ରାଜ୍ୟରେ କଂଗ୍ରେସର ନୈରାଶଜନକ ପ୍ରଦର୍ଶନ

ଭୁବନେଶ୍ୱର: ରାଜ୍ୟରେ ଚଳିତ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ନୈରାଶଜନକ ହୋଇଛି। ଟ୍ରେଣ୍ଡ୍‌ ଅନୁସାରେ ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ କୌଣସିଟିରେ ଦଳର ପ୍ରାର୍ଥୀ ଆଗୁଆ ନାହାନ୍ତି। କେବଳ ନବରରଙ୍ଗପୁର ଲୋକସଭା ଆସନରେ ଦଳୀୟ ପ୍ରାର୍ଥୀ ପ୍ରଦୀପ ମାଝୀ କଡ଼ା ଟକ୍କର ଦେଉଛନ୍ତି। ଶ୍ରୀ ମାଝୀ ପୂର୍ବରୁ ୨୦୦୯ ନିର୍ବାଚନରେ ଏହି ଆସନ ଜିତିିଥିଲେ।

ସେହିପରି ବିଧାନସଭା ନିର୍ବାଚନରେ ଦଳର ଫଳାଫଳ ଭଲ ହୋଇନାହିଁ। ଟ୍ରେଣ୍ଡ୍‌ ଅନୁସାରେ ଦଳର ପ୍ରାର୍ଥୀ ୧୪୭ଟି ବିଧାନସଭା ଆସନ ମଧ୍ୟରୁ ମାତ୍ର ୧୩ଟିରେ ଆଗୁଆ ରହିଛି। ଗତଥର ଦଳ ୧୬ଟି ଆସନ ଜିତି ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଥିଲା। କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ବିରୋଧୀ ଦଳ ନେତା ହୋଇଥିଲେ। ଏଥର ଶ୍ରୀ ମିଶ୍ର ବଲାଙ୍ଗୀର ବିଧାନସଭା ଆସନରେ କଡ଼ା ଟକ୍କର ଦେଉଛନ୍ତି।

ନିର୍ବାଚନ ଫଳାଫଳ ଉପରେ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରି ପ୍ରଦେଶ କଂଗ୍ରେସର କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ‘ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ଆମେ ଜନାଦେଶକୁ ନମ୍ରତାର ସହ ଗ୍ରହଣ କରୁଛୁ। ତେବେ ନରେନ୍ଦ୍ର ମୋଦୀ କେନ୍ଦ୍ରରେ ଏବଂ ନବୀନ ପଟ୍ଟନାୟକ ରାଜ୍ୟରେ ପୁଣି ଥରେ ଯଦି କ୍ଷମତାକୁ ଆସୁଛନ୍ତି ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ।’

ସମ୍ବନ୍ଧିତ ଖବର