ରମେଶ ପାଖରେ ଥିଲେ ବାରି‌ଗୋଟି ଗାଈ। ଗାଈଙ୍କ ସହିତ ବାଛୁରିଗୁଡ଼ିକୁ ଗଣିଲେ ସଂଖ୍ୟା କୋଡ଼ିଏ ଉପରେ। ଗାଈଙ୍କଠାରୁ ବର୍ଷସାରା କ୍ଷୀର ଉତ୍ପାଦନ କରି ତା’ ପରିବାର ଚଳେ। ଗାଈ ଓ ବାଛୁରିମାନଙ୍କୁ ସେ ନିଜର ପରିବାରର ସଦସ୍ୟ ଭଳି ଆଦର କରେ ଓ ସେମାନଙ୍କର ଯତ୍ନ ନିଏ। ସେମାନଙ୍କ ପାଇଁ ଘାସ, ଦାନା, ଚୋକଡ଼, କୁଣ୍ଡା ଓ ନଡ଼ା ଯୋଗାଇବାରେ କେବେ ଅବହେଳା କରେ ନାହିଁ। ମଝିରେ ମଝିରେ ସେମାନଙ୍କୁ ଗାଧୋଇଦେବା ଓ ଗୁହାଳକୁ ପରିସ୍କାର ପରିଛନ୍ନ ରଖିବା ତାର ନିତିଦିନିଆ କାମ। ସକାଳ ପ୍ରହର ଗାଈ ଦୁହାଁପରେ, ସେମାନଙ୍କୁ ଖୁଆଇ ପିଆଇ ସେ ଚରାଇବା ପାଇଁ ନିଏ। ଖରା ନଇଁଲେ ଗାଈପଲଙ୍କୁ ଧରି ଘରକୁ ଫେରିବା ଓ ପୁଣି କାମରେ ଲାଗିଯିବା ତା’ର ଅଭ୍ୟାସ। ଗାଈମାନଙ୍କ ସେବା କରୁଥିବାରୁ ସେ ଖୁବ୍ ଖୁସିରେ ଦିନ କାଟୁଥାଏ।

Advertisment

ଗୋଟିଏ ନାଲି ଗାଈ, ନାଁ ଟି ତା’ର ଚମ୍ପା, ଦେଖିବାକୁ ଭାରି ସୁନ୍ଦର। ଛୋଟ ଥିବା ସମୟରେ ସେ ଥିଲା ଖୁବ୍ ଶାନ୍ତ। ବୟସ ବଢ଼ିବା ଅନୁସାରେ,ତାର ସ୍ୱଭାବରେ ଟିକିଏ ଟିକିଏ ପରିବର୍ତ୍ତନ ଦେଖାଦେଲା। ଚରିବାକୁ ଯିବା ସମୟରେ କାହା ବାଡ଼ିରେ ପଶିଯାଇ ଫସଲ ଖାଇବା ତଥା ଚରା ପଡ଼ିଆକୁ ଲାଗିଥିବା ଚାଷ ଜମିରେ ପଶି ଶସ୍ୟ ନଷ୍ଟ କରିବା ତା’ର ଅଭ୍ୟାସ ପାଲିଟି ଗଲା। ଏପରି ଓଲେଇପଣ ପାଇଁ ଅନେକଥର ପିଟା ଖାଇଲା ପରେ ବି ସେ ସୁଧୁରିଲା ନାହିଁ। ଶେଷକୁ ତା’ ବେକରେ ଢିଙ୍କିଆ ବାନ୍ଧିବା ପାଇଁ ରମେଶ ମନସ୍ଥ କଲା। ଢିଙ୍କିଆ ବନ୍ଧା ହେବାରୁ ଚମ୍ପା ଜୋରରେ ଚାଲିପାରିଲା ନାହିଁ।

ଚାଲିଲା ବେଳେ ଢିଙ୍କିଆ ଆଗଗୋଡ଼ ଦୁଇଟିରେ ପିଟିହେବାରୁ, ଆଣ୍ଠୁପାଖ ଖଣ୍ଡିଆ ହୋଇ ରକ୍ତ ବାହାରିବା ସାଥେ ସାଥେ ଦରଜ ହୋଇ ଯନ୍ତ୍ରଣା ବଢ଼ାଇ ଦେଲା। ତିନି ଚାରିଦିନ ପରେ ସେ ଚାଲିବା ପାଇଁ ଅକ୍ଷମ ହେଲା। ରମେଶ ଚମ୍ପାର ସ୍ୱାସ୍ଥ୍ୟକୁ ଦେଖି, ଖଣ୍ଡିଆ ହୋଇଥିବା ସ୍ଥାନରେ ମଲମ ଲଗାଇ ତାକୁ ଗୁହାଳରେ ବିଶ୍ରାମ କରିବାକୁ ଛାଡ଼ି ଅନ୍ୟ ଗାଈମାନଙ୍କୁ ନେଇ ଚରାଇବାକୁ ଗଲା। ଗୁହାଳରେ ଏକୁଟିଆ ରହିବାକୁ ଚମ୍ପାକୁ ଆଦୌ ଭଲ ଲାଗିଲା ନାହିଁ। ଚାରି ପାଞ୍ଚଦିନ ପରେ ଅନ୍ୟ ଗାଈମାନଙ୍କ ସହ ଚରିବାକୁ ଯିବା ପାଇଁ ସେ ଡହଳ ବିକଳ ହେଲା ଓ ହମା..ହମା..ରଡ଼ିକରି ରମେଶକୁ ଅନୁରୋଧ କଲା।

ଚମ୍ପାର ବିକଳ ଦେଖି, ରମେଶ ତାକୁ ଗାଈପଲଙ୍କ ସହିତ ନେବାକୁ ଆଗ୍ରହ ପ୍ରକାଶ କଲା ଓ ଚମ୍ପାକୁ ଦୁଷ୍ଟାମି ନକରିବା ପାଇଁ ଢିଙ୍କିଆ ଦେଖାଇ ଇଙ୍ଗିତ କଲା। ସତକୁ ସତ ଚମ୍ପାର ସ୍ୱଭାବରେ ପରିବର୍ତ୍ତନ ପରିଲକ୍ଷିତ ହେଲା। ସେ ଅନ୍ୟ ଗାଈଙ୍କ ସହିତ ଗୋଟିଏ ସ୍ଥାନରେ ଚରିଲା ଓ କାହା ବିଲ ବାଡ଼ିକୁ ପଶିବା ପାଇଁ ମନ ବଳାଇଲା ନାହିଁ। ଚମ୍ପାର ପରିବର୍ତ୍ତନ ଦେଖି ରମେଶ ମନେ ମନେ ଖୁବ୍ ଖୁସି ହେଲା।

ତେନ୍ତୁଳିପଦା,ଜଗତସିଂହପୁର