ତ୍ରିପୁରା: ମାଣିକ ସରକାରଙ୍କ ଘରୁ ମିଳିଥିଲା ମହିଳାଙ୍କ କଙ୍କାଳ; ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଘରର ପାଇଖାନା ଟାଙ୍କି ସଫା କରାଇବାକୁ ପରାମର୍ଶ ଦେଲା ଦଳ

ଅଗରତାଲା: ଶନିବାର ତ୍ରିପୁରାର ନୂଆ ଭାଜପା ସରକାର ଦାୟିତ୍ୱ ଗ୍ରହଣ କରିବା ସହ ପ୍ରଥମ କ୍ୟାବିନେଟ୍‌ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। କିନ୍ତୁ ସରକାର କାର୍ଯ୍ୟଭାର ନେଉ ନେଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଭାଜପାର ତ୍ରିପୁରା ପ୍ରଭାରୀ ତଥା ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁନିଲ ଦେଓଧରଙ୍କୁ ଗୃହପ୍ରବେଶ ପୂର୍ବରୁ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କୁ ତାଙ୍କର ସରକାରୀ ବାସଭବନର ପାଇଖାନା ଟାଙ୍କି ସଫା କରିବା ଲାଗି ପରାମର୍ଶ ଦେଇଛନ୍ତି। କେବଳ ମୁଖ୍ୟମନ୍ତ୍ରୀ ଆବାସ ନୁହେଁ, ସବୁ ନବନିଯୁକ୍ତ ମନ୍ତ୍ରୀଙ୍କ ସରକାରୀ ବାସଭବନର ପାଇଖାନା ଟାଙ୍କି ସଫା କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ସଚେତନ କରାଇଛନ୍ତି।

ହଠାତ୍‌ ଏଭଳି ଏକ ପରାମର୍ଶ ଦେବା ପଛରେ କାରଣ କ’ଣ ହୋଇପାରେ? ଏ ପ୍ରସଙ୍ଗରେ ସୁନିଲ୍‌ ଦେଓଧରଙ୍କର ଦାବି ହେଉଛି, ୨୦୦୫ ମସିହାରେ ତ୍ରିପୁରାର ପୂର୍ବ ମୁଖ୍ୟମନ୍ତ୍ରୀ ମାଣିକ୍‌ ସରକାରଙ୍କ ସରକାରୀ ବାସଭବନର ପାଇଖାନା ଟାଙ୍କି ଭିତରୁ ଜଣେ ମହିଳାଙ୍କ କଙ୍କାଳ ମିଳିଥିଲା। ତେଣୁ ନୂତନ ମୁଖ୍ୟମନ୍ତ୍ରୀ ବିପ୍ଲବ୍‌ କୁମାର ଦେବ ସରକାରୀ ବାସଭବନକୁ ଯିବା ପୂର୍ବରୁ ଟାଙ୍କି ସଫା କରାଇବା ଦରକାର। ଏଥିସହ ସେ ବିପ୍ଲବ୍‌ ଦେବଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟଙ୍କୁ ମଧ୍ୟ ସେମାନଙ୍କୁ ମିଳିଥିବା ସରକାରୀ ଆବାସର ସେଫ୍ଟିକ୍‌ ଟ୍ୟାଙ୍କ ସଫା କରାଇବାକୁ ପରାମର୍ଶ ଦେଇଛନ୍ତି।

ତ୍ରିପୁରାରେ ୨୩ ବର୍ଷର କମ୍ୟୁନିଷ୍ଟ୍‍ ଶାସନକୁ ମୂଳୋତ୍ପାଟନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସୁନିଲ୍‌ ଦେଓଧର ଏକଥା ମଧ୍ୟ ସନ୍ଦେହ କରିଛନ୍ତି କି ସିପିଏମ୍‌ର ମନ୍ତ୍ରୀମାନଙ୍କ ଘରର ପାଇଖାନା ଟାଙ୍କି ସଫା କଲେ ହୁଏତ ମହିଳାମାନଙ୍କର କଙ୍କାଳ ମିଳିପାରେ। ସେ ଅଭିଯୋଗ ଆଣିଛନ୍ତି,ସେମାନେ ଦୀର୍ଘ ୨୫ ବର୍ଷ ଧରି ଶାସନ ଗାଦୀରେ ଥିଲେ। ଏହି ସମୟ ଭିତରେ ଅନେକ ରାଜନୈତିକ ହତ୍ୟାକାଣ୍ଡ ମଧ୍ୟ ହୋଇଛି। ତେଣୁ ମୁଁ ମୁଖ୍ୟମନ୍ତ୍ରୀ ଓ ଅନ୍ୟମନ୍ତ୍ରୀମାନଙ୍କୁ ସେମାନଙ୍କ ବାସଭବନର ପାଇଖାନା ଟ୍ୟାଙ୍କି ସଫା କରାଇବାକୁ ପରାମର୍ଶ ଦେଇଛି।

ସମ୍ବନ୍ଧିତ ଖବର