ସ୍ପେନ : ଗୋଟିଏ ଦିନରେ ମୃତ୍ୟୁବରଣ କଲେ ୭୬୯ କରୋନା ସଂକ୍ରମିତ

ମାଦ୍ରିଦ :ୟୁରୋପ ଏବେ କରୋନା ଭାଇରସର ନୂଆ କେନ୍ଦ୍ରସ୍ଥଳୀ ପାଲଟିଛି ।ୟୁରୋପରେ ଇଟାଲି ଓ ସ୍ପେନରେ ଏହି ସଂକ୍ରମଣ ଦ୍ରୁତ ଗତିରେ ବଢିତାଲିଛି । ତେବେ ସ୍ପେନରେ ମୃତ୍ୟୁସଂଖ୍ୟା ଯେତିକି ବେଗରେ ବଢିଚାଲିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଗତ ୨୪ ଘଣ୍ଟାରେ ସ୍ପେନରେ ୭୬୯ ଲୋକ କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି । ଏହା ଏକ ରେକର୍ଡ ବୋଲି କୁହାଯାଉଛି । ଏହା ସହିତ ସ୍ପେନରେ ମୋଟ ମୃତ୍ୟୁସଂଖ୍ୟା ୪୮୦୦ ରେ ପହଞ୍ଚିଛି, ଯାହାକି ଏହି ଭାଇରସର ଉତ୍ପତ୍ତିସ୍ଥଳ ଚୀନଠାରୁ ଅନେକ ଅଧିକ । ଚୀନରେ କରୋନା ଭାଇରସ ଯୋଗୁଁ ପ୍ରାୟ ୩୨୯୨ ଜଣ ମୃତ୍ୟୁବରଣ କରିଛନ୍ତି । ତେବେ ସ୍ପେନରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୪,୦୫୯ରେ ପହଞ୍ଚିଛି । ଅନ୍ୟପକ୍ଷରେ ଇଟାଲୀରେ ମୃତ୍ୟୁସଂଖ୍ୟା ୮୨୧୫କୁ ବୃଦ୍ଧି ପାଇଛି ଓ ସଂକ୍ରମିତଙ୍କ ସଂଖ୍ୟା ୮୦୫୮୯ରେ ପହଞ୍ଚିଛି ।

ଅନ୍ୟପକ୍ଷରେ ସଂକ୍ରମଣ ଦୃଷ୍ଟିରୁ ଆମେରିକା ଏବେ ଚୀନକୁ ଟପି ବିଶ୍ୱର ସବୁଠାରୁ ଅଧିକ ସଂକ୍ରମିତ ଦେଶରେ ପରିଣତ ହୋଇଛି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୫୭୪୯ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧୩୦୪ରେ ପହଞ୍ଚିଛି । ସମଗ୍ର ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୫୦ ହଜାର ଟପିଯାଇଥିବାବେଳେ ମୃତ୍ୟୁସଂଖ୍ୟା ୨୪୯୦୩ରେ ପହଞ୍ଚିଛି । ତେବେ ସୁଖର କଥା ହେଉଛି ବିଶ୍ୱରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୨୮ ହଜାରରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର