ପ୍ରଥମରୁ କହି ରଖୁଛୁ, ଜନସଂଖ୍ୟା ବୃଦ୍ଧିକୁ ପ୍ରୋତ୍ସାହିତ କରିବା ଏହି ଲେଖାର ଉଦ୍ଦେଶ୍ୟ ନୁହେଁ। ମାତ୍ର, ଏ ସମ୍ପର୍କିତ ଏକ ଘଟଣାର ଆଢ଼ୁଆଳରେ ଯେଉଁ ନିଚ୍ଛକ ପ୍ରତିଛବିଟି ଛପି ରହିଛି -ତାହାକୁ ସାମ୍‌ନାକୁ ଆଣିବା ହେଉଛି ଏହାର ଉଦ୍ଦେଶ୍ୟ। ଏଥିପାଇଁ ଆମକୁ ୧୩ ବ‌ର୍ଷ ପଛକୁ ଅର୍ଥାତ୍‌ ୨୦୦୬ ମସିହାକୁ ଫେରିଯିବାକୁ ହେବ। ଏହି ବର୍ଷ ଖୁବ୍‌ ଚର୍ଚ୍ଚାକୁ ଆସିଥିଲା ମୟୂରଭଞ୍ଜ ଜିଲ୍ଲାର ଶିମିିଳିପାଳ ବନାଞ୍ଚଳ ଅନ୍ତର୍ଗତ ଏକ ଦୁର୍ଗମ ଗାଁ କୁଆଁରିବିଲ। ଦୁର୍ଗମ ଅଞ୍ଚଳ କହିଲେ, ଯେଉଁ ଦୃଶ୍ୟ ଆମ ସାମ୍‌ନାରେ ଉଭା ହୁଏ... ତାହା ହେଉଛି ଗାଁକୁ ରାସ୍ତାଘାଟ ନଥିବ, ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥି‌ବେ ଏବଂ ବିଶେଷକରି, ସରକାରୀକଳ ସେହି ଅଞ୍ଚଳ ପାଇଁ ଅପହଞ୍ଚ ଥିବ। ଠିକ୍‌ ସେହିଭଳି ଗାଁ ଥିଲା ବଣଜଙ୍ଗଲ ଘେରା କୁଆଁରିବିଲ। ସେହିବର୍ଷ ଏହି ଗାଁର ୨୦ ଜଣ ଶିଶୁ ପୁଷ୍ଟିହୀନତାର ଶିକାର ହୋଇ ପ୍ରାଣ ହରାଇଥିଲେ। କହିବାକୁ ଗଲେ, ଯାଜପୁରର ନଗଡ଼ା ଭଳି ଘଟଣା ଘଟିଥିଲା ସେତେବେଳେ।

Advertisment

କୁଆଁରିବିଲର ସେହି ହୃଦୟ ବିଦାରକ ଘଟଣାକୁ ଏବେ ବି ସେଠାକାର ଲୋକ ପାଶୋରି ନାହାନ୍ତି। ସେମାନେ କହନ୍ତି ଯେ, ଯେତେବେଳେ ଜଣକ ପରେ ଜଣେ ଶିଶୁ ଅକାଳରେ ଝଡ଼ି ପଡ଼ୁଥିଲେ, ଲୋକଙ୍କ ଭିତରେ ଏକପ୍ରକାର କୋକୁଆ ଭୟ ଖେଳି ଯାଇଥିଲା। ମହିଳାମାନେ ନିଜ ଶିଶୁମାନଙ୍କୁ ପଣତକାନି ଘୋଡ଼ାଇ ରଖିବା ପାଇଁ ଚେଷ୍ଟା କରୁଥିଲେ। ମାତ୍ର, ମୃତ୍ୟୁ ଯେମିତି ଲମ୍ଫ ମାରି ଜଣକ ପରେ ଜଣେ ଶିଶୁକୁ ନିଜ ଗର୍ଭକୁ ନେଇ ଯାଉଥିଲା। ଏବଂ, ଯେଉଁମାନେ ବଞ୍ଚି ଯାଇଥିଲେ ସେମାନଙ୍କ ବାପାମା’ ନିଜ ଭାଗ୍ୟକୁ ଧନ୍ୟବାଦ ଦେଉଥିଲେ। ଆଜିକା ଦିନ ଭଳି ଗଣମାଧ୍ୟମର କ୍ଷିପ୍ରତା ନ ଥିବାରୁ ଏହି ଘଟଣା ନଗଡ଼ା ଭଳି ସେତିକି ଚର୍ଚ୍ଚାର ପରିସରକୁ ଆସିନଥିଲା।

ସେହି ସମୟରେ ମୟୂରଭଞ୍ଜର ଜିଲ୍ଲାପାଳ ଥିଲେ ବର୍ତ୍ତମାନର ୫-ଟି ସଚିବ ଭି.କେ.ପାଣ୍ଡିଆନ। ଶୁଣିବାକୁ ମିଳେ, ଏହି ଘଟଣା ପରେ ସେହି ଅଞ୍ଚଳ ପ୍ରତି ପ୍ରଶାସନିକ ତତ୍‌ପରତା ପ୍ରକାଶ ପାଇଥିଲା। ଗାଁରେ କୂଅ ନଥିଲା, କୂଅ ଖୋଳା ହେବାଠାରୁ ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ହେବା ପର୍ଯ୍ୟନ୍ତ ସବୁପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏପରିକି, ୨ ମାସ ପର୍ଯ୍ୟନ୍ତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଥିଲା।

publive-image

ଏହି ଦୀର୍ଘବର୍ଷ ମଧ୍ୟରେ ସରକାରୀ ହାତ ସ୍ପର୍ଶ ପାଇ କୁଆଁରିବିଲ କିମ୍ବା ଏହାର ଆଖପାଖ ଅଞ୍ଚଳ କେତେ ପରିବର୍ତ୍ତନ ହୋଇଥିବ, ତାହାର ହିସାବ ପ୍ରଶାସନିକ କଳ ନିକଟରେ ରହିଥିବ। ଏବଂ, ଏହାର ମୂକସାକ୍ଷୀ ଥିବେ ସେହି ଲୋକମାନେ। ଯେଉଁମ‌ାନେ ୨୦୦୬ ମସିହାର ଦୃଶ୍ୟ ଦେଖିଥିଲେ ଏବଂ ବର୍ତ୍ତମାନ ସହିତ ଅଙ୍ଗାଙ୍ଗୀ ଭାବେ ଯୋଡ଼ି ହୋଇ ରହିଛନ୍ତି। ଯଦି, ବାହାରର କେହି ଲୋକ ମ‌ନରେ ପ୍ରଶ୍ନ ରଖନ୍ତି, ୨୦୦୬ ମସିହା ପରେ ସେହିଭଳି ଘଟଣା ଘଟିଛି କି? ଶିଶୁମାନେ ଆଉ ଅପପୁଷ୍ଟିର ଶିକାର ହୋଇନାହାନ୍ତି ତ? ବୋଧହୁଏ, ଏହାର ଯଥାର୍ଥ ଉତ୍ତର ହେବେ ଜଣେ ୩୮ ବର୍ଷୀୟ ମହିଳା ଜିଙ୍ଗି ହେମ୍ବ୍ରମ୍‌। କୁଆଁରିବିଲ ଗାଁ’ର ଷଣ୍ଡା ହେମ୍ବ୍ରମଙ୍କ ପତ୍ନୀ ଜିଙ୍ଗି। ଗତ ଫେବ୍ରୁଆରି ୫ ତାରିଖ ଦିନ ନିଜର ଏକାଦଶ ଗର୍ଭରୁ ଯମଜ ସନ୍ତାନ ଜନ୍ମଦେଇ ଚର୍ଚ୍ଚାକୁ ଆସିଛନ୍ତି ଜିଙ୍ଗି। ଜିଙ୍ଗିଙ୍କ ଗର୍ଭରୁ ୧୦ ଜଣ ସନ୍ତାନ ଜନ୍ମ ନେଇ ସାରିଛନ୍ତି। ପୁଣିଥରେ ସେ ଗର୍ଭବତୀ ହେବାରୁ ତାଙ୍କୁ ଗୁରୁଗୁଡ଼ିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ମା’ ଗୃହରେ ଏକ ମାସ କାଳ ରଖାଯାଇଥିଲା। ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଏ ଖାଁ ଜିଙ୍ଗିଙ୍କ ଦେଖାରଖା କରୁଥିଲେ। ଗତ ୧ ତାରିଖରେ ପ୍ରସବ ସମୟ ହେବା ବେଳକୁ ଡାକ୍ତର ପରିବାର ଲୋକଙ୍କୁ ଜିଙ୍ଗିଙ୍କ ଉତ୍ତମ ଚିକିତ୍ସା ପାଇଁ ଯଶିପୁର ଡାକ୍ତରଖାନା ନେଇଯିବାକୁ ପରାମର୍ଶ ଦେଇଥିଲେ। ଗରିବ ବିପିଏଲ୍ ପରିବାରର ଜିଙ୍ଗି ମରିଯିବେ ପଛେ ଆଉ କେଉଁଆଡ଼େ ଯାଇ ସନ୍ତାନ ପ୍ରସବ କରିବେ ନାହିଁ ବୋଲି ରୋକ୍‌ଠୋକ୍‌ ମନା କରି ଦେଇଥିଲେ। ଜିଙ୍ଗିଙ୍କୁ ମନେଇବା ପରେ କରଂଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ମଧ୍ୟ ଜଟିଳ ସ୍ଥିତିର ଆଶଙ୍କା କରି ତାଙ୍କୁ କେନ୍ଦୁଝର ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ତାଙ୍କ ଗର୍ଭରେ ଯମଜ ସନ୍ତାନ ଥିବା ଜଣାପଡ଼ିଥିଲା। ୩ ତାରିଖରେ ଗର୍ଭଯନ୍ତ୍ରଣା ହେବାରୁ ଜିଙ୍ଗିଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ପଠାଯାଇଥିଲା। ହେଲେ ଯାଜପୁର ବ୍ଲକ୍‌ ଅନ୍ତର୍ଗତ ବଡ଼ଚଣା ନିକଟରେ ଆମ୍ବୁଲାନ୍ସ ଭିତରେ ଦୁଇଜଣ କନ୍ୟା ସନ୍ତାନ ଜନ୍ମଦେଲେ ଜିଙ୍ଗି।

publive-image

ଜିଙ୍ଗିଙ୍କ ପ୍ରଥମ ସନ୍ତାନର ବୟସ ଏବେ ୧୮ ବର୍ଷ ହୋଇଥିବାବେଳେ ଦ୍ବିତୀୟ ଓ ତୃତୀୟ ସନ୍ତାନର ବୟସ ଯଥାକ୍ରମେ ୧୫ ଓ ୧୧ ବର୍ଷ। ଅର୍ଥାତ୍‌ ୨୦୦୬ ମସିହାର ସେହି ଦୁଃଖଦ ଘଟଣା ବେଳକୁ ତାଙ୍କର ୨ଟି ପିଲା ଜନ୍ମ ନେଇଥିବାବେଳେ ପରେ ଜନ୍ମ ନେଇଛନ୍ତି ୮ଟି ପିଲା। ଜିଙ୍ଗି ଏବେ ଉଦାହରଣ ଏଇଥିପାଇଁ ଯେ, ଅପପୁଷ୍ଟି ଜନିତ ମୃତ୍ୟୁ ଘଟଣା ବେଳକୁ ତାଙ୍କର ୨ ପିଲାଙ୍କ ବୟସ ଯଥାକ୍ରମେ ୫ ବର୍ଷ ଓ ୨ ବର୍ଷ ହୋଇଥିବା‌ ବେଳେ ଦୁହେଁ ଅପପୁଷ୍ଟି ଜନିତ ମୃତ୍ୟୁର ଶିକାର ହୋଇନାହାନ୍ତି, ଠିକ୍‌ ଅନ୍ୟ ହତଭାଗ୍ୟ ଶିଶୁଙ୍କ ଭଳି। ଏହାପଛରେ ‌ସେମାନଙ୍କ ଭାଗ୍ୟ ବଳ ଥାଇପାରେ କିମ୍ବା‌ ସ୍ବାସ୍ଥ୍ୟଗତ ସମସ୍ୟା ବି ନଥାଇପାରେ।

ଜିଙ୍ଗି ଜଣେ ସାଧାରଣ ଆଦିବାସୀ ମହିଳା। ସେଦିନ ମୃତ୍ୟୁ ତାଙ୍କର ଦୁଇପୁଅକୁ ତିଳେ ମାତ୍ର ସ୍ପର୍ଶ କରିନଥିବାରୁ ଭଗବାନଙ୍କୁ କୋଟିକୋଟି ପ୍ରଣାମ ଜଣାଇଥିବେ। ପରବର୍ତ୍ତୀ ସମୟରେ ୮ ଟି ସନ୍ତାନର ଜନନୀ ହେବାକୁ ନେଇ ତାଙ୍କ ମାତୃପ୍ରାଣ ଗର୍ବରେ ଫାଟି ପଡ଼ୁଥିବ। ଏବଂ ନିକଟ‌ରେ ୨ ଯମଜ ସନ୍ତାନକୁ ଜନ୍ମଦେବା ପରେ ତାଙ୍କ ମୁହଁରେ ଆଶ୍ବସ୍ତିର ହସ ଫୁଟିଥିବ।
ଏବଂ, ସର୍ବୋପରି କୁଆଁରିବିଲ ଯେ ଆଉ ଅପପୁଷ୍ଟିର ଦାରୁଣ ଉପତ୍ୟକା ନୁହଁ ଏବଂ ସେହି ଗ୍ରାମର ଗୋଟିଏ ହେଲେ ଶିଶୁ ଯେ ଆଉ ଅପପୁଷ୍ଟିର ଶିକାର ହୋଇନାହାନ୍ତି, ପ୍ରଶାସନିକ କଳ ସେଥିରେ ନିଜ ସଫଳତା ଯୋଡ଼ି ସାରିଥିବେ।

ଏହା ସତ୍ତ୍ବେ ଯେଉଁ ବିଫଳତାଟି ବାରମ୍ବାର ଖାଇ ଗୋଡ଼ାଇବ ତାହା ହେଉଛି, ଜିଙ୍ଗି ସଚେତନ ‌ହେଲେ ନାହିଁ କାହିଁକି? ସମୁଦାୟ ୧୨ଟି ସନ୍ତାନ ଜନ୍ମ ତାଙ୍କ ଶାରୀରିକ, ସାମାଜିକ ଓ ପରିବାରର ଅର୍ଥନୈତିକ ଅବସ୍ଥାକୁ ପ୍ରଭାବିତ କରିଥିଲେ ସୁଦ୍ଧା ଏବଂ ଭାରତ ଭଳି ରାଷ୍ଟ୍ର ଜନନିୟନ୍ତ୍ରଣ ପାଇଁ ପ୍ରଚେଷ୍ଟିତ ଥିଲେ ସୁଦ୍ଧା, ପ୍ରଶାସନ ତାଙ୍କୁ ସଚେତନ କରାଇପାରିଲା ନାହିଁ କାହିଁକି? ଆଜିକା ଦିନରେ ଏହା ହିଁ ଏକ ବିଡ଼ମ୍ବନା। ମାତ୍ର, ଜିଙ୍ଗିଙ୍କ ଦୁଇ ଯମଜ ସନ୍ତାନଙ୍କୁ ଅନ୍ତରର ସହ କଲ୍ୟାଣ....।

(ଲେଖକ ‘ସମ୍ବାଦ’ର ସଂପାଦନା ବିଭାଗରେ କାର୍ଯ୍ୟରତ। ୦୯୪୩୭୪୪୯୬୪୪, ଇମେଲ୍‌: [email protected]/ କିମ୍ବା / https://twitter.com/chittachiranjitରେ ଯୋଗାଯୋଗ କରାଯାଇପାରିବ)