ଭଞ୍ଜନଗର: ଓପିଏସ୍‌ସି ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ବାଗ୍‌ଦେବୀ ରୋଡ ଆନନ୍ଦ ବିହାରର ଶିକିତା ଗୌଡ। ଭଞ୍ଜନଗର ବାସିନ୍ଦା ଶିକିତା ବର୍ତ୍ତମାନ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ ବାଣିଗୋଚ୍ଛାରେ ପ୍ରାଣୀ ଚିକିତ୍ସକ ଭାବେ କାର୍ଯ୍ୟରତ ରହିଛନ୍ତି। ସେ ୧୦୯ ନମ୍ବର ରୢାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ଏହି ଖବର ସେ ପାଇବା ପରେ ନିଜର ସାଥୀ କର୍ମଚାରୀ ଓ ସାଙ୍ଗସାଥୀ ପରିବାର ବନ୍ଧୁବର୍ଗଙ୍କ ପକ୍ଷରୁ ତାଙ୍କୁ ଶୁଭେଚ୍ଛାର ସୂଅ ଛୁଟୁଛି। ତାଙ୍କ ବାପା ଶରତ ଚନ୍ଦ୍ର ଗୌଡ ଭାରତୀୟ ସେନା ବାହିନୀରେ କାର୍ଯ୍ୟ କରୁଥିବା ବେଳେ ମାଆ ଭାଗ୍ୟଲତା ଗୌଡ ଜଣେ ଗୃହିଣୀ। ପିଲାଟି ଦିନରୁ ତିନି ଭଉଣୀ ମିଶି ପାଠ ପଢାକୁ ଗୁରୁତ୍ବ ଦେବା ସହ ସମସ୍ତେ ମେଧାବୀ ଛାତ୍ରୀ ରହିଥିଲେ। ପିଲା ଦିନେ ଭୁବନେଶ୍ବରରେ ରହୁଥିବା ବେଳେ ସେ ଚନ୍ଦ୍ରଶେଖରପୁର ସରକାରୀ ବିଦ୍ୟାଳୟରେ ସେ ଦଶମ ପର୍ଯ୍ୟନ୍ତ ପାଠ ପଢି ବିଜେବି କଲେଜରେ ଯୁକ୍ତଦୁଇ  ପାସ୍‌ କରି ଭେଟେନାରୀ ବିଭାଗରେ ଓୟୁ‌ଏଟିରେ ନିଜର ଗ୍ରାଜୁଏସନ୍‌ କରିଥିଲେ।
             ଏହି ସମୟରୁ ହିଁ ସେ ପ୍ରଶାସନିକ ସେବାରେ ଯୋଗ ଦେବା ପାଇଁ ମନସ୍ଥ କରି  ନିଜର ପାଠପଢା ସେ ଦିଗରେ ଆରମ୍ଭ କରିଥିଲେ। ଏଥି ନିମନ୍ତେ ସେ କୌଣସି କୋଚିଂ ନେଇ ନଥିବା ବେଳେ କିଛି ୟୁଟ୍ୟୁବ୍‌ରୁ ଶିକ୍ଷା ଗ୍ରହଣ ସହ ନ‌ିଜେ ପଢାବହିରୁ ଅଭ୍ୟାସ କରିଥିବା ପ୍ରକାଶ କରିଛନ୍ତି। ନିଜକୁ ଏଥିପାଇଁ ପ୍ରସ୍ତୁତ କରୁଥିବା ବେଳେ ପରିବାର ଲୋକଙ୍କ ଅକୁଣ୍ଠ ସହଯୋଗ ଆଉ ପ୍ରେରଣା ବଳରେ ଏଭଳି ସଫଳତା ହାସଲ କରିଥିବା ସେ କହିଛନ୍ତି। ଦୁଇଟି ସୁଯୋଗ ପରେରେ ତୃତୀୟରେ  ସେ ଏଭଳି କୃତକାର୍ଯ୍ୟ ହାସଲ କରିଥିବା କହିଛନ୍ତି। ଚାକିରି କ୍ଷେତ୍ର ସହିତ ପାଠପଢାକୁ ମଧ୍ୟ ସମାନ୍ତରଳ ଭାବେ ନିଜକୁ ପ୍ରସ୍ତୁତ କରିବାକୁ ପଡିବ ବୋଲି କହିଛନ୍ତି। ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଦୃଢ ଇଚ୍ଛାଶକ୍ତି ମନରେ ଆଣିଲେ ସମୟ ମଧ୍ୟ ସାଥ ଦେବ ବୋଲି କହିଛନ୍ତି । ତୃଣମୂଳସ୍ତରରେ ଲୋକଙ୍କୁ ସେବା ଦେବା ଦିଗରେ କାର୍ଯ୍ୟ କରିବା ସହ ସ୍ବାସ୍ଥ,ଶିକ୍ଷା,ଶିଶୁ ଓ ନାରୀ ସଶକ୍ତିକରଣ ଦିଗରେ କାର୍ଯ୍ୟ କରିବି ବୋଲି କହିଛନ୍ତି। ଚାକିରି କରିବା ପରେ ମଧ୍ୟ ଶିକିତା ପାଠ ପଢା ପ୍ରତି ଅଧିକ ଗୁରୁତ୍ଵ ଦେଇଥିଲେ। ବର୍ତ୍ତମାନ ସେ ଦଶପଲ୍ଲାରେ ବ୍ଳକରେ ରହିଥିବା ବେଳେ ବିଭିନ୍ନ ମହଲରୁ ଫୋନ୍‌ ଯୋଗେ ଶୁଭେଚ୍ଛା ଆସୁଥିବା ସେ ପ୍ରକାଶ କରିଛନ୍ତି।