କୋଟିି ଓଡ଼ିଆ ପ୍ରାଣରେ ସ୍ପନ୍ଦନ ଭରି ଦେଇଥିବା ‘ବନ୍ଦେ ଉତ୍କଳ ଜନନୀ’ କବିତାର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ପରିବାରର ଓଡ଼ିଶାର ରାଜନୀତିକୁ ଅବଦାନ କିଛି କମ୍ ନୁହେଁ। ତାଙ୍କ ବାପା ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଥିଲେ ବିହାର ଓଡ଼ିଶା ବିଧାନ ପରିଷଦର ଉପସଭାପତି(ଆଜିର ଭାଷାରେ ଉପବାଚସ୍ପତି)। ତା’ଛଡ଼ା ତାଙ୍କର ବଡ଼ପୁଅ ନିତ୍ୟାନନ୍ଦ ମହାପାତ୍ର ଓଡ଼ିଶା ବିଧାନସଭାକୁ ତିନିଥର ନିର୍ବାଚିତ ହୋଇ ୧୯୬୭ରେ ରାଜ୍ୟ ସରକାରଙ୍କ ମନ୍ତ୍ରୀପଦରେ ମଧ୍ୟ ଥିଲେ। ସଂକ୍ଷେପରେ ସେ ନିଜର ନାମ ଲେଖୁଥିଲେ ନି.ମ.।
‘ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡ଼ାଇବ ହେ...’ କହି ଜଗନ୍ନାଥଙ୍କ ନିକଟରେ ନିଜର ଅଭିମାନ ଭରା ଅଭିଯୋଗ ବାଢ଼ିଥିବା କାନ୍ତକବିଙ୍କ ଉପରେ ମହାପ୍ରଭୁ କିନ୍ତୁ କରୁଣା ଊଣା କରି ନାହାନ୍ତି। ସେ ତାଙ୍କର କୋଳ ଭରି ଦେଇଛନ୍ତି ୧୯୧୨ ମସିହା ନବକଳେବର ରଥଯାତ୍ରା ଜୁଲାଇ ୧୭ ତାରିଖରେ ଏବଂ ଜନ୍ମ ନେଇଛନ୍ତି ନିତ୍ୟାନନ୍ଦ। ସ୍କୁଲ୍ପଢ଼ା ସମୟରେ ଗାନ୍ଧିଜୀଙ୍କ ଆହ୍ଵାନରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ୧୯୩୦ରୁ ୧୯୪୬ ମଧ୍ୟରେ ସେ ସାତ ଥର ଜେଲ୍ ଯାଇଛନ୍ତି।
ପିଲାଟି ଦିନରୁ ସାରସ୍ୱତ ସାଧନାରେ ବ୍ରତୀ ଏବଂ କୁଳଗୁରୁ ଶ୍ରୀଶ୍ରୀ ରାମଦାସ ବାବାଜୀଙ୍କଦ୍ଵାରା ଦୀକ୍ଷିତ ନିତ୍ୟାନନ୍ଦ ଓଡ଼ିଶାର ନିର୍ବାଚନ ରାଜନୀତିରେ ପ୍ରବେଶ କରିଥିଲେ ୧୯୫୨ ମସିହାରେ। ସ୍ୱାଧୀନତା ପରେ ଅନୁଷ୍ଠିତ ପ୍ରଥମ ସାଧାରଣ ନିର୍ବାଚନରେ ସେ ବାଲେଶ୍ବର ଲୋକସଭା (ଯୁଗ୍ମ) ଆସନରୁ ପ୍ରତିଦ୍ଵନ୍ଦ୍ୱିତା କରିଥିଲେ। ତାଙ୍କ ସାମନାରେ ଥିଲେ କଂଗ୍ରେସର ଭାଗବତ ସାହୁ। ଏଥିରେ ଅର୍ଥାଭାବ ହିଁ ତାଙ୍କର ମୁଖ୍ୟ ବାଧକ ହୋଇଥିଲା। ନିତ୍ୟାନନ୍ଦଙ୍କର ଶହେ ବର୍ଷରେ ପଦାର୍ପଣ ଅବସରରେ ‘ଆମ ଓଡ଼ିଶା’ ଦ୍ଵାରା ପ୍ରକାଶିତ ‘ଶହେଟି ଶରତ’ ପୁସ୍ତିକାରେ ସନ୍ନିବେଶିତ ‘ମୋ କଥା’ ନିବନ୍ଧରେ ସେ କହିଛନ୍ତି, ‘‘ମୁଁ ସେ ନିର୍ବାଚନରେ ଲକ୍ଷେରୁ ଅଧିକ ଭୋଟ୍ରେ ହାରିଲି। ସାତଟା ନିର୍ବାଚନମଣ୍ଡଳୀକୁ ଯାଇପାରିଲି ନାହିଁ। ସାଇକେଲ୍ରେ ବା କେତେ ଆଉ ବୁଲାବୁଲି କରିପାରିଥାଆନ୍ତି?’’
ତା’ପରେ ସେ ୧୯୫୭ରେ ଭଦ୍ରକ ବିଧାନସଭା ଆସନରୁ କଂଗ୍ରେସ ଦଳ ତରଫରୁ ପ୍ରତିଦ୍ଵନ୍ଦ୍ୱିତା କରିବାକୁ ଚାହିଁଥିଲେ। ମାତ୍ର ମୁସଲମାନ ଭୋଟରଙ୍କୁ ଲକ୍ଷ୍ୟରେ ରଖି କଂଗ୍ରେସ ଦଳ ତାଙ୍କ ବଦଳରେ ସେହି ଆସନରୁ ୧୯୫୨ରେ ନିର୍ବାଚନ ଜିଣି ଉପବାଚସ୍ପତି ପଦ ମଣ୍ଡନ କରିଥିବା ମହମ୍ମଦ ହନିଫ୍ଙ୍କୁ ପ୍ରାର୍ଥୀ କରିଥିଲା। ପ୍ରଧାନମନ୍ତ୍ରୀ ନେହେରୁ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ଭଦ୍ରକକୁ ନିର୍ବାଚନ ପ୍ରଚାରରେ ଆସିଥିଲେ ମଧ୍ୟ ସ୍ୱାଧୀନ ପ୍ରାର୍ଥୀ ନିତ୍ୟାନନ୍ଦ ଆଶ୍ଚର୍ଯ୍ୟଜନକ ଭାବେ ହନିଫଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ। ଏହି ବର୍ଷ ବିଧାନସଭାକୁ ଆସିବା ପରେ ସେ ବାଚସ୍ପତି ପଦ ପାଇଁ ନୀଳକଂଠ ଦାସଙ୍କ ସହ ପ୍ରତିଦ୍ଵନ୍ଦ୍ୱିତା କରି ମାତ୍ର ୧୩ଟି ଭୋଟ୍ ବ୍ୟବଧାନରେ ପରାଜିତ ହୋଇଥିଲେ।
ଭଦ୍ରକ ଆସନରେ ନିତ୍ୟାନନ୍ଦଙ୍କର ଜନପ୍ରିୟତା ଦିନକୁ ଦିନ ବୃଦ୍ଧି ପାଉଥାଏ। ୧୯୫୭ରେ ସେ ହନିଫ୍ଙ୍କୁ ୧୭୬୮ ଭୋଟ୍ରେ ହରାଇଥିବା ବେଳେ ୧୯୬୧ରେ ପୁଣି ଥରେ ସ୍ୱାଧୀନ ପ୍ରାର୍ଥୀ ରୂପେ ଲଢ଼ି ହନିଫ୍ଙ୍କଠାରୁ ୪୦୦୦ରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ। ୧୯୬୭ରେ ସେ ଏହି ଆସନରୁ ଜନକଂଗ୍ରେସ ଦଳ ତରଫରୁ ଲଢ଼ିଥିଲେ । ଏଥର ତାଙ୍କ ବିରୋଧରେ ଥିଲେ କଂଗ୍ରେସ ଦଳର ରତ୍ନାକର ମହାନ୍ତି। କ୍ରମାଗତ ତୃତୀୟ ଥରପାଇଁ ନିତ୍ୟାନନ୍ଦ ପୁଣି ବିଜୟୀ ହେଲେ ପାଖାପାଖି ୨୧୦୦୦ ଭୋଟ୍ ବ୍ୟବଧାନରେ। ଏଥର ସେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ଵରେ ଗଠିତ ସ୍ୱତନ୍ତ୍ର ଓ ଜନକଂଗ୍ରେସ ଦଳର ମିଳିତ ମନ୍ତ୍ରିମଣ୍ଡଳରେ ଯୋଗାଣ ଓ ସାଂସ୍କୃତିକ ବ୍ୟାପାର ବିଭାଗ ମନ୍ତ୍ରୀ ରୂପେ ସ୍ଥାନ ପାଇଲେ।
ମନ୍ତ୍ରୀ ହେବା ପରେ ମଧ୍ୟ ନିତ୍ୟାନନ୍ଦ ତାଙ୍କର ଜୀବନଶୈଳୀ ବଦଳାଇ ନ ଥିଲୋ ଜାନକୀ ବଲ୍ଲଭ ପଟ୍ଟନାୟକ ‘ଶହେଟି ଶରତ’ରେ ଲେଖିଛନ୍ତି, ‘‘ନିତ୍ୟାନନ୍ଦ ବାବୁ ଓଡ଼ିଶାର ପ୍ରଥମ ମନ୍ତ୍ରୀ, ଯେ ସାଇକେଲ୍ ଚଢ଼ି ସେକ୍ରେଟେରିଏଟ୍ ଯାଉଥିଲେ।... ତାହା ହିଁ ଥିଲା ତାଙ୍କର ସରଳ, ନିରାଡ଼ମ୍ବର ଜୀବନର ପ୍ରତିଛବି।’’ ଏଭଳି ଜଣେ ସରଳ ଓ ଆଦର୍ଶବାଦୀ ରାଜନେତାଙ୍କୁ ତତ୍କାଳୀନ ରାଜନୈତିକ ପରିବେଶ ଯେ ବିବ୍ରତ କରିନଥିଲା ତାହା ନୁହେଁ। ଅନେକ ସମୟରେ ତାଙ୍କର ଆତ୍ମା ରାଜନୀତିର ପରିବେଶରେ ଆଦର୍ଶର ଅବକ୍ଷୟକୁ ଦେଖି ବିଳାପ କରିଉଠିଛି। ତାଙ୍କ ନିଜ ଭାଷାରେ ‘‘ମୋର ଦୀର୍ଘ ରାଜନୈତିକ ଜୀବନରେ ଏକଥା ହୃଦୟଙ୍ଗମ କରିଛି ଯେ ନିଷ୍ଠୁରତା ଓ କୂଟକପଟ ଏ ଦୁଇଟି ଗୁଣ ଯା’ଠି ନଥିବ ସେ ରାଜନୀତିରେ ସିଦ୍ଧି ଲାଭ କରିପାରିବନି। ଏଇଟା ମୋର ତିକ୍ତ ଅନୁଭୂତି।’’
ନି.ମ.ଙ୍କର ଏହି ତିକ୍ତ ଅନୁଭୂତି ସତ୍ତ୍ବେ ତାଙ୍କ ଭଳି ଜଣେ ବ୍ୟକ୍ତି ଯେ ଏତେ ଦିନ ଧରି ଓଡ଼ିଶା ରାଜନୀତିରେ ଥିଲେ ତାହା ଆମ ସମସ୍ତଙ୍କପାଇଁ ଗର୍ବ ଓ ଗୌରବର ବିଷୟ।