ପୁଅର ଠେଙ୍ଗା ମାଡରେ ବାପାର ମୃତ୍ୟୁ

ରାଇରଙ୍ଗପୁର/ବହଳଦା : ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଅଭିଯୋଗ ଅନୁଯାୟୀ ବହଳଦା ଥାନା ଅଁଳାଯୋଡି ପଂଚାୟତର ଗୁହାଳଡାଙ୍ଗିରୀ ଗ୍ରାମ କଲୋନୀ ସାହିର ରଘୁଆ ମାଝୀ ଓ ତାଙ୍କ ପୁଅ ଟାଟା ମାଝୀ ମଧ୍ୟରେ ୧୪ ନଭେମ୍ବର ଦୀପାବଳୀ ଦିନ ସାମାନ୍ୟ ଘଟଣାକୁ ନେଇ ବଚସା ହୋଇଥିଲା । ଏଥିରେ ପୁଅ ଟାଟା ଉତକ୍ଷିପ୍ତ ହୋଇ ବାପା ରଘୁଆଙ୍କୁ ଏକ ଠେଙ୍ଗା ସାହାର୍ଯ୍ୟରେ ଆଘାତ କରିଥିଲେ । ରଘୁଆଙ୍କ ମୁଣ୍ଡରୁ ପ୍ରବଳ ରକ୍ତ ବହିବାରୁ ତାଙ୍କୁ ରାଇରଙ୍ଗପୁରସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ହସ୍ପିଟାଲରୁ ଘରକୁ ଫେରାଇ ଆଣିଥିଲେ । ତେବେ ତାଙ୍କ ପୁଅ ଟାଟା ଓ ତାଙ୍କ ସାଙ୍ଗ ଦିପକ ଘୁନିଆ ଗୁରୁତର ରଘୁଆକୁ ଘରୁ ଟେକିନେଇ ଗାଁ ମୁଣ୍ଡରେ ଥିବା ଏକ ବିଲରେ ଫିଙ୍ଗି ଦେଇଥିଲେ । ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଘରକୁ ଆଣିଥିଲେ । ତେବେ ଗତକାଲି ଗୁରୁତର ରଘୁଆଙ୍କ ମୃତ୍ୟୁ ଘଟିଥିଲା । ଶବକୁ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ବହଳଦା ଥାନାରେ କେସ୍ ନଂ ୮୩/୨୦ ରେ ଏକ ମାମଲା ରୁଜୁକରି ପୁଅ ଟାଟା ମାଝୀ ଓ ତାଙ୍କ ସାଙ୍ଗ ଦିପକକୁ କୋର୍ଟ ଚାଲାଣ କରାଯାଇଛି ।

ସମ୍ବନ୍ଧିତ ଖବର