ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର ଉପାନ୍ତ ଗ୍ରାମ ଗୁଡିକରେ ଏଯାବତ ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ ହୋଇନଥିବା ବେଳେ ଗ୍ରାମବାସୀ ଏକ ପ୍ରକାର ବିଛିନ୍ନ ଅଂଚଳରେ ରହୁଛନ୍ତି। ବିଶେଷ କରି ବର୍ଷା ଦିନମାନଙ୍କରେ ରାସ୍ତା ନଥିବା ଗ୍ରାମଗୁଡିକରେ ସ୍ୱାସ୍ଥ୍ୟ ସେବା ନକହିବା ଭଲ। ଝରିଗାଁ ବ୍ଳକରେ ଦମନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଜି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏକ ସ୍ୱାସ୍ଥ୍ୟ ଟିମ ଝରିଗାଁ ବ୍ଲକ ଝରିଗାଁ ପଂଚୟତ ଅନ୍ତର୍ଗତ ମୁଣ୍ଡିଗୁଡା, ମାଣ୍ଡଡଙ୍ଗରି, କୁସୁମପାଣି ଏବଂ ଆମ୍ବାଡକା ଗ୍ରାମକୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବାଇକ ଯୋଗେ ବାହାରିଥିଲେ। ମୁଣ୍ଡିଗୁଡାରେ ପହଂଚିବା ପରେ ଗ୍ରାମର ପ୍ରାୟ ୬୫ ଜଣ ଲୋକମାନଙ୍କ ରକ୍ତ ନମୁନା ପରୀକ୍ଷା କରିଥିଲେ। ସେଥିମଧ୍ୟରୁ ଦୁଇ ଜଣଙ୍କ ମ୍ୟାଲେରିଆ ଲକ୍ଷଣ ଥିବା ସୂଚନା ମିଳିଛି। ମ୍ୟାଲେରିଆ ଆକ୍ରାନ୍ତମାନଙ୍କ ସହ ବୟସ୍କ ମହିଳା ଓ ପୁରୁଷମାନଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ବଣ୍ଟନ କରିଥିଲେ।

Advertisment

 ମୁଣ୍ଡିଗୁଡାଠାରୁ ମାଣ୍ଡଡଙ୍ଗରି, କୁସୁମପାଣି ଏବଂ ଆମ୍ବାଡକା ଗ୍ରାମକୁ ସ୍ୱାସ୍ଥ୍ୟ କର୍ମଚାରୀମାନେ ବାହାରିବାବେଳେ ପକ୍କା ରାସ୍ତା ନଥିବାବେଳେ ବର୍ଷା ଯୋଗୁଁ ରାସ୍ତା କାଦୁଅ ଥିବା ଯୋଗୁଁ ଔଷଧ ବୋହି ଚାଲି ଚାଲି ଯିବା ପାଇଁ ପଡ଼ିଥିଲା। ମହିଳା ସ୍ୱାସ୍ଥ୍ୟ କର୍ମୀ ଯୁଗବତୀ ମାଝୀ ଏବଂ ନୟନାଵାଲା ମଲ୍ଲିକ ପ୍ରାୟ ଏକ କିଲୋମିଟର ଦୂର ଚାଲି ଚାଲି ମାଣ୍ଡଡଙ୍ଗରି ଗ୍ରାମ ପହଞ୍ଚି ଥିଲେ। ସେଠାରେ ଗ୍ରାମର ୩୦ ଜଣ ଲୋକମାନଙ୍କ ରକ୍ତ ନମୁନା ପରୀକ୍ଷା କରିଥିଲେ। ତେବେ କୌଣସି ଲୋକଙ୍କ ନିକଟରେ ମ୍ୟାଲେରିଆ ବାହାରି ନଥିଲା। ସେହିପରି ବୟସ୍କ ମହିଳା ଓ ପୁରୁଷ ମାନଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ବଣ୍ଟନ କରିଥିଲେ। ସେହିପରି ମହିଳା ସ୍ୱାସ୍ଥ୍ୟ କର୍ମୀ ସୁଭଦ୍ରା ମାଝୀ ଏବଂ ଉମାକାନ୍ତି ମାଝୀ ମୁଣ୍ଡିଗୁଡା ଠାରୁ ପ୍ରାୟ ତିନି କିଲୋମିଟର ଦୂର ଔଷଧ ବୋହି ଚାଲି ଚାଲି ଯାଇ କୁସୁମପାଣି ଗ୍ରାମରେ ପହଞ୍ଚି ଥିଲେ। ସେଠାରେ ଗ୍ରାମର ୫୧ ଜଣ ଲୋକମାନଙ୍କ ରକ୍ତ ନମୁନା ପରୀକ୍ଷା କରିଥିଲେ।

 ସେଥି ମଧ୍ୟରୁ ଜଣଙ୍କୁ ମ୍ୟାଲେରିଆ ଲକ୍ଷଣ ଥିବା ସୂଚନା ମିଳିଛି। ସେହିପରି ବୟସ୍କ ମହିଳା ଓ ପୁରୁଷ ମାନଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ବଣ୍ଟନ କରିଥିଲେ। ସେହିପରି ମହିଳା ସ୍ୱାସ୍ଥ୍ୟ କର୍ମୀ ମନ୍ଦି ଭତ୍ରା ସୁପରଭାଇଜର ପରନାଥ ମାଝୀ ଏବଂ ଅଙ୍ଗନବାଡ଼ି କର୍ମୀ ଗମନି ମାଝୀ ମୁଣ୍ଡିଗୁଡାଠାରୁ ପ୍ରାୟ ୪ କିଲୋମିଟର ଦୂର ଜଙ୍ଗଲ ଓ ପାହାଡ଼ ରାସ୍ତାରେ ଔଷଧ ବହି ଆମ୍ବାଡକା ଗ୍ରାମ ପହଞ୍ଚି ଥିଲେ। ସେଠାରେ ଗ୍ରାମର ୨୫ ଜଣ ଲୋକ ମାନଙ୍କୁ ରକ୍ତ ନମୁନା ପରୀକ୍ଷା କରିଥିଲେ। ସେଥିମଧ୍ୟରୁ ଜଣଙ୍କୁ ମ୍ୟାଲେରିଆ ଲକ୍ଷଣ ଥିବା ସୂଚନା ମିଳିଛି। ସେହିପରି ବୟସ୍କ ମହିଳା ଓ ପୁରୁଷମାନଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ବଣ୍ଟନ କରିଥିଲେ। ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଶାରୀ ଟାଣି ଶୋଇବା ପାଇଁ ସଚେତନତା କରିଥିବା ବେଳେ ହିତାଧିକାରୀଙ୍କ ପ୍ରାୟ ମଶାରୀ ନଷ୍ଟ ହୋଇ ଯାଇଥିବା କହିଥିଲେ। ସେହିପରି ଦୀର୍ଘ ବର୍ଷ ତଳେ ବଣ୍ଟା ଯାଇଥିବା ମଶାରୀ ଗୁଡିକର ଔଷଧୀୟ ଗୁଣବତ୍ତା କମ ହୋଇ ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ତେଣୁ ଝରିଗାଁ ବ୍ଲକରେ ତୁରନ୍ତ ଔଷଧୀୟ ମଶାରୀ ବଣ୍ଟନ କରିବା ପାଇଁ ଦାବି ହୋଇଛି। ଶେଷରେ ସ୍ୱାସ୍ଥ୍ୟ କର୍ମଚାରୀମାନେ ପୁଣି ଥରେ ଚାଲି ଚାଲି ମୁଣ୍ଡିଗୁଡା ପର୍ଯ୍ୟନ୍ତ ଆସିବା ପରେ ବାଇକରେ ଝରିଗାଁ ଫେରିଥିଲେ।