ପୁରୀ: ପୁରୀର କୃଷ୍ଣପ୍ରସାଦ ପୁଲିସ ଆଜି ଯାତ୍ରା ତୁଳସୀ ଗଣନାଟ୍ୟର ନାୟିକା ସୋନାଲିଙ୍କ ଅଭିଯୋଗକ୍ରମେ ସ୍ଵାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ତେବେ ଶ୍ରୀକ୍ଷେତ୍ରଙ୍କ ଗିରଫଦାରୀକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି | କାରଣ ଶ୍ରୀକ୍ଷେତ୍ର ମଧ୍ୟ ସୋନାଲି ଓ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ | ହେଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ପୁଲିସ ହାତବାନ୍ଧି ବସିଥିବାବେଳେ ସ୍ୱାମୀ ଶ୍ରୀକ୍ଷେତ୍ରଙ୍କୁ ଆଜି ଗିରଫ କରିଛି | 

Advertisment

ଛୋଟ ଛୁଆ ବି ମା ବିରୋଧରେ କରିଥିଲା ଅଭିଯୋଗ, ହେଲେ କାର୍ଯ୍ୟାନୁଷ୍ଠାନ ଶୂନ

ବଡ କଥା ଯେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ଯେ କୃଷ୍ଣପ୍ରସାଦ ଥାନା ଅଧିକାରୀ ବାସ୍ତବରେ କେଉଁ ଆଧାରରେ ଗିରଫ କଲେ | କାରଣ କିଛି ଦିନ ତଳେ ଖୋଦ ସୋନାଲିଙ୍କ ୧୨ ବର୍ଷର ପୁଅ ନିଜ ବାପାଙ୍କ ସପକ୍ଷରେ ବାହାରି ମା ସୋନାଲି ପଣ୍ଡା ଓ ଯାତ୍ରା ପାର୍ଟି ମାଲିକଙ୍କ ନାମରେ ସଂଗୀନ ଅଭିଯୋଗ ଆଣିଥିଲେ | ତାଙ୍କ ବାପା ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତ ସିଂହାରଙ୍କୁ ମିଛ ଅଭିଯୋଗରେ ଫସା ଯାଉଛି। ଜାଣିଶୁଣି ଯାତ୍ରା ପାର୍ଟି ମାଲିକ ନାଣ୍ଡୁ ବାବୁ ଏସବୁ କରାଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ଛୋଟ ବେଳୁ ବାପାଙ୍କ ପାଖରେ ସେ ରହି ଆସୁଛନ୍ତି । ବାପା ଗିରଫ ହୋଇଗଲେ ସେ ଏକୁଟିଆ ହୋଇଯିବେ ବୋଲି କହି ଥାନାରେ ଲିଖିତ ଭାବେ ଜଣାଇଥିଲେ।

ଶ୍ରୀକ୍ଷେତ୍ରଙ୍କୁ ଗିରଫ ନେଇ ଷଡଯନ୍ତ୍ର ଗନ୍ଧ: ବରିଷ୍ଠ ଓକିଲ 

ଶ୍ରୀକ୍ଷେତ୍ରଙ୍କ ଗିରଫଦାରୀକୁ ନେଇ ବରିଷ୍ଠ ଓକିଲ ତଥା ବୁଦ୍ଧିଜୀବୀ ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି | ବରିଷ୍ଠ ଓକିଲ ବନ ମହାନ୍ତିଙ୍କ କହିବା କଥା ଯେ ଉଭୟ ପକ୍ଷ କେସ ଦେଇଥିଲେ | ଗୋଟିଏ କେସର କାଉଣ୍ଟର କେସ ଅଛି | ଏକପାଖିଆ ଭାବେ ଜଣଙ୍କୁ ଗିରଫ କରି ଅନ୍ୟ ଜଣଙ୍କୁ ଛାଡ଼ିଦେବା ଏକଥା ଠିକ ହେଲାନାହିଁ | ଶ୍ରୀକ୍ଷେତ୍ରଙ୍କୁ ଗିରଫ କରିବା ପଛରେ ରାଜନୈତିକ ଚାପ ହେଉ କି କାହାର ଚାପର ବଶବର୍ତ୍ତୀ ହୋଇ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି | ଏଭଳି କାମ ଯାହା ପୁଲିସ କରିଛି ତାହା ପ୍ରଶାସନିକ ଓ ରାଜନୈତିକ ଚାପରେ ପଡି କରିଛି | ଆଉ ପୁଲିସର ଧର୍ମ ଯେ ଦୁଇଟି ଯାକ ମାମଲାକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଇଥାନ୍ତା | ହେଲେ ପୁଲିସ ଏହି କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ଚାପର ଶିକାର ହୋଇ କାମ କରିଛି |

