ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋର ନିବାସୀ ଏବଂ ଚର୍ଚ୍ଚିତ ହତ୍ୟା ମାମଲାର ଶିକାର ରାଜା ରଘୁବଂଶୀଙ୍କ ପରିବାର ଆଜି ଉଜ୍ଜୟିନୀରେ ପହଞ୍ଚି ସିଦ୍ଧବତ୍ ତୀର୍ଥସ୍ଥଳରେ ତାଙ୍କର ପିଣ୍ଡ ଦାନ ରୀତି କରିଥିଲେ। ରାଜାଙ୍କ ଭାଇ ବିପିନ ରଘୁବଂଶୀ କହିଛନ୍ତି ଯେ "ଆମର ଭାଇ ଅକାଳରେ ଦୁନିଆ ଛାଡି ଚାଲିଗଲେ। ଆମେ ସମସ୍ତେ ତାଙ୍କ ଆତ୍ମାର ଶାନ୍ତି ଏବଂ ମୋକ୍ଷ କାମନା କରି ଏଠାକୁ ପିଣ୍ଡ ଦାନ କରିବାକୁ ଆସିଛୁ।"
ରାଜା ରଘୁବଂଶୀଙ୍କ ପତ୍ନୀ ସୋନମଙ୍କ ଭାଇ ଗୋବିନ୍ଦ ମଧ୍ୟ ପୂଜାରେ ଅଂଶଗ୍ରହଣ କରିଥିଲେ। ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ସେ କହିଥିଲେ, "ଆମେ ସମଗ୍ର ମାମଲାର ନିରପେକ୍ଷ ତଦନ୍ତ ଚାହୁଁଛୁ। ଯଦି ମୋ ଭଉଣୀ ସୋନମ ତଦନ୍ତରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡ ମିଳିବା ଉଚିତ। ଏପରିକି ମୃତ୍ୟୁଦଣ୍ଡ ମଧ୍ୟ ଦିଆଯିବା ଉଚିତ। ଫଳାଫଳ ଯାହା ହେଉନା କାହିଁକି, ଆମେ ନ୍ୟାୟ ସପକ୍ଷରେ ଅଛୁ।" ଉଲ୍ଲେଖ ଥାଉ କି ଜୁନ୍ ୨ ତାରିଖରେ ପୂର୍ବ ଖାସି ହିଲ୍ସ ଜିଲ୍ଲାର ସୋହରା ଅଞ୍ଚଳର ଏକ ଜଳପ୍ରପାତ ନିକଟବର୍ତ୍ତୀ ଏକ ଘାଟିରୁ ରାଜା ରଘୁବଂଶୀଙ୍କ ମୃତଦେହ ମିଳିଥିଲା। ବିବାହ ପରେ ରାଜା ତାଙ୍କ ପତ୍ନୀ ସୋନମଙ୍କ ସହିତ ହନିମୁନ ପାଇଁ ମେଘାଳୟ ଯାଇଥିଲେ।
ରାଜା ରଘୁବଂଶୀ ଏବଂ ସୋନମଙ୍କ ବିବାହ ମେ ୧୧, ୨୦୨୫ରେ ହୋଇଥିଲା। ପୋଲିସ ଅନୁଯାୟୀ, ସୋନମ ତାଙ୍କ ପ୍ରେମିକ ରାଜ କୁଶୱାହାଙ୍କ ସହିତ ମିଶି ରାଜା ରଘୁବଂଶୀଙ୍କୁ ହତ୍ୟା କରିଥିଲେ। ଏହା ପୂର୍ବରୁ ବି ସୋନମଙ୍କ ଭାଇ ଗୋବିନ୍ଦ ରଘୁବଂଶୀ କହିଥିଲେ ଯେ, ମୋ ଭଉଣୀ ଅପରାଧ କରିଛି। ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ। "ଯଦି ଭଉଣୀ ଦୋଷୀ, ତେବେ ତାକୁ ଦଣ୍ଡ ମିଳିବା ଉଚିତ୍। ପ୍ରକୃତରେ ମୁଁ ନିଜେ ତାକୁ ଦଣ୍ଡ ଦେବି। ରାଜା ଜଣେ ଭଲ ମଣିଷ ଥିଲେ। ସୋନମ ଯାହା ଯୋଜନା କରିଥିଲା, ମୁଁ ଗଣମାଧ୍ୟମରୁ ତାହା ଜାଣିବାକୁ ପାଇଲି। ମୋ ଭଉଣୀ କରିଥିବା ଦୋଷ ପାଇଁ ମୁଁ ରାଜାଙ୍କ ମାଆଙ୍କୁ କ୍ଷମା ମାଗିଛି। ଯଦି ସୋନମ ଦୋଷୀ, ତେବେ ତାଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ।