ନୂଆଦିଲ୍ଲୀ: ଦେଶରେ କାର୍‌ ଡିଲରମାନଙ୍କ ପାଖରେ ବିକ୍ରି ପାଇଁ ପ୍ରାୟ ୭ ଲକ୍ଷରୁ ଅଧିକ କାର୍‌ ରହିଛି। ଏଗୁଡ଼ିକର ମୂଲ୍ୟ ପ୍ରାୟ ୭୩ ହଜାର କୋଟି ଟଙ୍କା। ବିକ୍ରିରେ ମାନ୍ଦାବସ୍ଥା କାରଣରୁ ଡିଲରମାନଙ୍କ ପାଖରେ ବିକ୍ରି ହୋଇ ନଥିବା କାର୍‌ ସଂଖ୍ୟା ବୃଦ୍ଧି ଘଟିଛି। ଏହା ଡିଲରଙ୍କ ବ୍ୟବସାୟ ପାଇଁ ଅସୁବିଧାଜନକ ପରିସ୍ଥିତି ସୃଷ୍ଟି କରିଛି ବୋଲି ଫେଡେରେସନ୍ ଅଫ୍ ଅଟୋମୋବାଇଲ୍ ଡିଲର୍ସ ଆସୋସିଏସନ୍ (ଫାଡା) ପକ୍ଷରୁ ସୂଚନା ଦିଆଯାଇଛି।  

Advertisment

ଫାଡା ରିପୋର୍ଟ ଅନୁଯାୟୀ, ଜୁଲାଇ ପ୍ରାରମ୍ଭରେ ଗାଡ଼ି ଡିଲରମାନଙ୍କୁ ଗାଡ଼ି ମହଜୁଦ ରଖିବାର ଅବଧି ୬୫-୬୭ ଦିନ ଥିବାବେଳେ ଏବେ ଏହା ୭୦-୭୫ ଦିନକୁ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ଅବଧି ଡିଲରମାନଙ୍କ ସମସ୍ୟାକୁ ବଢ଼ାଇ ଦେଇଛି।  ଏଭଳି ସ୍ଥିତିରେ ଉତ୍ପାଦନକୁ ସମଯୋଜିତ କରିବା ପାଇଁ ଫାଡା କାର ନିର୍ମାତାମାନଙ୍କୁ ଅନୁରୋଧ କରିଛି। ଫାଡା ସଭାପତି ମନିଷ ରାଜ ସିଂହାଣିଆ କହିଛନ୍ତି କମ୍ପାନିଗୁଡ଼ିକ ପାସେଞ୍ଜର ଯାନର ଉତ୍ପାଦନକୁ ବିକ୍ରି ସହିତ ମିଳାଇ ଆଗକୁ ବଢ଼ନ୍ତୁ। ସେ ପରାମର୍ଶ ଦେଇଛନ୍ତି ଯେ ସେମାନେ ଡିଲରମାନଙ୍କୁ ଗାଡ଼ି ଯୋଗାଣ ହ୍ରାସ କରନ୍ତୁ। ସେପ୍ଟେମ୍ବର ଶେଷ କିମ୍ବା ଅକ୍ଟୋବର ପ୍ରାରମ୍ଭରେ ଏହାକୁ ବୃଦ୍ଧି କରିପାରିବେ ବୋଲି ସେ କହିଛନ୍ତି। ଏହି ରଣନୀତି ଡିଲରସିପ୍ ଗୁଡ଼ିକରେ ବର୍ତ୍ତମାନର ଉଚ୍ଚ ସ୍ତରର ଗାଡ଼ିସଂଖ୍ୟା ପରିଚାଳନାରେ ସହାୟକ ହେବ।