ପରିବେଶ ସମସ୍ୟାର ମୁକାବିଲା ଆଜିର ଆହ୍ବାନ : ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ବିଶ୍ବ ପରିବେଶ ଦିବସ

ଭୁବନେଶ୍ବର : ରାଜ୍ୟରେ ୨୦୧୮ ମସିହାରୁ ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯାଇଛି। ପ୍ଲାଷ୍ଟିକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ସହିତ ବ୍ୟାପକ ବୃକ୍ଷରୋପରଣ କରାଯାଉଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ପରିବେଶ ଅଧ୍ୟୟନ କେନ୍ଦ୍ର, ବିଦ୍ୟାଳୟରେ ଇକୋ କ୍ଲବ୍ ଓ ସ୍ଥାନୀୟ ଗୋଷ୍ଠୀଙ୍କ ସହଯୋଗରେ ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ହଟାଇବା ପାଇଁ କାର୍ଯ୍ୟ ପ୍ରଶଂସାଯୋଗ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୋମବାର ଦିନ ଲୋକସେବା ଭବନରେ ରାଜ୍ୟସ୍ତରୀୟ ବିଶ୍ବ ପରିବେଶ ଦିବସ-୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏକ ଭିଡିଓ ବାର୍ତା ଜରିଆରେ ମୁଖ୍ୟ ଅତିଥିଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ‘ବିଟ୍‌ ପ୍ଲାଷ୍ଟିକ୍ ପଲ୍ୟୁସନ’ ଅଭିଯାନ ଅଧୀନରେ ଚଳିତବର୍ଷର ବିଷୟବସ୍ତୁ ହେଉଛି ‘ପ୍ଲାଷ୍ଟିକ ପ୍ରଦୂଷଣର ସମାଧାନ’। ପରିବେଶ ସଂପର୍କିତ ସମସ୍ୟାର ମୁକାବିଲା ପାଇଁ କାର୍ଯ୍ୟ କରିବା ଆଜିର ସମୟର ଆହ୍ବାନ। ଦୈନନ୍ଦିନ ଜୀବନରେ ପରିବର୍ତନ ଆଣି ପ୍ଲାଷ୍ଟିକ ପ୍ରଦୂଷଣର ପ୍ରଭାବ ହ୍ରାସ କରିବା ପାଇଁ ଚଳିତବର୍ଷର ବିଷୟବସ୍ତୁ ସମସ୍ତଙ୍କୁ ଆହ୍ବାନ କରୁଛି। ସ୍ବାସ୍ଥ୍ୟ, ଅର୍ଥନୀତି ଓ ପରିବେଶ ଉପରେ ଏହାର ହାନିକାରକ ପ୍ରଭାବକୁ ଅଣାଦେଖା କରାଯାଇପାରିବ ନାହିଁ। ଜଳବାୟୁ ପରିବର୍ତନର ପ୍ରଭାବକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଦ୍ବିତୀୟ ରାଜ୍ୟ ଜଳବାୟୁ ପରିବର୍ତନ କ‌ାର୍ଯ୍ୟ ଯୋଜନା ପ୍ରଣୟନ କରିଛନ୍ତି। ଯାହାକି ସ୍ବଚ୍ଛ ଓ ସବୁଜ ରାଜ୍ୟ ପ୍ରତିବଦ୍ଧତାକୁ ଦୋହରାଉଛି। ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ବ୍ୟବହାର ନ କରିବା ଓ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ସଂକଳ୍ପବଦ୍ଧ ହେବା ସହ ପ୍ଲାଷ୍ଟିକ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସବୁ ସ୍ତରରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି।

ମାଲକାନିଗିରି ‘ସମ୍ବାଦ ସାହିତ୍ୟଘର’ ସମେତ ୧୭୩ ଜଣଙ୍କୁ ପ୍ରକୃତି ମିତ୍ର ପୁରସ୍କାର

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ କହିଥିଲେ, ବ୍ୟାପକ ସଚେତନତା ସହିତ ବିକଳ୍ପ ବ୍ୟବହାର ଦ୍ବାରା ହିଁ ପ୍ରଦୂଷଣକୁ ରୋକାଯାଇ ପାରିବ। ଯାନବାହନ ପ୍ରଦୂଷଣ ହ୍ରାସ କରିବା ପାଇଁ ୨୦୨୫ ସୁଦ୍ଧା ୨୦ ପ୍ରତିଶତ ବୈଦ୍ୟୁତିକ ଯାନବାହନ ଚଳପ୍ରଚଳକୁ ଲକ୍ଷ୍ୟ ରଖି ରାଜ୍ୟ ଇଭି ନୀତି ପ୍ରସ୍ତୁତ କରାଯାଇଛି। ରାଜ୍ୟ ସରକାର ବର୍ଦ୍ଧିତ ରିହାତି ପ୍ରଦାନ କରୁଥିବା ଶ୍ରୀ ଅମାତ କହିଥିଲେ। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଥିଲେ, ପ୍ଲାଷ୍ଟିକ ପୃଥିବୀ ପାଇଁ କ୍ଷତିକାରକ। ଏହାର ବ୍ୟବହାରକୁ କମାଇବା ପାଇଁ କାଗଜ, କାଚ କିମ୍ବା ପରିବେଶ ଅନୁକୂଳ ଜିନିଷର ବ୍ୟବହାର କରିବାକୁ ହେବ। ରାସ୍ତା ନିର୍ମାଣ କିମ୍ବା ସିମେଣ୍ଟ କାରଖାନାରେ ପ୍ଲାଷ୍ଟିକ ବ୍ୟବହାର ସହ ବ୍ୟାପକ ବନୀକରଣ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଥିବା ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରିଅଲ ଇଷ୍ଟେଟ୍‌ ରେଗୁଲେଟାରି ଅଥରିଟିର ଅଧ୍ୟକ୍ଷ ସିଦ୍ଧାନ୍ତ ଦାସ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ମାଲକାନଗିରି ‘ସମ୍ବାଦ ସାହିତ୍ୟଘର’ ଶାଖା ସମେତ ୧୭୩ ପ୍ରକୃତି ମିତ୍ର ଓ ୧୮୭ ପ୍ରକୃତି ବନ୍ଧୁଙ୍କୁ ପୁରସ୍କୃତ କରାଯାଇଥିଲା। ମାଲକାନିଗିରି ‘ସମ୍ବାଦ ସାହିତ୍ୟଘର’ ଉପଦେଷ୍ଟା ଡ. ରଞ୍ଜନ କୁମାର ସ୍ବାଇଁ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତଙ୍କଠାରୁ ଏହି ମାନପତ୍ର ଓ ପୁରସ୍କାର ରାଶି ଗ୍ରହଣ କରିଥିଲେ।

ଛାତ୍ରଛାତ୍ରୀଙ୍କୁ ମଡେଲ ପ୍ରଦର୍ଶନୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ପରିବେଶ ଅଧ୍ୟୟନ କେନ୍ଦ୍ର ଦ୍ବାରା ପ୍ରକାଶିତ ଇକୋ କ୍ଲବ୍ ବାର୍ଷିକ ବିବରଣୀ, ମିସନ ଲାଇଫ ପୁସ୍ତିକା, ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ଦ୍ବାରା ପ୍ରକାଶିତ ଫଙ୍ଗି ଅଫ ଓଡ଼ିଶା ଓ ରିପ୍ରଡକସନ ଅଫ ରେଟ୍‌ ଆଣ୍ଡ ସ୍ପେସିଆଲ ଗ୍ରୁପ୍ ଅଫ ପ୍ଲାଣ୍ଟସ୍ ପୁସ୍ତକ ଉନ୍ମୋଚିତ ହୋଇଥିଲା। ପ୍ରଧାନ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ବାଳ ସ୍ବାଗତ ଭାଷଣ ଦେଇଥିବା ବେଳେ ନିର୍ଦେଶକ(ପରିବେଶ) କେ.ମୁରୁଗେସନ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର