ନୂଆଦିଲ୍ଲୀ/ଇସଲାମାବାଦ : ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିନାମା ବିବାଦ ଉପରେ ଭାରତ ପୁଣି ଥରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଭାରତ ନେଦରଲାଣ୍ଡର ହେଗ୍‌ରେ ଥିବା‌ ସ୍ଥାୟୀ ମଧ୍ୟସ୍ଥତା ଅଦାଲତ (ପିସିଏ)ର ହସ୍ତକ୍ଷେପକୁ ପ୍ରତ୍ୟାଖ୍ୟାନ କରିଛି। ଶୁଣାଣି ସମୟରେ ଭାରତ କହିଛି ଯେ, ଆମେ ଟ୍ରିବ୍ୟୁନାଲକୁ ବେଆଇନ ବୋଲି ବିବେଚନା କରୁ। ଭାରତ ଟ୍ରିବ୍ୟୁନାଲର ସପ୍ଲିମେଣ୍ଟାରୀ ଆୱାର୍ଡ ଓ କାର୍ଯ୍ୟକ୍ଷମ ତଥ୍ୟ ମଗାଯାଇଥିବା ସମନ ଗ୍ରହଣ କରିବାକୁ ମନା କରିଛି।

Advertisment

ପାକିସ୍ତାନ ଏହି ପ୍ରସଙ୍ଗକୁ ସମଗ୍ର ଅଞ୍ଚଳ ପାଇଁ ବିପଦ ବୋଲି କହୁଛି। ଭାରତର ସଦ୍ୟତମ ନିଷ୍ପତ୍ତି ପାକିସ୍ତାନର ସଙ୍କଟକୁ ବଢ଼ାଇ ଦେଇଛି। ହେଗ୍‌ ସ୍ଥିତ କୋର୍ଟ ଭାରତକୁ କାଶ୍ମୀରର କିଶନଗଙ୍ଗା ଓ ରାଟଲେ ଜଳବିଦ୍ୟୁତ ପ୍ରକଳ୍ପରୁ ସମ୍ବେଦନଶୀଳ କାର୍ଯ୍ୟକ୍ଷମ ରେକର୍ଡ ତଥା ତଥ୍ୟ ପ୍ରଦାନ କରିବାକୁ ସମନ ଜାରି କରିଥିଲା। ଭାରତ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି ଓ ତଥ୍ୟ ପ୍ରଦାନ କରିବାକୁ ମନା କରିଛି। ଭାରତ ସରକାର ଟ୍ରିବ୍ୟୁନାଲର କ୍ଷେତ୍ରାଧିକାରକୁ ଗ୍ରହଣ କରିବାକୁ ମନା କରିଛନ୍ତି।

ନିୟମ ଆଧାରରେ ହୋଇନି ମଧ୍ୟସ୍ଥତା ଅଦାଲତ

ବୈଦେଶିକ ମନ୍ତ୍ରଣାଳୟ ଆନୁଷ୍ଠାନିକ ଭାବରେ ଟ୍ରିବ୍ୟୁନାଲକୁ ଜଣାଇଛି, ଭାରତ ଏହାର ନିର୍ଦ୍ଦେଶ ପାଳନ କରିବ ନାହିଁ କିମ୍ବା କାର୍ଯ୍ୟରେ ଅଂଶଗ୍ରହଣ କରିବ ନାହିଁ। ଭାରତ କହିଛି, ନିରପେକ୍ଷ ବିଶେଷଜ୍ଞ ପ୍ରକ୍ରିୟା ମଧ୍ୟରେ ଏକ ସମାନ୍ତରାଳ ମଧ୍ୟସ୍ଥତା କୋର୍ଟ ପ୍ରତିଷ୍ଠା ସିନ୍ଧୁ ଚୁକ୍ତିର ବିବାଦ ସମାଧାନ ଢାଞ୍ଚାକୁ ଉଲ୍ଲଂଘନ କରୁଛି। ଯେପର୍ଯ୍ୟନ୍ତ ଭାରତର ମୌଳିକ ସୁରକ୍ଷା ଚିନ୍ତାର ସମାଧାନ ନହୋଇଛି ଓ ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ କରିବା ବନ୍ଦ ନ କରିଛି, ସେପର୍ଯ୍ୟନ୍ତ ଭାରତ ଜଳବ ସମ୍ପର୍କିତ ତଥ୍ୟ ବାଣ୍ଟିବା ଅବା ମଧ୍ୟସ୍ଥତାରେ ଅଂଶଗ୍ରହଣ କରିବା ସମେତ କୌଣସି ଚୁକ୍ତିନାମା ଦାୟିତ୍ୱ ପୂରଣ କରିବାକୁ ବାଧ୍ୟ ନୁହେଁ।

ପାକିସ୍ତାନ କରୁଛି ଗୁହାରି

ପାକିସ୍ତାନ ଜାତିସଂଘରେ ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗ ଉଠାଇଛି ଓ ବିଶ୍ୱକୁ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛି। ପାକିସ୍ତାନ ଜାତିସଂଘ ଓ ଅନ୍ୟାନ୍ୟ ଫୋରମରେ ଏହି ପ୍ରସଙ୍ଗ ଉଠାଇ ଆସୁଛି। ପାକିସ୍ତାନ ଅନୁରୋଧ କରିବା ସହିତ ଭାରତକୁ ଯୁଦ୍ଧର ଧମକ ମଧ୍ୟ ଦେଇଛି। ପାକିସ୍ତାନ ଏହି ପଦକ୍ଷେପକୁ ଯୁଦ୍ଧ ଭଳି କାର୍ଯ୍ୟ ବୋଲି କହୁଛି।