ଆଇପିଏଲ୍‌ରେ ‘ନୋ ବଲ୍‌’ ପାଇଁ ରହିବେ ସ୍ୱତନ୍ତ୍ର ଅମ୍ପାୟାର!

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ (ଆଇପିଏଲ୍‌) ପରିଚାଳନା ପରିଷଦ ପ୍ରଥମ ଥର ‘ନୋ ବଲ୍‌ ପାଇଁ ସ୍ୱତନ୍ତ୍ର ଅମ୍ପାୟାର ରଖିବା ନେଇ ବିଚାର ବିମର୍ଶ କରୁଛି। କାରଣ ଅତୀତରେ ଅନେକ ବିବାଦୀୟ ନିଷ୍ପତ୍ତି ଦେଖାଯାଇଛି। ଏମିତି ବୁଝା ଯାଇଥାଏ ଯେ, ଆଇପିଏଲ ମ୍ୟାଚ ସମୟରେ ‘ପାଓ୍ଵାରପ୍ଲେ’ ସବଷ୍ଟିଚ୍ୟୁଟ୍‌ ବର୍ତ୍ତମାନ ଆରମ୍ଭ କରାଯିବ ନାହିଁ। କାରଣ ଚଳିତ ସପ୍ତାହର ଶେଷରେ ଆରମ୍ଭ ହେଉଥିବା ସୟଦ ମୁସ୍ତାକ ଅଲି ଟ୍ରାଫି ରାଷ୍ଟ୍ରୀୟ ଟି-୨୦ ଚମ୍ପିଅନ୍‌ସିପ୍‌ରେ ଏହାର ପରୀକ୍ଷା ହୋଇ ନ ପାରେ।

ପୂର୍ବତନ ଟେଷ୍ଟ ବ୍ୟାଟସ୍‌ମ୍ୟାନ୍‌ ବ୍ରଜେଶ ପଟେଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏଫଟିପି ଓ୍ଵିଣ୍ଡୋ, ବିଦେଶୀ ଖେଳାଳିଙ୍କ ଉପସ୍ଥିତତା, ଭାରତୀୟ ଟିମ୍‌ର ଏଫଟିପି ଓ ଫ୍ରାଞ୍ଚାଇଜର ବିଦେଶରେ ବନ୍ଧୁତ୍ୱ ମ୍ୟାଚ୍‌ ଖେଳିବା ନେଇ ଆଲୋଚନା ହୋଇଛି। ପରିଚାଳନା ପରିଷଦର ଜଣେ ସଦସ୍ୟ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ସବୁ କିଛି ଠିକ୍‌ ଠାକ୍‌ ଚାଲିଲେ, ଆଗାମୀ ଆଇପିଏଲ୍‌ରେ ନିୟମିତ ଅମ୍ପାୟାର ବ୍ୟତୀତ ‘ନୋ ବଲ’ ପାଇଁ ମଧ୍ୟ ସ୍ୱତନ୍ତ୍ର ଅମ୍ପାୟାର ରହିବେ। ଆଇପିଏଲ୍‌ ପରିଚାଳନା ପରିଷଦର ପ୍ରଥମ ବୈଠକରେ ଏସଂପର୍କୀତ ଆଲୋଚନା ହୋଇଛି।

ସମ୍ବନ୍ଧିତ ଖବର