ବାଟ ହୁଡ଼ି ଗଲା ତାଳଗୁଡ଼ ସଂସ୍ଥା; ୩୯ ସମିତି ଅକାମୀ, ପୁନରୁଦ୍ଧାର ପାଇଁ ଚିନ୍ତା ନାହିଁ

ଭୁବନେଶ୍ବର (ଖଣ୍ଡଗିରି), ହରପ୍ରିୟା ପୃଷ୍ଟି : ଓଡ଼ିଶାରେ ତାଳଗୁଡ଼ ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି। ଗୋଟିଏ କି ଦୁଇଟି ନୁହେଁ, ପାଖାପାଖି ୩୯ଟି ସମିତି ଅଚଳ ହୋ‌ଇପଡ଼ିଛି। ଫଳରେ ରାଜ୍ୟରେ ଏକଦା କୁଟୀର ଶିଳ୍ପ ବିପ୍ଳବ ଭାବେ ଖ୍ୟାତି ଲାଭ କରିଥିବା ଏହି କାରବାର ଏବେ ସ୍ଥିତି ହରାଇବସିଛି। ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶାସନିକ ଅବହେଳାରୁ ଏହି ଲାଭଜନକ ସଂସ୍ଥା ଏବେ ଥାଇ ନଥିବା ଭଳି ଅବସ୍ଥାରେ। ରାଜ୍ୟ ତାଳଗୁଡ଼ ସମବାୟ ସଂଘ ଆଉ ଚର୍ଚ୍ଚାରେ ନାହିଁ। ନୂତନ ତାଳ ଜଙ୍ଗଲ ସୃଷ୍ଟି କରାଯାଉନାହିଁ କିମ୍ବା ସମିତିଗୁଡ଼ିକର ପୁନରୁଦ୍ଧାର ପାଇଁ ବିହିତ ପଦକ୍ଷେପ ନାହିଁ।

ଦେଶ ସ୍ବାଧୀନ ହେବା ପରେ ପରେ ୫୦ ଦଶକରେ ତାଳଗୁଡ଼ ସମବାୟ ସଂଘ ପ୍ରତିଷ୍ଠା କରାଯାଇଥିଲା। ଉତ୍ପାଦନକାରୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବାକୁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ସେହି ସମୟରେ ରାଜ୍ୟର ପାଖାପାଖି ୩୦ ହଜାର ପରିବାର ତାଳଗୁଡ଼ ଉତ୍ପାଦନକୁ ବ୍ୟବସାୟ ଭାବେ ଆଦରି ନେଇଥିଲେ। ବିଶେଷକରି ଉପକୂଳ ଜିଲ୍ଲାର ଗ୍ରାମାଞ୍ଚଳରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଓ ପଛୁଆବର୍ଗର ଲୋକମାନେ ଏହାକୁ ଜୀବିକା ଭାବରେ ଗ୍ରହଣ କରିଥିଲେ। ଗ୍ରାମାଞ୍ଚଳରେ ସମବାୟ ସଂସ୍ଥା ପ୍ରତିଷ୍ଠା କରି ଉତ୍ପାଦନ ବୃଦ୍ଧି କରାଯାଉଥିଲା। ମାତ୍ର ତାଳ ଗଛ ବା ଜଙ୍ଗଲ କମିବାରେ ଲାଗିଲା। ନୂତନ ଜଙ୍ଗଲ ସୃଷ୍ଟି ପାଇଁ ପଦକ୍ଷେପ ନିଆଗଲା ନାହିଁ। ବିଶେଷକରି ୧୯୯୯ ମସିହା ମହାବାତ୍ୟା ପରେ ଉପକୂଳ ଓଡ଼ିଶାରେ ବ୍ୟାପକ ତାଳ ଜଙ୍ଗଲ ଲୋପ ପାଇଗଲା ଓ ତାଳଗୁଡ଼ ଉତ୍ପାଦନ ବହୁ ମାତ୍ରାରେ ପ୍ରଭାବିତ ହେଲା।

ଏବେ ଭରସା ଖଜୁରୀ ବିଞ୍ଝଣା, ଛାଞ୍ଚୁଣି, ପଟି
ତାଳଗୁଡ଼ କମିଛି, ଖଜୁରୀ ଗୁଡ଼ ବିକ୍ରି ହେଉଛି
ଦିନେ କୁଟୀର ଶିଳ୍ପ ବିପ୍ଳବ ଭାବେ ଖ୍ୟାତି ଥିଲା

