ନୂଆଦିଲ୍ଲୀ: ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ସମୟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ ମନ୍ତବ୍ୟ ଦେଇଥିଲେ ଯାହା ହଟ୍ଟଗୋଳ ସୃଷ୍ଟି କରିଥିଲା। କଂଗ୍ରେସ ସାଂସଦ ଚୀନ୍ ଓ ଡୋକଲାମକୁ ନେଇ ପୂର୍ବତନ ସେନା ମୁଖ୍ୟ ମନୋଜ ନରଭାଣେଙ୍କ ନାମ ନେଇଥିଲେ। ସେ ଗୃହରେ ଦାବି କରିଥିଲେ ଯେ, ନରଭାଣେଙ୍କ ପୁସ୍ତକରେ ଉଲ୍ଲେଖ ଅଛି, ଡୋକଲାମରେ ଭାରତୀୟ ସୀମା ନିକଟରେ ଚୀନ୍ ସେନାର ଟ୍ୟାଙ୍କ ଅଛି।

Advertisment

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପୁସ୍ତକ ଉପରେ ଆପତ୍ତି ଉଠାଇଥିଲେ। ସେ କହିଥିଲେ,ଏକ ପ୍ରକାଶିତ ପତ୍ରିକା କାହାଣୀକୁ ନେଇ ଏପରି କହିବା ଗୃହର ନିୟମକୁ ଉଲ୍ଲଂଘନ କରୁଛି। ରାହୁଲ ପ୍ରତିକ୍ରିୟା ଦେଇ କହିଥିଲେ, ତାଙ୍କ ଉତ୍ସ ନିର୍ଭରଯୋଗ୍ୟ ଓ ପୂର୍ବତନ ସେନା ମୁଖ୍ୟ ଜେନେରାଲ ମନୋଜ ନରଭାଣେଙ୍କ ଅପ୍ରକାଶିତ ସ୍ମୃତିରୁ ଅଣାଯାଇଛି।

ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ରାହୁଲ ଗାନ୍ଧୀଙ୍କ ଦାବି ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ, କଂଗ୍ରେସ ସାଂସଦ ଯାହା କହିଛନ୍ତି ତାହା ସତ୍ୟ ନୁହେଁ। ରାହୁଲ ଗାନ୍ଧୀ ନିଜେ କହିଛନ୍ତି ଯେ , ପୁସ୍ତକ ପ୍ରକାଶିତ ହୋଇନାହିଁ। ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ସମାନ କଥା କହିଛନ୍ତି, ଆମେ କିପରି ଏକ ପୁସ୍ତକର ଉଦ୍ଧୃତିର ଉଦାହରଣ ଦେଇପାରିବୁ ଯାହା ପ୍ରକାଶିତ ହୋଇନାହିଁ ବୋଲି ସେ ପ୍ରଶ୍ନ କରିଥିଲେ।