ନୂଆଦିଲ୍ଲୀ: ବାହୁବଳୀ ପାଇଁ ବଲିଉଡର ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ବି ମିଳିଥିଲା ଅଫର | କଥାଟି ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି? ଏକଥା କିନ୍ତୁ ଏକଦମ ସତ | ବାସ୍ତବରେ ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁର ଏବେ ଏନେଇ ମୁହଁ ଖୋଲିଛନ୍ତି | ବୋନି କପୁର କହିଛନ୍ତି ଯେ ପ୍ରଯୋଜକମାନେ ଏସଏସ ରାଜମୌଲି ଏବଂ ଶ୍ରୀଦେବୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲେ। ବୋନି କପୁର ବାହୁବଳୀ ଏବଂ ଶ୍ରୀଦେବୀଙ୍କ ବିଷୟରେ କଥା ହୋଇଥିଲେ। ସେ କହିଥିଲେ, ' ମୋ ପାଖରେ ଏବେ ବି ସେହି ମେସେଜ ଅଛି ଯେଉଁଥିରେ ରାଜମୌଲି କହିଥିଲେ ଯେ ସେ ଶ୍ରୀଦେବୀଙ୍କର ଜଣେ ବଡ ପ୍ରଶଂସକ। ତେବେ ପ୍ରଯୋଜକମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଯୋଗୁଁ ଶ୍ରୀଦେବୀ ଫିଲ୍ମରେ କାମ କରିପାରିଲେ ନାହିଁ।'
ବୋନି କହିଛନ୍ତି, 'ଏସଏସ ରାଜମୌଲି ଆମ ଘରକୁ ଆସିଥିଲେ ଏବଂ ଆମେ ଫିଲ୍ମ ବିଷୟରେ ଆଲୋଚନା କରିଥିଲୁ। ଯେତେବେଳେ ରାଜମୌଲି ଚାଲିଯାଇଥିଲେ, ପ୍ରଯୋଜକମାନେ ତାଙ୍କୁ(ଶ୍ରୀଦେବୀ) ଇଙ୍ଗଲିଶ ଭିଙ୍ଗଲିଶ ପାଇଁ ପାଇଥିବା ଟଙ୍କାଠାରୁ ମଧ୍ୟ କମ୍ ଟଙ୍କା ପ୍ରଦାନ କରିଥିଲେ। ସେ ଜଣେ ସଂଘର୍ଷ କରୁଥିବା ଅଭିନେତ୍ରୀ ନଥିଲେ, ତେଣୁ ମୁଁ କାହିଁକି ଚାହିଁବି ଯେ ମୋ ସ୍ତ୍ରୀ କମ ଟଙ୍କାରେ ଏହି ଅଭିନୟ କରନ୍ତୁ?'
ବୋନି କପୁର ଆହୁରି କହିଛନ୍ତି, 'ଏସବୁ କଥା ପ୍ରଯୋଜକମାନେ ଏସଏସ ରାଜାମୌଲିଙ୍କୁ କହି ନଥିଲେ। ବରଂ, ସେମାନେ(ପ୍ରଯୋଜକ) ହିଁ ଅପରାଧୀ ଥିଲେ ଯିଏ ରାଜାମୌଲିଙ୍କୁ ଭୁଲ କଥା କହିଥିଲେ। ମୁଁ ଏହାର ସାକ୍ଷୀ। ମୁଁ ସେମାନଙ୍କୁ ମୁହଁରେ ଏସବୁ କହିପାରିବି। ସେ ସାକ୍ଷାତକାରରେ ଯାହା କହିଥିଲେ, ତାହା ସବୁ ମିଛ ଥିଲା। ଏହା ଶୋବୁ (ଅର୍କା ମିଡିଆ ୱାର୍କସ ପ୍ରଯୋଜକ ଶୋବୁ ୟାରଲାଗଡ୍ଡା) ହିଁ ସବୁକିଛି କରିଥିଲେ। ରାକେଶ ରୋଶନ, ଯଶ ଚୋପ୍ରା, ରାଘବେନ୍ଦ୍ର ରାଓ ଶ୍ରୀଦେବୀଙ୍କ ସହ ବାରମ୍ବାର କାମ କରିଛନ୍ତି। କିନ୍ତୁ ଏହା ଯେଉଁଭଳି ଘଟିଥିଲା ତାହା ଭୁଲ ଥିଲା। ସେ କେବଳ କହିପାରିଥାନ୍ତେ ଯେ ଆମେ ଏତେ ଟଙ୍କା ଦେଇପାରିବୁ ନାହିଁ।'