ଶୀତଳଷଷ୍ଠୀ ପାଇଁ ଉତ୍ସବମୁଖର ସମ୍ବଲପୁର, ବରବେଶରେ ମହାଦେବ

ସମ୍ବଲପୁର: ପବିତ୍ର ଶୀତଳଷଷ୍ଠୀ ଯାତ୍ରା ପାଇଁ ସଂସ୍କୃତିର ସହର ସମ୍ବଲପୁର ଉତ୍ସବମୁଖର ହୋଇ ଉଠିଛି। ଜଗତଜନନୀ ମାତା ପାର୍ବତୀଙ୍କୁ ବିବାହ କରିବା ପାଇଁ ଦେବଦେବ ମହାଦେବ ବରଯାତ୍ରୀଙ୍କ ସହ ଶୋଭାଯାତ୍ରାରେ ବାହାରିଛନ୍ତି। ବରବେଶୀ ମହାଦେବଙ୍କ ଦର୍ଶନ ପାଇଁ ସହରର ସମସ୍ତ ରାସ୍ତାଘାଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ମହାଦେବଙ୍କ ବରଯାତ୍ରୀ ଶୋଭାଯାତ୍ରାରେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ତାଙ୍କର ପତ୍ନୀ ଅରୁନ୍ଧତୀ ଦେବୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ, ରେଙ୍ଗାଲି ବିଧାୟକ ନାଉରୀ ନାଏକ ଯୋଗ ଦେଇଛନ୍ତି।

ନନ୍ଦପଡ଼ାର ବଂବରାଡ଼ ବାଲୁଂକେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବା, ବାଲିବନ୍ଧାର ସୋମନାଥ ବାବା, ବଡ଼ବଜାରର ଶୀତଳେଶ୍ୱର ବାବା ଏବଂ ଠାକୁରପଡ଼ାର ଗୁପ୍ତେଶ୍ୱର ବାବା ନିଜ ନିଜ ମନ୍ଦିରରୁ ବରବେଶରେ ବାହାରି କନ୍ୟାଳୟକୁ ଯାତ୍ରା କରିଛନ୍ତି। ତାଙ୍କ ସହ ବରଯାତ୍ରୀଭାବେ ହଜାର ହଜାର ଭକ୍ତ, ଭଳିକି ଭଳି ନୃତ୍ୟ, ଗୀତ, ବାଦ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଶୋଭାଯାତ୍ରା ବାହାରିଛି। ମଧ୍ୟରାତ୍ରୀରେ ମହାଦେବ କନ୍ୟାଳୟରେ ପହଞ୍ଚିବା ପରେ ବିବାହ କର୍ମ ଆରମ୍ଭ ହୋଇଛି।

ଏହା ପୂର୍ବରୁ ସକାଳେ ବିଭିନ୍ନ ମନ୍ଦିରରେ ମହାଦେବ, ପାର୍ବତୀଙ୍କ ଗଂଠାଳ ଫିଟା ଓ ବିବାହ ସଂପର୍କିତ ବିଭିନ୍ନ ରୀତିନୀତି ପାଳିତ ହୋଇଥିଲା। ମାତା ପାର୍ବତୀଙ୍କ ତାଙ୍କର ପିତାମାତାମାନେ ନିଜ ଘରକୁ ନେଇଥିଲେ। ନନ୍ଦପଡ଼ାରେ ଦେବଦମ୍ପତିଙ୍କ ଗଂଠାଳ ଫିଟା, ପାଣି ପଲଟା, ଦଧିମାଛ ପିନ୍ଧାଣି, ହଳଦୀମଖା ଓ ରୁଦ୍ରାଭିଷେକ ଆଦି ବିଧି ପାଳିତ ହୋଇଥିଲା।

ସେହିପରି ଝାଡ଼ୁଆପଡ଼ାର ଲୋକନାଥ ବାବା ଓ ମାତା ପାର୍ବତୀଙ୍କ ଗଂଠାଳ ଫିଟା ବିଧି ପୂର୍ବ ବର୍ଷର ମାତାପିତାଙ୍କ ଘରେ ସମ୍ପନ୍ନ ହୋଇଥିଲା। ଶୁକ୍ରବାର ସକାଳେ ମୁଦିପଡ଼ାର ଜାଗେଶ୍ୱର ବାବା ଓ ମାତା ପାର୍ବତୀଙ୍କ ଗଂଠାଳ ଫିଟା ହୋଇଥିଲା। ଜାଗେଶ୍ୱର ବାବାଙ୍କ ଗଣସଣ, ପାଣିପାଲଟା ପରେ ତାଙ୍କୁ ତେଲ ହଳଦୀରେ ବନ୍ଦାଣ କରା ଯାଇଥିଲା। ଏହାପରେ ମହିଳାମାନଙ୍କ ମଧ୍ୟରେ ହଳଦୀ ଖେଳ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର