚୂରମାର ହେବାକୁ ଯାଉଛି। ସବୁଠି ଶୁଭୁଚି ନାରୀ ସ୍ବାଧୀନତାର ଡାକରା। ନାରୀ ଯେଉଁ ଗୃହର ଗୃହିଣୀ ବା ମୁଖ୍ୟା ବା ମାଲିକାଣୀ ସେ ପୁଣି ପରାଧୀନା ହେବ କେମିତି? ଆଜିକାର ବିଗୁଡ଼ୁଥିବା ସମାଜର ପରିଶୋଧନ ପାଇଁ ଆମ ମାନସିକତାରେ ପରିବର୍ତ୍ତନ ଲୋଡ଼ା। ତେବେ କେବଳ ନାରୀକୁ ତା’ର କର୍ତ୍ତବ୍ୟ ବିଷୟରେ ସଚେତନ ନ କରି ସ୍ବାମୀ ଓ ପରିବାରର ଅନ୍ୟ ସଦସ୍ୟ ବି ନିଜ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହେବା ଉଚିତ। ସମସ୍ତେ ନିଜ କର୍ତ୍ତବ୍ୟ ପାଳନ କଲେ ଓ ପରସ୍ପର ପ୍ରତି ସ୍ନେହ ଓ ଭଲପାଇବା ରହିଲେ ଗୃହ ବୈକୁଣ୍ଠ ସମାନ ହୋଇପାରିବ।
-ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା, ମୋ-୭୦୦୮୯୬୦୫୦୨