ରାଉରକେଲା: ଗାଁକୁ ସଂଯୋଗୀକରଣ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଅନୁଦାନ ଦେଉଛନ୍ତି। ବିଶେଷକରି ଗାଁକୁ ରାସ୍ତା, ସେତୁ, ପୋଲ ନିର୍ମାଣ ପାଇଁ ସରକାର ପ୍ରାଥମିକତା ଦେଉଛନ୍ତି। କିନ୍ତୁ ଗ୍ରାମ୍ୟ ନିର୍ମାଣ ବିଭାଜନ(ଆର୍‌ଡବ୍ଲ୍ୟୁ ଡିଭିଜନ)ର ଚିରାଚରିତ ଅବହେଳା ଯୋଗୁଁ ପ୍ରକଳ୍ପ ବେଗ ଧରିପାରୁନି। ବର୍ଷବର୍ଷ ହେଲା ନିର୍ମାଣ ଆରମ୍ଭ ହୋଇଥିବା ପ୍ରକଳ୍ପ ଶେଷହେବାର ନାଁ ନେଉନି; ଯଦ୍ବାରା ଜନସାଧାରଣ ଯାବତୀୟ ସମସ୍ୟା ଭୋଗିବା ହିଁ ସାର ହେଉଛି। ରାଉରକେଲା ଗ୍ରାମ୍ୟ ବିଭାଜନ ପକ୍ଷରୁ ଗତ ତିନି ବର୍ଷ ଭିତରେ ହାତକୁ ନିଆଯାଇଥିବା ପ୍ରକଳ୍ପ, ତା’ର ଅଗ୍ରଗତି, ସାଂପ୍ରତିକ ସ୍ଥିତିକୁ ଦେଖିଲେ, ବିଭାଗୀୟ ଅବହେଳା ଜଳଜଳ ହୋଇ ଦିଶୁଛି।
Advertisment
ଏହି ବିଭାଜନ ଅଧିନରେ ଗତ ତିନି ବର୍ଷ, ୨୦୨୧-୨୨, ୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷରେ କେବଳ ୩୪୫.୧୩୮ କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି। ଅର୍ଥାତ୍‌, ଏହି ବିଭାଜନ ବାର୍ଷିକ ୧୧୫.୦୪୬ କିଲୋମିଟର ଆଧାରରେ ମାସକୁ ୩.୮୩୪ କିଲୋମିଟର ଓ ଦୈନିକ ମାତ୍ର ୩୧୫ ମିଟର ରାସ୍ତା ନିର୍ମାଣ କରିଛି। କେବଳ ରାସ୍ତା ନୁହେଁ, ବରଂ ସେତୁ, ପୋଲ, ବିଲ୍‌ଡିଂ ନିର୍ମାଣରେ ବି କଚ୍ଛପ ଗତି ଦେଖିବାକୁ ମିଳିଛି। ଗତ ତିନିବର୍ଷରେ ବିଭାଗ ମାତ୍ର ଗୋଟିଏ ସେତୁ, ୨୧ଟି ପୋଲ ଓ ୧୨ଟି ଘର ନିର୍ମାଣ କରିବାରେ ସକ୍ଷମ ହୋଇଛି। ଏ ଗତ ତିନି ବର୍ଷରେ ପ୍ରକଳ୍ପ ବାବଦକୁ ମୋଟ୍‌ ୩୬୯.୭୩ କୋଟି ଟଙ୍କା ବ୍ୟୟ କରାଯାଇଛି।
 ଉଲ୍ଲେଖଯୋଗ୍ୟ, ଏହି ବିଭାଗ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ଓମ୍‌ବାଡ୍‌ସି, ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌), ବିଜୁ ସେତୁ ଯୋଜନାରେ ରାସ୍ତା, ସେତୁ, ପୋଲ, ବିଲ୍‌ଡିଂ ନିର୍ମାଣ କରାଯାଇଥାଏ। ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ବିଭାଗ ମାଧ୍ୟମରେ ୧୯୬.୪୮ କୋଟି ବ୍ୟୟରେ କେବଳ ୧୮୬.୧୧୬ କିଲୋମିଟର ରାସ୍ତା ନିର୍ମାଣ କରାଯାଇଥିବାବେଳେ ୧୮ଟି ପୋଲ ନିର୍ମାଣ କରାଯାଇଥିଲା। ସେହିଭଳି ୨୦୨୨-୨୩ ଆର୍ଥିକ ବର୍ଷରେ ୧୨୧.୭୯ କୋଟି ବ୍ୟୟରେ ୧୦୨.୫୩୨ କିଲୋମିଟର ରାସ୍ତା, ୧୩ଟି ଅନ୍ୟାନ୍ୟ ପ୍ରକଳ୍ପ(ପୋଲ, ଘର) ଏବଂ ୨୦୨୩-୨୪ରେ ୫୧.୪୫ କୋଟି ବ୍ୟୟରେ ୫୬.୪୯ କିଲୋମିଟର ରାସ୍ତା ଓ ୩ଟି ଅନ୍ୟାନ୍ୟ ପ୍ରକଳ୍ପ ନିର୍ମାଣ କରାଯାଇଛି। ଗତ ୨୦୨୩-୨୪ରେ ବିଭାଗର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା। ଗତବର୍ଷ ଦୈନିକ କେବଳ ୧୫୪ ମିଟର ରାସ୍ତା ନିର୍ମାଣ ସମ୍ଭବ ହୋଇଥିଲା। ଉକ୍ତ ବର୍ଷ ପିଏମ୍‌ଜିଏସ୍‌ୱାଇରେ ୮.୭୩ କିଲୋମିଟର ରାସ୍ତା ନିର୍ମାଣ କରାଯାଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୨-୨୩ରେ ଆରମ୍ଭ ହୋଇଥିବା କନେକ୍‌ଟିଂ ମିସିଂ ରୋଡ୍‌ ଲିଙ୍କ୍‌ସ (ସିଏମ୍‌ଆର୍‌ଏଲ୍‌) ଯୋଜନାରେ ୫.୭୫ କିଲୋମିଟର, ନୂଆ ପିଆର୍‌ ରୋଡ୍‌ ୧୩.୨୯ କିଲୋମିଟର, ଏମ୍‌ଏମ୍‌ଏସ୍‌ୱାଇରେ ୧୮.୩୭ କିଲୋମିଟର, ଟ୍ରିପ୍‌ ମାଧ୍ୟମରେ ୯.୩ କିଲୋମିଟର, ଡିଏମ୍‌ଏଫ୍‌ ପାଣ୍ଠିରୁ ୧.୦୫ କିଲୋମିଟର ରାସ୍ତା ନିର୍ମାଣ କରାଯାଇଥିଲା। ଏତଦ୍‌ବ୍ୟତୀତ ପିଏମ୍‌ଜିଏସ୍‌ୱାଇ ଓ ଏମ୍‌ଏମ୍‌ଏସ୍‌ୱାଇରେ ଗୋଟିଏ ଲେଖାଏ ପୋଲ ଏବଂ ଗୋଟିଏ ବିଲ୍‌ଡିଂ ନିର୍ମାଣ କରିଥିଲା।