ଚନ୍ଦ୍ରଶେଖରପୁର: ଐତିହ୍ୟ ସମ୍ପନ୍ନ ଶିଖରଚଣ୍ଡୀ ମନ୍ଦିର ସଂଲଗ୍ନ ପାହାଡ଼ରେ ନିର୍ମାଣଧୀନ ପାନୀୟ ଜଳ ପ୍ରକଳ୍ପକୁ ନେଇ ପୁଣିଥରେ ବିବାଦ ମୁଣ୍ଡ ଟେକିଛି। ରାସ୍ତା ପାର୍ଶ୍ବରେ ପାଣି ପାଇପ୍ ବିଛାଇବାକୁ ମାସ ମାସ ଧରି ଖୋଳାତଡ଼ା ଚାଲିଥିବା ବେଳେ ଏବେ ପାହାଡ଼ ତଳେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ୱାଟକୋ ପକ୍ଷରୁ କରାଯାଉଥିବା ଏହି ପ୍ରକଳ୍ପ ଯେଉଁଭଳି ଭାବେ ନିର୍ମାଣ ହେଉଛି ତାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ସ୍ବର ଉଠାଇଛନ୍ତି। ବିଶେଷକରି ପାହାଡ଼ ତଳେ ଥିବା ଏକ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ଏବେ ବିପଦ ସୃଷ୍ଟି ହୋଇଛି। ସ୍କୁଲ ପାଚେରିକୁ ଲାଗି ବିଶାଳ ପାଇପ୍ ଜମା ହୋଇ ରହିଛି। ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ କଟାଯାଉଥିବା ପଥର ଖଣ୍ଡ ପାହାଡ଼ରୁ ଗଡ଼ି ବିଦ୍ୟାଳୟ ପାଚେରିରେ ମାଡ଼ ହେଉଛି। ରାତି ତ ରାତି, ଦିନରେ ମଧ୍ୟ ସାପ ସ୍କୁଲ ପରିସର ଏବଂ ରାସ୍ତା ଉପରେ ବୁଲିବାର ଦୃଶ୍ୟ ଏବେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇଛି। ଗୋଟିଏ ପଟେ ପ୍ରଶାସନ ଜୋରଜବରଦସ୍ତ ଏଠାରେ ପ୍ରକଳ୍ପ ନିର୍ମାଣ କରୁଥିବା ବେଳେ ଅନ୍ୟପଟେ ପିଲାଙ୍କ ସୁରକ୍ଷା ପ୍ରତି ଆଦୌ ଧ୍ୟାନ ନ ଦିଆଯିବା ଏବେ ଅନେକ ପ୍ରଶ୍ନବାଚୀସୃଷ୍ଟି କରିଛି।
ଏହି ପ୍ରକଳ୍ପ ଦ୍ବାରା ସ୍କୁଲର ଛାତ୍ରଛାତ୍ରୀଙ୍କ ପ୍ରତି ବିପଦ ସୃଷ୍ଟି ହୋଇଥିବାରୁ ଅଭିଭାବକମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ହସ୍ତକ୍ଷେପ ଲୋଡ଼ିଛନ୍ତି। ସେମାନେ ଦର୍ଶାଇଛନ୍ତି ଯେ ଏହି ପ୍ରକଳ୍ପ କାର୍ଯ୍ୟ ଦ୍ବାରା ସ୍କୁଲ ଛାତ୍ରଛାତ୍ରୀ ବହୁ ପରିମାଣରେ ପ୍ରଭାବିତ ହେଉଛନ୍ତି। ସ୍କୁଲ ନିକଟରେ ସିଙ୍ଗଲ୍ ରାସ୍ତା ହୋଇଥିବା ବେଳେ ବଡ଼ ବଡ଼ ପାଇପ୍ ରାସ୍ତାର ଦୁଇ ପାର୍ଶ୍ବରେ ଜମା ହୋଇ ରହିଥିବାରୁ ବିପଦ ସୃଷ୍ଟି ହୋଇଛି। ସ୍କୁଲ ସମୟରେ ଭାରିଯାନ ଚଳପ୍ରଚଳ କରିବା ପିଲାଙ୍କ ସୁରକ୍ଷା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ପ୍ରକଳ୍ପ ଦ୍ବାରା ଭୁବନେଶ୍ବରବାସୀ ଉପକୃତ ହୋଇପାରନ୍ତି ସତ, ହେଲେ ନିକଟ ଅତିତରେ କେରଳ, ଉତ୍ତରାଖଣ୍ଡ ସମେତ ଦେଶର ଅନ୍ୟାନ୍ୟ ପ୍ରାନ୍ତରେ ପାହାଡ଼ ଧସିବା ଭଳି ସମସ୍ୟା ଏଠାରେ ନ ହେବ ବୋଲି କେହି କହିପାରିବେ ନାହିଁ। ପାହାଡ଼ ଉପରେ ପ୍ରକଳ୍ପ କରାଯିବା ଦ୍ବାରା ସେଠାରେ ବସବାସ କରୁଥିବା ବନ୍ୟଜନ୍ତୁ ଏବେ ସ୍କୁଲମୁହାଁ ହୋଇଛନ୍ତି। ପାଠପଢ଼ା ସମୟରେ ମାଙ୍କଡ ଓ ସାପ ଶ୍ରେଣୀଗୃହ ନିକଟକୁ ଚାଲି ଆସୁଛନ୍ତି।
ବର୍ଷା ସମୟରେ ତ ପଥର ଖଣ୍ଡ ପାହାଡ଼ରୁ ଗଡ଼ି ବିଦ୍ୟାଳୟ ପାଚେରିରେ ମାଡ଼ ହେଉଛି। ତେଣୁ ୧୫୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ସେମାନେ ନିବେଦନ କରିଛନ୍ତି। ଉତ୍ତର ଭୁବନେଶ୍ବରବାସୀଙ୍କ ପାନୀୟ ଜଳ ସଙ୍କଟ ଦୂର ଲାଗି ନିର୍ମାଣ ହେଉଥିବା ଏହି ପ୍ରକଳ୍ପ ଆରମ୍ଭରୁ ବିବାଦରେ ରହିଥିଲା। ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବା ସହ ଏନ୍ଜିଟିର ଦ୍ବରସ୍ଥ ହେବା ପରେ ୪ଜଣିଆ କମିଟି ତଦନ୍ତ କରିଥିଲେ। ଏହାପରେ ସର୍ବନିମ୍ନ ୩ ଏକର ଜାଗାରେ ପାଣି ଟାଙ୍କି ନିର୍ମାଣ କରିବାକୁ ଅନୁମତି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/uTLA5COadBvYP0ZDl12l.jpg)