ଧରାଛୁଆଁ ଦେଲେନି ଥାନା ବାବୁ!
ଶ୍ରୀକ୍ଷେତ୍ରଙ୍କୁ ଗିରଫ ଯଦି କରାଗଲା, ତେବେ ତାଙ୍କ ପୁଅ ମା ବିରୋଧରେ ଯେଉଁ ଅଭିଯୋଗ କରିଥିଲେ ତାହାର ତଦନ୍ତ କେତେବାଟ ଗଲା ପ୍ରଶ୍ନ ପଚାରିବାକୁ ଆମ ପ୍ରତିନିଧି ଅନେକ ଚେଷ୍ଟା କରିଥିଲେ ବି କୃଷ୍ଣପ୍ରସାଦ ଥାନା ଅଧିକାରୀ ଭାବଗ୍ରାହୀ ରାଉତ ଫୋନ ଉଠାଇନଥିଲେ |

କେବେ ଚର୍ଚ୍ଚାକୁ ଆସିଥିଲା ସୋନାଲି-ଶ୍ରୀକ୍ଷେତ୍ର ବିବାଦ?
ନୂଆପଡା ପଞ୍ଚାୟତ ଖଟିସାହି ଗ୍ରାମର ଶ୍ରୀକ୍ଷେତ୍ର ସାମନ୍ତସିଂହାର(ଜନ) ୨୦୧୪ ମସିହାରେ କୃଷ୍ଣପ୍ରସାଦ ପଞ୍ଚାୟତ ସାନଅଁଳ ଗ୍ରାମର କାଗଜି ପଲେଇ ଓରଫ ସୋନାଲି ପଣ୍ଡାଙ୍କୁ ଭଲପାଇ ବିବାହ କରିଥିଲେ | ୨୦୧୬ ମସିହାରେ ତାଙ୍କର ଏକମାତ୍ର ପୁତ୍ର ୟସରାଜ ସାମନ୍ତ ସିଂହାର ଜନ୍ମ ହୋଇଥିଲା | ଶ୍ରୀକ୍ଷେତ୍ର ମଶ୍ଚ୍ୟଜୀବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ସୁଦ୍ଧା ପରିବାର ଚଳାଇବା ଆଶାରେ ସ୍ତ୍ରୀ କାଗଜିଙ୍କ ସହ ଯାତ୍ରା ଦୁନିଆରେ ପାଦ ଥାପି ତୁଳସୀ ଗଣନାଟ୍ୟରେ ଯୋଗ ଦେଇଥିଲେ | ସେଠାରେ ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ(ନାଣ୍ଡୁ)ଉଭୟ ଙ୍କୁ ଆଶ୍ରୟ ଦେଇଥିବା ବେଳେ ନାୟିକା ଭାବେ କାଗଜିଙ୍କ ପତିଆରା ବୃଦ୍ଧି ପାଇବା ପରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଫାଟ ସୃଷ୍ଟି କରି ବିଚ୍ଛେଦ କରିଥିବା ଶ୍ରୀକ୍ଷେତ୍ରଙ୍କ ପରିବାର ପକ୍ଷରୁ କୁହାଯାଉଛି | ସ୍ଵାମୀ ଶ୍ରୀକ୍ଷେତ୍ର ସ୍ତ୍ରୀ କାଗଜିଙ୍କୁ ପାଇବା ପାଇ ବିଭିନ୍ନ ଉପାୟ ଅବଲମ୍ବନ କରିଥିଲେ ସୁଦ୍ଧା ଅଦ୍ୟାବଧି ୧୨ ବର୍ଷର ପୁତ୍ର ସନ୍ତାନଙ୍କୁ ନେଇ ବିଭିନ୍ନ ସମସ୍ଯା ସମ୍ମୁଖୀନ ହେଉଥିବା ବେଳେ ସ୍ତ୍ରୀ କାଗଜିଙ୍କ ଅଭିଯୋଗ କ୍ରମେ କୃଷ୍ଣପ୍ରସାଦ ପୁଲିସ ଭୁବନେଶ୍ବର ସ୍ଥିତ ଫରେଷ୍ଟ ପାର୍କରୁ ଶ୍ରୀକ୍ଷେତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି |