ବାଲିପାଟଣା : ଶ୍ରୀକ୍ଷେତ୍ରରେ ଦଳାଚକଟାରେ ଭକ୍ତଙ୍କ ଅକାଳ ବିୟୋଗ ଘଟଣାରେ ଭୁବନେଶ୍ୱର କନିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅଠାନ୍ତର ମହାନ୍ତି ସାହିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି | ଏହି ଗ୍ରାମର ବିଶ୍ୱଜିତ ଦାସଙ୍କ ପତ୍ନୀ ପ୍ରଭାତୀ ଦାସ (୫୨)ଙ୍କ ମୃତ୍ୟୁ ଘଟିଛି | ଗତକାଲି ରାତିରେ ପରିବାର ଲୋକେ ରାତିରେ ରଥ ଉପରେ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ ପାଇଁ ଯାଇଥିଲେ | ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପରିବାର ସହ ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ରଥ ପାଖରେ ଅପେକ୍ଷା କରିଥିଲେ |

Advertisment

ଭୋରୁ ପହୁଡ଼ ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ଠେଲାପେଲା ଭିତରେ ପ୍ରଭାତୀ ତଳେ ପଡି ଯାଇଥିଲେ | ଦଳାଚକଟାରେ ତାଙ୍କର ମୃତ୍ୟୁ ହୋଇଛି | ପରିବାର ଓ ସମ୍ପର୍କୀୟ ମର୍ମାହତ ହୋଇ ପଡିଛନ୍ତି | ମୃତକଙ୍କ ସ୍ୱାମୀ ବିଶ୍ୱଜିତ ଦାସ ପ୍ରଶାସନର ଅବହେଳାକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି | ପୁଲିସ ଓ ପ୍ରଶାସନ ଭିଡ଼ ନିୟନ୍ତ୍ରଣରେ ତ୍ରୁଟି ଯୋଗୁଁ ଏଭଳି ଘଟିଲା ବୋଲି କହିଛନ୍ତି |

 ବିଶ୍ୱଜିତଙ୍କ ସୂଚନା ଅନୁସାରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଶୁକ୍ରବାର ରାତିରେ ପରିବାର ଲୋକେ ରଥ ଉପରେ ଦର୍ଶନ କରିବାକୁ ଯାଇଥିଲେ | ଅସମ୍ଭାଳ ଭିଡ଼ ଦେଖି ମାଳତିପାଟପୁରରୁ ଫେରି ଆସିଥିଲେ | ପୁଣି ଗତକାଲି ରାତିରେ ରାତି ୯ଟା ରେ ୩ଟି କାରରେ ପରିବାର ସଦସ୍ୟଙ୍କ ସହ ଦର୍ଶନ ପାଇଁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିବା ସେ କହିଛନ୍ତି | ପରିବାର ଲୋକେ ସରକାରଙ୍କ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି | ଉକ୍ତ ଘଟଣାର ଉଚ୍ଚସ୍ତରୀୟ ଦଦନ୍ତ ଦାବି କରିଛନ୍ତି |