ଆଶା-ଆଶଙ୍କାରେ ତାରକା-ରାଜନେତା : ସିଦ୍ଧାନ୍ତ ଓ ଆକାଶଙ୍କ ପ୍ରାର୍ଥୀତ୍ୱ ନେଇ ଦ୍ୱନ୍ଦ୍ୱ, ଅରିନ୍ଦମ ଆଶାବାଦୀ

ଭୁବନେଶ୍ୱର (ସୁବ୍ରତ ଦାସ): ବିଜୁ ଜନତା ଦଳରେ ଦଳୀୟ ପ୍ରାର୍ଥୀ ମନୋନୟନ ଜୋର୍‌ ଧରିଥିବା ବେଳେ ଏବେ ଦଳରେ ଥିବା ଓଡ଼ିଆ ଚଳଚ୍ଚିତ୍ର ତାରକା ପ୍ରାର୍ଥୀତ୍ୱ ନେଇ ଚର୍ଚ୍ଚାକୁ ଆସିଛନ୍ତି। କାହାକୁ ଟିକେଟ୍‌ ମିଳିବ ଓ କାହାର ଟିକେଟ୍‌ କଟିବ ତାହା ଏବେ ରାଜନୈତିକ ମହଲରେ ଆଲୋଚନାର ବିଷୟବସ୍ତୁ ପାଲଟିଛି। ମୁଖ୍ୟତଃ ୪ ଅଭିନେତା ଏବେ ଚର୍ଚ୍ଚାରେ । ସେମାନେ ହେଲେ ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶ ଦାସ ନାୟକ ଓ ଅରିନ୍ଦମ ରାୟ।

ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରୁଥିବା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଚର୍ଚ୍ଚାକୁ ଆସିଛନ୍ତି,କାରଣ ସେ ଏଥର ଟିକେଟ ପାଇ ନ ପାରନ୍ତି ବୋଲି ଦଳୀୟ ମହଲରେ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ସେଠାରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ନିକଟରେ ବିଜେଡ଼ିରେ ଯୋଗ ଦେଇଥିବା କଂଗ୍ରେସ ନେତା ଚନ୍ଦ୍ରଶେଖର ସାହୁ ଏଥର ଟିକେଟ ପାଇପାରନ୍ତି ବୋଲି ଆକଳନ ହେଉଛି। ଶ୍ରୀ ସାହୁ ଆଜି ନବୀନ ନିବାସରେ ଦଳର ମୁଖିଆଙ୍କୁ ଭେଟିଛନ୍ତି।

ତେଣେ ବିଜେଡ଼ିରେ ନିକଟରେ ଯୋଗ ଦେଇଥିବା ଚଳଚ୍ଚିତ୍ର ତାରକା ଅରିନ୍ଦମ ରାୟ ଆଜି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଯାଜପୁର ଜିଲ୍ଲାର ଯେ କୌଣସି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ଇଛା ପ୍ରକାଶ କରିଛନ୍ତି। ଶ୍ରୀ ରାୟ ହେଉଛନ୍ତି ଯାଜପୁର ଜିଲ୍ଲାର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କର ଭିଣୋଇ। ସେ ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅଭିନେତା ତଥା ବର୍ତ୍ତମାନର ବିଧାୟକ ଆକାଶ ଦାସ ନାୟକଙ୍କ ବଦଳରେ ଟିକେଟ ପାଇପାରନ୍ତି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି।

କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଗତଥର ପ୍ରତିଦ୍ୱନ୍ଦିତା କରିଥିବା ଲୋକପ୍ରିୟ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ଏଥର ଟିକେଟ ପାଇବା ନେଇ ଅନିଶ୍ଚିତତା ଦେଖା ଦେଇଛି। ସେହି ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ୱ କରୁଥିବା ସ୍ୱାଧୀନ ବିଧାୟକ ସନାତନ ମହାୁକଡ଼ ନିକଟରେ ଦଳର ସୁପ୍ରିମୋଙ୍କୁ ଭେଟିଥିବାର ଜଣାଯାଏ।

ଅନ୍ୟପକ୍ଷରେ ରାଜ୍ୟସଭା ସାଂସଦ ଥିବା ଅଭିନେତା ଅନୁଭବ ମହାନ୍ତି କେନ୍ଦ୍ରାପଡ଼ାରେ ଅନୁଷ୍ଠିତ ମିସନ୍‌ ଶକ୍ତି ସମାବେଶରେ ଯୋଗ ଦେଇ ବକ୍ତବ୍ୟ ରଖିବା ପରେ ସେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏବେ ସମସ୍ତଙ୍କ ନଜର ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଉପରେ କେନ୍ଦ୍ରୀଭୂତ ହୋଇଛି।

ସମ୍ବନ୍ଧିତ ଖବର