ସୁନ୍ଦରଗଡ଼/ରାଉରକେଲା: ଗୁରୁବାର ଜନ୍ମମାଟି ସଉନାମୁରାରେ ସମ୍ବର୍ଦ୍ଧନା ପରେ ଶୁକ୍ରବାର ସକାଳେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ରାଉରକେଲା ପ୍ରଶାସନ ପକ୍ଷରୁ ପ୍ୟାରିସ ପଦକ ବିଜେତା ଅଲିମ୍ପିଆନ୍ ଅମିତ ରୋହିଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସଉନାମୁରାରୁ ସ୍ମାର୍ଟସିଟି ରାଉରକେଲା ଯାଏ ଅମିତ.. ଅମିତ.. ଗୁଞ୍ଜରିତ ହୋଇଥିଲା। ଶୁକ୍ରବାର ସକାଳେ ଅମିତଙ୍କୁ ସୁନ୍ଦରଗଡ଼ରେ ଓ ସନ୍ଧ୍ୟାରେ ରାଉରକେଲାରେ ଉଚ୍ଛସ୍ବିତ ସମ୍ବର୍ଦ୍ଧନା ଦିଆଯାଇଥିଲା।
ପୂର୍ବାହ୍ନରେ ଅମିତ ସୁନ୍ଦରଗଡ଼ ପ୍ରଦକ୍ଷଣ ଗୃହରେ ପହଞ୍ଚିବା ପରେ ସେଠାରେ ଜିଲ୍ଲାପାଳ ମନୋଜ ମହାଜନ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ। ପରେ ସହର ମଧ୍ୟରେ ଏକ ରଙ୍ଗାରଙ୍ଗ ରୋଡ୍ସୋ’ ଅନୁଷ୍ଠିତ ହୋଇଥିଲା। ପ୍ରଦକ୍ଷଣ ଗୃହରୁ ଡିଆରଡିଏ ଛକ, ବ୍ୟାଙ୍କ୍ ଛକ, ମ୍ୟୁନିସିପାଲିଟି ଛକ ଦେଇ ବିକାଶ ଭବନ ପର୍ଯ୍ୟନ୍ତ ଆସିଥିଲା। ଡିଆରଡିଏ ଛକରେ ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ଏବଂ ବିକାଶ ଭବନରେ ସମ୍ୱର୍ଦ୍ଧନା ସମାରୋହରେ ଜିଲ୍ଲାପାଳଙ୍କ ସହ ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଅଭିମନ୍ୟୁ ମାଝୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୁଃଖବନ୍ଧୁ ନାୟକ, କ୍ରୀଡ଼ା ଅଧିକାରୀ ବିଶ୍ୱକେସନ ପାଣ୍ଡେ, ଅମିତଙ୍କ କୋଚ୍ ବିଜୟ ଲାକ୍ରା, ବରିଷ୍ଠ କୋଚ୍ ତେଜ୍କୁମାର ଖେସ୍ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଶ୍ରୀ ମହାଜନ ଅମିତଙ୍କ ଜୀବନ ସଂଘର୍ଷ ଓ ସଫଳତା ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ବୋଲି କହିଥିଲେ। ସମ୍ବର୍ଦ୍ଧନାର ଉତ୍ତର ରଖି ଅମିତ ଦାରିଦ୍ର୍ୟ ମଧ୍ୟରେ କିପରି ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ପଛରେ ପକାଇ ଲକ୍ଷ୍ୟ ସାଧନ ନିମନ୍ତେ ପ୍ରୟାସ କରିଥିଲେ, ତାହା କହିଥିଲେ। ନିଜର ଅଲିମ୍ପିକ ଅଭିଜ୍ଞତା ବାଣ୍ଟିବା ସହ ପ୍ରତ୍ୟେକ ଛାତ୍ରଛାତ୍ରୀ, ଖେଳାଳି ସମୟାନୁବର୍ତ୍ତୀ ଓ ପରିଶ୍ରମୀ ହେବା ସହ ଲକ୍ଷ୍ୟ ହାସଲ ପାଇଁ ସ୍ବପ୍ନ ଦେଖି ତାକୁ ସାକାର କରିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ସ୍ୱାଗତିକା ପଣ୍ଡା ପରିଚାଳନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଧନ୍ୟବାଦ ଅର୍ପଣ କରିଥିଲେ।
ଅପରାହ୍ନରେ ଅମିତ ହକି ଛକରେ ପହଞ୍ଚିବାପରେ ପାନପୋଷ କ୍ରୀଡ଼ା ଛାତ୍ରାବାସର କୋଚ୍, ଯୁବ ହକି ଖେଳାଳି ତାଙ୍କୁ ପାଛୋଟି ନେଇଥିଲେ। ଏକ ବିଶାଳ ଶୋଭାଯାତ୍ରାରେ ସେ ସହର ପରିକ୍ରମା କରିଥିଲେ। ଶୋଭାଯାତ୍ରା ପାନପୋଷ କ୍ରୀଡ଼ାଛାତ୍ରାବାସରେ ପହଞ୍ଚିବାପରେ ସେଠାରେ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅବସରରେ ଅମିତ ନିଜର ଆଦ୍ୟ କ୍ରୀଡ଼ା ଜୀବନକୁ ମନେ ପକାଇଥିଲେ। ନିଜ ହକି ଖେଳ ଆରମ୍ଭ, କ୍ରୀଡ଼ା ଛାତ୍ରାବାସ ରହଣି, ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ଅନୁଭୂତି ଆଦି ବାଣ୍ଟିଥିଲେ। ପରେ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମକୁ ଯାଇ ସେଠାକାର ଅନ୍ତେବାସୀଙ୍କ ସହ ବେଶ୍ କିଛି ସମୟ କାଟିଥିଲେ।