ରାଉର‌କେଲା: ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ରାଉରକେଲା ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିଛନ୍ତି। ସେ ରାଉରକେଲା ମହାନଗର ନିଗମ, ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ଏବଂ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରିଥିଲେ। ବିଭିନ୍ନ ପ୍ରକଳ୍ପଗୁଡ଼ିକର ଅଗ୍ରଗତିର ସମୀକ୍ଷା କରି ରାଉରକେଲାବାସୀଙ୍କୁ ଉତ୍କୃଷ୍ଟମାନର ସୁବିଧା ସୁଯୋଗ ଯୋଗାଇ ଦେବା ଉପରେ ଗୁରୁତ୍ଵ ଦେଇଥିଲେ। ସହରରେ ଯାତାୟତକୁ ସୁଗମ କରିବା ପାଇଁ ସ୍ଥାନୀୟ ରିଂ ରୋଡ୍ ଠାରୁ ଇ-ବସ୍ ଟର୍ମିନାଲ ପର୍ଯ୍ୟନ୍ତ କଙ୍କ୍ରିଟ୍ ରାସ୍ତା ଓ ଡ୍ରେନ୍ ନିର୍ମାଣ କାମର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଉରକେଲା ମହାନଗର ନିଗମ ତରଫରୁ ସ୍ଥାନୀୟ ବାସନ୍ତୀ କଲୋନିରେବାସନ୍ତୀ ବିଦ୍ୟାପୀଠର ଉନ୍ନତିକରଣ କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ ସେ ଏହାର ଶିଳାନ୍ୟାସ କରିଥିଲେ।

Advertisment

ରାଉରକେଲା ମହାନଗର ନିଗମ ତରଫରୁ ପୂର୍ବରୁ ୧୦ଟି ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ କରାଯାଇଥିବା ବେଳେ ଚଳିତ ବର୍ଷ ଆଉ ୭ଟି ବିଦ୍ୟାଳୟର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଛି। ଏହି ଉନ୍ନତିକରଣ କାର୍ଯ୍ୟକ୍ରମରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଶ୍ରେଣୀଗୃହ ନିର୍ମାଣ ସହ ବିଦ୍ୟାଳୟ ପରିସରରେ ସ୍ଵଚ୍ଛ ଶୌଚାଳୟ ଓ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଉଛି। ଏଥିସହ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଆର୍‌ଏମସି ସଭାଗୃହରେ ରାଉରକେଲା ମହାନଗର ନିଗମ ଓ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ତରଫରୁ ସହରରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ। ସେ ଆରଏମସିର ପାରିପାର୍ଶ୍ବିକ ଅଞ୍ଚଳ ଗୁଡ଼ିକର ଉନ୍ନତିକରଣ ସହ ଲୋକମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବା, ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା, ରାସ୍ତାରେ ଗୋରୁଗାଈଙ୍କ ଚଳପ୍ରଚଳକୁ ରୋକିବା ପାଇଁ କାଞ୍ଜିଆହୁଦା ନିର୍ମାଣ, ବେଆଇନ୍ ଜବରଦଖଲ ଉଚ୍ଛେଦ କରିବା ଉପରେ ଗୁରୁତ୍ଵ ଦେଇଥିଲେ। ଏଥିସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଏକ ବିକଶିତ ରାଷ୍ଟ୍ର ଗଠନରେ ରାଉରକେଲା ସହରର ଭାଗୀଦାରୀକୁ ସୁନିଶ୍ଚିତ କରିବା ପାଇଁ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ। ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପରିଦର୍ଶନ କରିବା ସହ ସ୍ଥାନୀୟ ଅଞ୍ଚଳରେ ହକିର ପ୍ରଭାବ ତଥା ଗୁରୁତ୍ଵ ବିଷୟରେ ଜାଣି ଖୁସି ହୋଇଥିଲେ। ରାଉରକେଲା ବିଧାୟକ  ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ, ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ରାଉରକେଲା ମହାନଗର ନିଗମ ଆୟୁକ୍ତ ଆଶୁତୋଷ କୁଲକର୍ଣ୍ଣିଙ୍କ ସହ ଆରଏମସି, ଆରଡିଏ, ୱାଟକୋର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।