ରାଉରକେଲା: କନିଷ୍ଠ ପୁରୁଷ ରାଜ୍ୟ ହକି ପ୍ରତିଯୋଗିତାର କ୍ବାର୍ଟରଫାଇନାଲ ସୂଚୀ ଚୂଡ଼ାନ୍ତ ହୋଇଛି। ମଙ୍ଗଳବାର ସମସ୍ତ ୪ଟି ଯାକ କ୍ବାର୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ। ପ୍ରଥମ କ୍ବାର୍ଟର ଫାଇନାଲ ମ୍ୟାଚ୍‌ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ଓ ଝାରସୁଗୁଡ଼ା ମଧ୍ୟରେ ଖେଳାଯିବାକୁ ଥିବାବେଳେ ପାନପୋଷ କ୍ରୀଡ଼ା ଛାତ୍ରାବାସ(ରାଉରକେଲା) ଓ ଗାଙ୍ଗପୁର ହକି ଆସୋସିଏସନ ମଧ୍ୟରେ ଦ୍ବିତୀୟ, ଓଏନ୍‌ଟିଏଚ୍‌ଏଚ୍‌ପିସି ଓ ଦେବଗଡ଼ ମଧ୍ୟରେ ତୃତୀୟ ଏବଂ ସୁନ୍ଦରଗଡ଼ ଓ ଖୋର୍ଦ୍ଧା ମଧ୍ୟରେ ଅନ୍ତିମ କ୍ବାର୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ।
Advertisment
ସୋମବାର ୮ଟି ଲିଗ୍‌ ମ୍ୟାଚ୍‌ ଖେଳାଯାଇଥିଲା। ଆର୍‌ଏସ୍‌ପି ୭-୦ ଗୋଲରେ ଅନୁଗୁଳକୁ ପରାସ୍ତକରି ପ୍ରଥମ ଦଳଭାବେ କ୍ବାର୍ଟର ଫାଇନାଲ ପ୍ରବେଶ କରିଥିବାବେଳେ ଝାରସୁଗୁଡ଼ା ୨-୧ ଗୋଲରେ ଗଞ୍ଜାମକୁ, ଗାଙ୍ଗପୁର ହକି ଆସୋସିଏସନ ୬-୦ ଗୋଲରେ ଭୁବନେଶ୍ବର ହକି କ୍ଲବକୁ ଓଏନ୍‌ଟିଏଚ୍ଏଚ୍‌ପିସି ୧୦-୦ ଗୋଲରେ ସମ୍ବଲପୁରକୁ, ଦେବଗଡ଼ ୬-୦ ଗୋଲରେ ନୟାଗଡ଼କୁ, ସୁନ୍ଦରଗଡ଼ ୬-୦ ଗୋଲରେ ଏସ୍‌ଏମଏସ୍‌ ହକି ଏକାଡେମୀ, ପାନପୋଷ କ୍ରୀଡ଼ା ଛାତ୍ରାବାସ ୮-୧ ଗୋଲରେ ବଲାଙ୍ଗୀର ଓ ଖୋର୍ଦ୍ଧା ୫-୦ ଗୋଲରେ ଢ଼େଙ୍କାନାଳକୁ ପରାସ୍ତକରି କ୍ବାର୍ଟର ଫାଇନାଲ ସ୍ଥାନ ସୁରକ୍ଷିତ କରିଛନ୍ତି। ସେହିଭଳି ଆଜିଠାରୁ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ବରିଷ୍ଠ ମହିଳା ରାଜ୍ୟ ହକି ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିନରେ ମୋଟ୍‌ ୭ଟି ମ୍ୟାଚ୍‌ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍‌ରେ ନୟାଗଡ଼ ୫-୦ ଗୋଲରେ ସମ୍ବଲପୁରକୁ ପରାସ୍ତ କରିଥିବାବେଳେ ପାନପୋଷ କ୍ରୀଡ଼ା ଛାତ୍ରାବାସ(ରାଉରକେଲା) ୮-୦ ଗୋଲରେ କେନ୍ଦ୍ରାପଡ଼ାକୁ, ଦେବଗଡ଼ ୬-୦ ଗୋଲରେ ରାୟଗଡ଼ାକୁ, ଓଡ଼ିଶା ସେକ୍ରେଟାରିଏଟ୍‌ ୫-୦ ଗୋଲରେ ଏସ୍‌ଏମଏସ୍‌ ହକି ଏକାଡେମୀକୁ, ଙ୍କୋନାଳ ୬-୦ ଗୋଲରେ ଗଜପତିକୁ, ଓଡ଼ିଶା ପୁଲିସ ୫-୦ ଗୋଲରେ କୋରାପୁଟକୁ ଓ ଗାଙ୍ଗପୁର ହକି ଆସୋସିଏସନ ୭-୦ ଗୋଲରେ ଝାରସୁଗୁଡ଼ାକୁ ପରାସ୍ତ କରିଛି।