ନୂଆଦିଲ୍ଲୀ: ହେମା କମିଟି ରିପୋର୍ଟ ଆସିବା ପରେ ମଲୟାଲମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ କଳାକାର ଏବଂ ନିର୍ଦ୍ଦେଶକଙ୍କ ଉପରେ ଯୌନ ନିର୍ଯାତନାର ଅଭିଯୋଗ ଲାଗିଛି। ଏହାପୂର୍ବରୁ ଅଭିନେତା ସିଦ୍ଦିକି ଏବଂ ନିର୍ଦ୍ଦେଶକ ରଣଜିତଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଲାଗିଥିଲା। ଏହା ପରେ ସିଦ୍ଦିକି ଆସୋସିଏସନ ଅଫ୍ ମଲୟାଲମ ମୁଭି ଇଣ୍ଡଷ୍ଟ୍ରି (ଏଏମଏମଏ)ରୁ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ମୋହନଲାଲ ଏଏମଏମଏର ସଭାପତି ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି।

Advertisment

ମୋହନଲାଲଙ୍କ ସହ କମିଟିର ଅନ୍ୟ ସଦସ୍ୟମାନେ ମଧ୍ୟ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସବୁ ସଦସ୍ୟଙ୍କ ଇସ୍ତଫା ପରେ ଏବେ କମିଟି ଭାଙ୍ଗିଥିବା ନେଇ ସୂଚନା ମିଳିଛି। ଏଏମଏମଏ ଏକ ବିବୃତି ଜାରି କରି କହିଛି ଯେ, କମିଟିର କିଛି ସଦସ୍ୟଙ୍କ ବିରୋଧରେ ଲାଗିଥିବା ଯୌନ ନିର୍ଯାତନାର ଅଭିଯୋଗକୁ ଦୃଷ୍ଟିରେ ରଖି ଏଏମଏମଏ, କମିଟିକୁ ନୈତିକତା ଆଧାରରେ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛି। ଦୁଇ ମାସ ମଧ୍ୟରେ ନିର୍ବାଚନ ହେବା ପରେ ଏକ ନୂତନ କମିଟି ଗଠନ କରାଯିବ`"

କୁହାଯାଉଛି ଯେ, ହେମା କମିଟି ରିପୋର୍ଟରେ ଏଏମଏମଏର ସଦସ୍ୟଙ୍କ ବିରୋଧରେ ଆରୋପ ଲାଗିଥିବା ଜାଣି ବି ମୋହନଲାଲ କିଛି ପ୍ରତିକ୍ରିୟା ରଖିନଥିଲେ। ଏନେଇ ତାଙ୍କୁ ସମାଲୋଚନା କରିଥିଲେ ଅଭିନେତା ଶମ୍ମି ଥିଲାକନ। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଥିଲେ ଯେ ମୋହନଲାଲ ପ୍ରତିକ୍ରିୟା ଦେବାର ଦକ୍ଷତା ହରାଇଛନ୍ତି।

ଏଭଳି ସମାଲୋଚନାର ଶିକାର ହେବା ପରେ ମୋହନଲାଲ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏହାପୂର୍ବରୁ ନିର୍ଦ୍ଦେଶକ ରଣଜିତ୍, କେରଳ ଚଳଚ୍ଚିତ୍ର ଏକାଡେମୀର ସଭାପତି ପଦ ଛାଡିଥିଲେ। ଜଣେ ବଙ୍ଗୀୟ ଅଭିନେତ୍ରୀ ତାଙ୍କ ଉପରେ ଅସଦାଚରଣର ଅଭିଯୋଗ କରିବାରୁ ସେ ପଦ ଛାଡ଼ିଥିବା ସାମ୍ନାକୁ ଆସିଥିଲା। ଅନ୍ୟପକ୍ଷରେ ସିଦ୍ଦିକି ଏଏମଏମଏର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ। ଜଣେ ଅଭିନେତ୍ରୀ ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ। ଏହା ପରେ ସିଦ୍ଦିକି ଏହି ପଦ ଛାଡିବାକୁ ନିଷ୍ପତ୍ତି ନେଇଥିଲେ।

ଅଧିକ ପଢ଼ନ୍ତୁ- https://sambad.in/latest/auto-driver-rapes-nursing-student-on-way-home-in-ratnagiri-6929743

ଅଧିକ ପଢ଼ନ୍ତୁ- https://sambad.in/india-and-beyond/former-miltants-to-fight-election-in-jk-6930119