ମାଲକାନଗିରି: ‘ଶିଳାବତୀ’ ପାଇଁ ବଳି ପଡ଼ୁଛି ଶାଳ। ଦେଶ ବିଦେଶରେ ଶିଳାବତୀର ଚାହିଦା ବଢ଼ୁଥିବାରୁ ପ୍ରାକୃତିକ ଉପାୟରେ ବଢ଼ୁଥିବା ଶାଳ ଜଙ୍ଗଲ ପ୍ରତି ବିପଦ ଘନେଇଛି। ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳବାସୀ ବିଭିନ୍ନ ଫସଲ ଉତ୍ପାଦନ ବଦଳରେ ଗଞ୍ଜେଇ ଚାଷ ମୋହରେ ପଡ଼ିଛନ୍ତି। ବେଶ୍ ଭଲ ରୋଜଗାର ହେଉଥିବାରୁ ଗଞ୍ଜେଇ ଚାଷ ପାଇଁ କଟା ଚାଲିଛି ଏକର ଏକର ଜଙ୍ଗଲ। ବହୁ ମୂଲ୍ୟବାନ ଗଛ ସହ ଶାଳବଣରେ ପରିପୂର୍ଣ୍ଣ ମାଲକାନଗିରି ଧୀରେଧୀରେ ଟାଙ୍ଗରା ଭୂଇଁ ହେବାକୁ ବସିଲାଣି। ଯାହାକି ଜିଲ୍ଲାର ଜଳବାୟୁ ପରିବର୍ତ୍ତନରେ ପ୍ରଭାବ ପକାଇବା ସହ ତାପାମତ୍ରା ବୃଦ୍ଧିର ମୁଖ୍ୟ କାରଣ ହୋଇଛି। ଚଳିତ ଗ୍ରୀଷ୍ମରେ ମାଲକାନଗିରି ତାପାମତ୍ରା ୪୮ ଡିଗ୍ରି (ଓଡ଼ିଶାରେ ସର୍ବୋଚ୍ଚ) ଛୁଇଁବା ଏହାକୁ ପ୍ରମାଣିତ କରିଛି।

Advertisment

ଗଞ୍ଜେଇ ଚାଷର ପେଣ୍ଠସ୍ଥଳୀ ମାଲକାନଗିରି। ଏହି ଜିଲ୍ଲାରୁ ଉତ୍ପାଦିତ ହେଉଥିବା ଗଞ୍ଜେଇ ମଧ୍ୟରୁ ସର୍ବୋତ୍କୃଷ୍ଟ କିସମ ହେଉଛି ‘ଶିଳାବତୀ’। ଯାହା ମୋହରେ ଏବେ ସାରା ଦେଶ। ବିଶେଷ କରି ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ଼କୁ ବ୍ୟାପକ ପରିମାଣର ଗଞ୍ଜେଇ ଚାଲାଣ ହେଉଛି। ବିଚ୍ଛିନ୍ନାଞ୍ଚଳ ଚୋରା ଚାଲାଣର କେନ୍ଦ୍ରବିନ୍ଦୁ ପାଲଟିଛି। ଜିଲ୍ଲାର ହଜାରହଜାର ହେକ୍ଟର ଜମିରେ ଶିଳାବତୀ ଚାଷ ହେଉଥିବା ବେଳେ ବାର୍ଷିକ ହଜାରେ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଶିଳାବତୀ ବାହାର ରାଜ୍ୟକୁ ଚାଲାଣ ହେଉଛି। ମାଧ୍ୟମ ସାଜିଛନ୍ତି ଗଞ୍ଜେଇ ମାଫିଆ ଓ ନକ୍ସଲ। ଚିତ୍ରକୋଣ୍ଡା, କୋରୁକୋଣ୍ଡା, ମାଲକାନଗିରି, ଖଇରପୁଟ ବ୍ଲକ୍‌ରେ ସର୍ବାଧିକ ‘ଶିଳାବତୀ’ ଚାଷ ହେଉଛି। ‘ଶିଳାବତୀ’ ଚାଷ ପାଇଁ ମାଫିଆଙ୍କ ସମେତ ଅଞ୍ଚଳବାସୀ ଶାଳ ବଣ ପଦା କରି ଚାଲିଛନ୍ତି। ଶାଳ ଗଛ ଲଗାଇବା କଷ୍ଟକର ବ୍ୟାପାର। ଶାଳ ମଞ୍ଜି ସଂଗ୍ରହ କରି ଏହାକୁ ରୋପଣ କରି ପୁଣି ଜଙ୍ଗଲ ସୃଷ୍ଟି କରିବା ଏକ ପ୍ରକାର ଅସମ୍ଭବ। ଶାଳ ମଞ୍ଜି ଝଡ଼ିବା ପରେ ବର୍ଷା ସଂସ୍ପର୍ଶରେ ଆସି ମଞ୍ଜିରୁ ଆପେ ଆପେ ଗଛ ହୋଇଥାଏ। ସମୟକ୍ରମେ ଏହା ଜଙ୍ଗଲରେ ପରିଣତ ହୋଇଥାଏ। ମାଫିଆଙ୍କ ପ୍ରାଦୁର୍ଭାବ ଯୋଗୁ ଚିତ୍ରକୋଣ୍ଡା ବ୍ଲକ୍‌ର ସ୍ବାଭିମାନ ଅଞ୍ଚଳରେ ଶାଳ ବଣ ଲୋପ ପାଇଗଲାଣି। ପୂର୍ବରୁ ବାଲିମେଳା ଜଳଭଣ୍ଡାର ପାଇଁ ଉଜୁଡ଼ି ଥିଲା ଏକର ଏକର ଜଙ୍ଗଲ। 

ପୁଲିସ ଓ ଅବକାରୀ ବିଭାଗ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ବନ୍ଦ କରିବାରେ ସଫଳ ହୋଇପାରିନାହାନ୍ତି। ପୁଲିସ ସୂଚନା ମୁତାବକ, ୨୦୨୩-୨୪ ବର୍ଷରେ ଜିଲ୍ଲାର ୧୩୦୦ ଏକର ଜମିରୁ ପ୍ରାୟ ୨୦ ଲକ୍ଷ ଗଞ୍ଜେଇ ଗଛ କଟାଯାଇଛି। ସେହିପରି ଅବକାରୀ ବିଭାଗ ୪୩୦ ଏକର ଜମିରୁ ୬ ଲକ୍ଷ ୫୪ ହଜାର ଗଞ୍ଜେଇ ଗଛ କାଟିଛି। ଯେତିକି ପରିମାଣର ଗଛ ଅବକାରୀ ଓ ପୁଲିସ୍‌ ବିଭାଗ ନଷ୍ଟ କରୁଛି ତାହାର ୫ରୁ ୧୦ଗୁଣ ଚାଷ ଦୁର୍ଗମ ଓ ନକ୍ସଲପ୍ରବଣ ଅଞ୍ଚଳରେ ହେଉଛି। ଯେଉଁଠି ନକ୍ସଲ ଭୟରେ ପହଞ୍ଚିପାରୁନି ପୁଲିସ ଓ ଅବକାରୀ ବିଭାଗ। ବନ ବିଭାଗର ଏସିଏଫ୍‌ ମନସୁନ ଖେମୁଡ଼ୁ କହିଛନ୍ତି, ବନ ସୁରକ୍ଷା ସମିତିଙ୍କୁ ବୁଝାଇ ଜଙ୍ଗଲ ସୃଷ୍ଟି ପାଇଁ ଉଦ୍ୟମ ଚାଲିଛି।