ପ୍ରବଳ ଥଣ୍ଡା ପଡ଼ିବା ନେଇ ସୂଚନା ମିଳିବା ପରେ ଲୋକଙ୍କ ପାଇଁ ଆଗୁଆ ବ୍ୟବସ୍ଥା ଗ୍ରହଣ କଲେ ରାଜ୍ୟ ସରକାର

ଭଦ୍ରକରେ ୨୨ ଜଣ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର

ଭୁବନେଶ୍ୱର: ଗତଏକ ସପ୍ତାହ ହେବ ସମଗ୍ର ରାଜ୍ୟରେ ପ୍ରବାହିତ ହେଉଥିବା ଶୀତଲହରୀ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ରାଜ୍ୟର ଅଧିକାଂଶ ଜିଲ୍ଲାରେ ହଡ଼ାଭଙ୍ଗା ଶୀତ କାରଣରୁ ସନ୍ଧ୍ୟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡ଼ିଛି। ଏପରିକି ଦିନ ୪ଟାରେ ମଧ୍ୟ ଶୀତବସ୍ତ୍ରର ଆବଶ୍ୟକତା ହେଉଛି। ତେବେ ଆଗାମୀ ଦିନରେ ରାଜ୍ୟରେ ଥଣ୍ଡାର ପ୍ରକୋପ ଆହୁରି ବଢ଼ିବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ମିଳିବା ପରେ ରାଜ୍ୟ ସରକାର ଗରିବ ଓ କୁଡ଼ିଆ ଘରେ ଜୀବନ ବିତାଉଥିବା ଲୋକଙ୍କ ପାଇଁ ଆଗୁଆ ବ୍ୟବସ୍ଥା ଗ୍ରହଣ କରିଛନ୍ତି।

ସ୍ୱତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) ଏସଂପର୍କରେ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖି ଗରିବ ଓ କୁଡ଼ିଆ ଘରେ ରହୁଥିବା ଲୋକମାନଙ୍କ ପାଇଁ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାପାଳମାନେ ନିଜ ନିଜର ବିଡିଓ, ତହସିଲଦାର ଓ ଗ୍ରାମପଞ୍ଚାୟତର ସରପଞ୍ଚମାନଙ୍କୁ ଏନେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ଥଣ୍ଡାରୁ ର୪ା ପାଇବା ପାଇଁ ଗରିବ ଲୋକମାନେ ରାତ୍ରିକାଳୀନ ଆଶ୍ରୟସ୍ଥଳୀର ଆବଶ୍ୟକତା କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ସେମାନଙ୍କୁ ରାତ୍ରୀକାଳୀନ ଆଶ୍ରୟସ୍ଥଳୀ ରୂପେ ସେହିସବୁ ଅଞ୍ଚଳମାନଙ୍କରେ ଉପଲବ୍ଧ ଥିବା ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ସରକାରୀ କୋଠାରେ ବ୍ୟବସ୍ଥା କରିବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ଏସ୍‌ଆରସି।

ଶୀତକୁ ଦୃଷ୍ଟିରେ ରଖି ଭଦ୍ରକ ସହରରେ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ନିର୍ଦ୍ଦେଶକ୍ରମେ ଶନିବାର ୨୨ ଜଣ ବାସହରାଙ୍କୁ ଆଶ୍ରୟସ୍ଥଳରେ ରଖାଯାଇଛି। ସେହିପରି ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଗରିବ ଲୋକଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନଙ୍କୁ ରାତ୍ରୀକାଳୀନ ଆଶ୍ରୟସ୍ଥଳୀ ଯୋଗାଇ ଦେବାକୁ ପଦକ୍ଷେପ ନେଉଛି ଜିଲ୍ଲା ପ୍ରଶାସନ।

ସୂଚନାଯୋଗ୍ୟ ରାଜ୍ୟର କିଛି ସ୍ଥାନରେ ପାରା ୧୦ ଡିଗ୍ରି ତଳକୁ ଖସିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ତାପମାତ୍ରା ସର୍ବାଧିକ ୨୭.୫ ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇଥିବା ବେଳେ ସୋନପୁରରେ ତାପମାତ୍ରା ସର୍ବନିମ୍ନ ୪ ଡିଗ୍ରି ରେକର୍ଡ କରାଯାଇଛି। ବର୍ତ୍ତମାନର ତାପମାତ୍ରାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରାଜ୍ୟର ୧୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।

ସମ୍ବନ୍ଧିତ ଖବର