Navbharat Times

ଆକଳନ ହିସାବରେ ଏକଦା ରାଜ୍ୟରେ ଥିବା ୪୦ ଲକ୍ଷ ତାଳଗଛ ମହାବାତ୍ୟା ପରେ ୧୦ ଲକ୍ଷ ତଳକୁ ଖସି ଆସିଲା। ଏବେ ରାଜ୍ୟରେ ମାତ୍ର ୪୦.୪୦୬ ଏକର ତାଳଜଙ୍ଗଲ ଥିବା ଆକଳନ କରାଯାଉଛି। ପୂର୍ବରୁ ପୁରୀ, କଟକ, ଖୋର୍ଦ୍ଧା, ବାଲେଶ୍ବର, ଜଗତସିଂପୁର, ଭଦ୍ରକ, ଯାଜପୁର, ଗଞ୍ଜାମ, ଗଜପତି, ଢେଙ୍କାନାଳ, ଅନୁଗୁଳ ଜିଲ୍ଲାରେ ବ୍ୟାପକ ତାଳଗୁଡ଼ ଉତ୍ପାଦନ ହେଉଥିଲା। ଏବେ କେବଳ ଗଜପତି, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ କିଛି ଉତ୍ପାଦନ ହେଉଛି। ତାଳଗୁଡ଼ ସମବାୟ ସଂଘ ପକ୍ଷରୁ କଟକ ଚାନ୍ଦିନୀଚୌକ, ଭୁବନେଶ୍ବର ଗଣ୍ଡମୁଣ୍ଡା ଓ ୟୁନିଟ-୨ ମାର୍କେଟସ୍ଥିତ ବିକ୍ରୟ କେନ୍ଦ୍ରକୁ ଆଉ ତାଳଗୁଡ଼ ଆସୁନଥିବା ଜଣାପଡ଼ିଛି। ବରଂ ଏହି ବିକ୍ରୟକେନ୍ଦ୍ରରେ ତାଳଗୁଡ଼ ବଦଳରେ କିଛି ପରିମାଣର ଖଜୁରିଗୁଡ଼ ବିକ୍ରି ହେଉଛି। ରାଜ୍ୟ ସରକାରଙ୍କର ଆନ୍ତରିକତାର ଅଭାବରୁ ୧୯୫୯ ମସିହାରେ ପ୍ରତିଷ୍ଠା ହୋଇଥିବା ତାଳଗୁଡ଼ ସମବାୟ ସଂଘ ଏବେ ପ୍ରାୟ କୋମା ଅବସ୍ଥାରେ। ୬୩ ବର୍ଷର ଏହି ସମବାୟ ସଂଘ ଦିନକୁ ଦିନ ତଳକୁ ତଳ ଖସୁଛି। ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଥିବା ତାଳ ଜଙ୍ଗଲର ଘନତା ବହୁ ମାତ୍ରାରେ କମୁଛି। ନୂଆ ଗଛ ଲଗାଇବା କାର୍ଯ୍ୟକ୍ରମ ନାହିଁ। ତେବେ କେବଳ ନାମକୁ ମାତ୍ର ରହିଛି ସମବାୟ ସଂଘ। ତାଳଗୁଡ଼ ଉତ୍ପାଦନ ବଦଳରେ କିଛି କିଛି ସ୍ଥାନରେ ସମବାୟ ସଂଘ ପକ୍ଷରୁ ତାଳପତ୍ର ଉପକରଣ ବିଞ୍ଚଣା, ଝୁଡି, ଛାଞ୍ଚୁଣି, ତାଳ ଚକ୍ଲେଟ ଓ ପଟି ଆଦି ତିଆରି କରାଯାଉଛି।

ତେବେ ଏନେଇ ତାଳଗୁଡ଼ ସମବାୟ ସଂଘର ପରିଚାଳନା ନିର୍ଦ୍ଦେଶକ ଚିଦାନନ୍ଦ ମିଶ୍ର କହିଛନ୍ତି ଯେ ଗତ ୨ ବର୍ଷ ହେଲା ତାଳଗୁଡ଼ ଉତ୍ପାଦନ କିଛି ବୃଦ୍ଧି ପାଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ସଂଘ ୧୨୦ କ୍ବିଣ୍ଟାଲ, ୨୦୧୮-୧୯ରେ ୭୦ କ୍ବିଣ୍ଟାଲ, ୨୦୧୯-୨୦ରେ ୯୦ କ୍ବିଣ୍ଟାଲ ଉତ୍ପାଦନ କରିଥିବା ବେଳେ ୨୦୨୦-୨୧ରେ ୩୭୦ କ୍ବିଣ୍ଟାଲ ଏବଂ ୨୦୨୧-୨୨ରେ ୪୭୦ କ୍ବିଣ୍ଟାଲ ଉତ୍ପାଦନ ହୋଇଛି। ଅକାମୀ ହୋଇପଡ଼ିଥିବା ୩୯ଟି ତାଳଗୁଡ଼ ସମିତିମଧ୍ୟରୁ ୮ଟିର ପୁନରୁଦ୍ଧାର କରାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର