ରାଷ୍ଟ୍ରପତି ପଦ ଦୌଡ଼ରେ ଶରଦ ପାୱାର ! ବିରୋଧୀଙ୍କ ପକ୍ଷରୁ ପ୍ରାର୍ଥୀ ହେବା ନେଇ ଜୋର ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀ ଦଳମାନଙ୍କର ଘନଘନ ବୈଠକ ଚାଲିଛି। ପ୍ରାର୍ଥୀ ଖୋଜିବା ପ୍ରକ୍ରିୟା ଏବେ ତୀବ୍ର ହେଉଥିବା ଦେଖିବାକୁ ମିଳିଛି । ତେବେ ଏହି ସବୁ ବୈଠକରେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଶରଦ ପାୱାରଙ୍କ ନାଁ ସାମ୍ନାକୁ ଆସୁଛି।  ଏହି ନିର୍ବାଚନରେ ବିରୋଧୀ ଦଳମାନଙ୍କର ସର୍ବସମ୍ମତ ପ୍ରାର୍ଥୀ ଭାବରେ ତାଙ୍କୁ  ଚୟନ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି।

ରାଷ୍ଟ୍ରପତି ପଦ ପାଇଁ କଂଗ୍ରେସ ଶରଦ ପାୱାରଙ୍କୁ ସମର୍ଥନ ଜଣାଇଛି । କଂଗ୍ରେସ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ କହିବା ଅନୁସାରେ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ ଗତ ଗୁରୁବାର ଦିନ ଶରଦ ପାୱାରଙ୍କୁ ଭେଟିଥିଲେ। ମୁମ୍ବାଇରେ ଦୁହିଁଙ୍କ ମଧ୍ୟରେ ସାକ୍ଷାତ-ଆଲୋଚନା ହୋଇଥିଲା । ସେପଟେ ରବିବାର ଦିନ ଆପ୍ ନେତା ସଞ୍ଜୟ ସିଂ ଶରଦ ପାୱାରଙ୍କୁ କଲ କରିଥିବା କଥା ଜଣାପଡିଛି । ଅନ୍ୟପଟେ ଏ ସମ୍ପର୍କରେ ଖାର୍ଗେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ସହ ମଧ୍ୟ କଥା ହୋଇଛନ୍ତି।

ରାଷ୍ଟ୍ରପତି ନିର୍ବାଚନ ସଂକ୍ରାନ୍ତରେ ଆଲୋଚନା କରିବା ପାଇଁ ବୁଧବାର ଦିନ ଦିଲ୍ଲୀର କନଷ୍ଟିଟ୍ୟୁସନ୍ କ୍ଲବରେ କଂଗ୍ରେସ ନେତା ଏକ ବୈଠକ ଡାକିଛନ୍ତି। ଏହାସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମଧ୍ୟ ଫୋନରେ କଥା ହୋଇଛନ୍ତି । ଭାରତର ପରବର୍ତ୍ତୀ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ୧୮ ଜୁଲାଇରେ ଅନୁଷ୍ଠିତ ହେବ ଏବଂ ଆବଶ୍ୟକ ସ୍ଥଳେ ତିନି ଦିନ ପରେ ଭୋଟ୍ ଗଣନା କରାଯିବ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେବ।

ଭାରତର ଜଣେ ଜଣାଶୁଣା ବରିଷ୍ଠ ରାଜନେତା ଭାବେ ଶରଦ ପାୱାର ଖୁବ୍ ଲୋକପ୍ରିୟ । ସେ ଅନେକ ମିଳିତ ମଞ୍ଚ ଏବଂ ମିଳିତ ସରକାର ଗଠନ ଏବଂ ଭାଙ୍ଗିବାରେ ତାଙ୍କର ଭୂମିକା ସ୍ବତନ୍ତ୍ର। ମହାରାଷ୍ଟ୍ରରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ସେ ଶିବସେନା, ଏନସିପି ଏବଂ କଂଗ୍ରେସକୁ ଏକାଠି କରି ଶାସକ ମେଣ୍ଟ ଗଠନ କରିଥିଲେ। ବିଜେପି ମୁଖ୍ୟ ଜେପି ନଡଡା ଏବଂ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂଙ୍କୁ ସମସ୍ତ ଦଳ ସହ ଆଲୋଚନା କରିବାକୁ ଏବଂ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଏକ ସହମତି ଆଣିବାକୁ ଅନୁମତି ଦେଇଛି । ଅନେକ ନାମକୁ ନେଇ କଳ୍ପନାଜଳ୍ପନା କରାଯାଉଛି, ହେଲେ ବିଜେପି କାହାକୁ ପ୍ରାର୍ଥୀ କରିବ ତାହା  ଏଯାଏ ନିଶ୍ଚିତ ହୋଇନାହିଁ ।

ସମ୍ବନ୍ଧିତ ଖବର