ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ୍)ରେ ପରିମଳ କାମ ନେଇଥିବା  ଠିକାସଂସ୍ଥା ‘ ପରିତୋଷ ଏଜେନ୍ସି’ର କାର୍ଯ୍ୟଶୈଳୀକୁ ନେଇ ପୂର୍ବରୁ ଜାତୀୟ ସ୍ବାସ୍ଥ୍ୟ ମିସନର ତଦନ୍ତକାରୀ ଟିମ୍ ପ୍ରଶ୍ନ ଉଠାଇଥିଲେ। ପରିତୋଷ ଏଜେନ୍ସି ଯେବେଠୁ ଆରଜିଏଚ୍ ରେ କାମ ନେଇଛି, ସେବେଠୁ ବିବାଦ ସୃଷ୍ଟି ହୋଇଛି। ଏହି ଠିକାସଂସ୍ଥା ଅଧୀନରେ ବିଭିନ୍ନ ୱାର୍ଡରେ ସଫେଇ ଓ ଅନ୍ୟାନ୍ୟ କାମ କରୁଥିବା ଠିକାକର୍ମଚାରୀମାନେ ବକେୟା ଦରମା ଦାବିରେ ଆଜି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ଦରମା ନ ମିଳିବା ପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଥିଲେ। ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘ ନେତୃତ୍ବରେ ଧାରଣା ବସିଥିବା କର୍ମଚାରୀମାନେ ଆର୍ଜିଏଚ୍ ନିର୍ଦ୍ଦେଶକ ମନୋଜ ଉପାଧ୍ୟୟଙ୍କୁ ସାକ୍ଷାତ କରି ବକେୟା ଦରମା ଦେବାକୁ ଅନୁରୋଧ କରିଥିଲେ। ନିର୍ଦ୍ଦେଶକ ଠିକାସଂସ୍ଥା ବିଲ୍ ଦେଇ ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଆଜି ବିଲ୍ ପହଞ୍ଚିଛି। ଆସନ୍ତାକାଲି (ବୁଧବାର) ସୁଦ୍ଧା ବକେୟା ଦରମା ମିଳିବ ଯିବ ବୋଲି ପ୍ରତିଶ୍ରୁତି  ଦେଇଥିଲେ।

Advertisment

ପ୍ରତିଶ୍ରୁତି ମିଳିବା ପରେ କର୍ମଚାରୀମାନେ ଧାରଣାରୁ ହଟିଥିଲେ। ଆରଜିଏଚ୍ ର ବିଭାଗୀୟ ଅଧିକାରୀଙ୍କ କହିବାନୁଯାୟୀ ଠିକାସଂସ୍ଥା ପରିତୋଷ ଏଜେନ୍ସି ଅଧୀନରେ ପ୍ରାୟ ୮୯ରୁ ଅଧିକ କର୍ମଚାରୀ କାମ କରୁଥିବା କାଗଜପତ୍ରରେ ଦର୍ଶାଯାଉଛି। ବାସ୍ତବରେ କାମ କରୁଛନ୍ତି  ପ୍ରାୟ ୫୨ ଜଣ। ୮୯ କର୍ମଚାରୀଙ୍କ ନାଁରେ ବିଲ୍ କରାଯାଇ ମାସକୁ ପ୍ରାୟ ୪ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍ କରାଯାଉଥିଲା। କେବଳ ଏତିକି ନୁହେଁ ଠିକାସଂସ୍ଥା କର୍ମଚାରୀମାନଙ୍କ ଇଏସ୍ଆଇ ଓ ପିଏଫ୍ ଠିକ୍ ଭାବେ ଜମା କରୁନାହାନ୍ତି। ମାସକୁ ମାସ ବିଲ୍ ପୈଠ କରୁନାହାନ୍ତି। ଗତ ମାର୍ଚ୍ଚ ମାସରୁ ଠିକାସଂସ୍ଥା ବିଲ୍ ପୈଠ କରି ନଥିବାରୁ କର୍ମଚାରୀଙ୍କ ବକେୟା ଦରମା ବିଳିବାରେ ବିଳମ୍ବ ହେହଉଛି। ନିର୍ଦ୍ଦେଶକ ଡାକ୍ତର ଉପାଧ୍ୟାୟ ଭଳି ଠିକାସଂସ୍ଥାକୁ କାହିଁକି କଳା ତାଲିକାଭୁକ୍ତ କରାଯିବ ନାହିଁ ବୋଲି ପ୍ରଶ୍ନ କରିଥିଲେ। ଯେତିକି କର୍ମଚାରୀ କାମ କରୁଛନ୍ତି, ସେତିକି ଦରମା ଦେବାକୁ ନିର୍ଦ୍ଦେଶକ ଡାକ୍ତର ଉପାଧ୍ୟାୟ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଠିକାସଂସ୍ଥାରେ କାମ କରୁଥିବା କର୍ମଚାରୀ ଓ କାଗଜପତ୍ରରେ ଦର୍ଶାଯାଇଥିବା ତାଲିକାକୁ ଯାଞ୍ଚ କରାଗଲେ, କେତେ ଟଙ୍କାର ଦୁର୍ନୀତି ହୋଇଛି ଜଣାପଡ଼ିବ  ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।