ଜଗଦ୍ଧାତ୍ରୀ ମା ଦୁର୍ଗା ଯୁଗେ ଯୁଗେ ଧରାଧାମରେ ଅବତୀର୍ଣ୍ଣ ହୋଇ ଅସୁରଶକ୍ତିକୁ ବିନାଶ କରି ସେମାନଙ୍କର ପ୍ରାଦୁର୍ଭାବରୁ ଜୀବଜଗତକୁ ରକ୍ଷା କରିଛନ୍ତି। ଭଗବାନ ବିଷ୍ଣୁଙ୍କର ଯେପରି ଅନେକ ଅବତାରର ବର୍ଣ୍ଣନା ରହିଛି ମା’ ଦୁର୍ଗାଙ୍କର ମଧ୍ୟ ସେହିପରି ଅନେକ ଅବତାରର କଥା ଦେବୀଭାଗବତ, ସପ୍ତଶତୀ ଚଣ୍ଡୀ ପ୍ରଭୃତିରେ ବର୍ଣ୍ଣନା ରହିଛି- ‘ଦେବାନାଂ କାର୍ଯ୍ୟସିଦ୍ଧ୍ୟର୍ଥଂ ଆବିର୍ଭବତି ସା ଯଦା...।’ (ଚଣ୍ଡୀ)। ପ୍ରତ୍ୟେକ ଅବତାରର ମଧ୍ୟ ରୂପ ଅଲଗା ଅଲଗା ହୋଇଥାଏ। କୃଷ୍ଣାବତାରରେ ଆମେ ମୟୂରଚୂଳିଆ ବଂଶୀଧାରୀ ବା ଚକ୍ରଧାରୀ କୃଷ୍ଣଙ୍କର କଳ୍ପନା କରୁଥିବା ବେଳେ ରାମାବତାରରେ ଧନୁର୍ଦ୍ଧାରୀ ରାମଙ୍କ ଛବି ମନେ ପକାଉ। ସେହିପରି ମା’ କେତେବେଳେ କାଳରାତ୍ରି, କେତେବେଳେ ଉଗ୍ରଚଣ୍ଡୀ, କେତେବେଳେ ଧୂମାବତୀ, ପୁଣି କେତେବେଳେ ଲଳିତା ବା ଆନନ୍ଦମୟୀ। ବିଭିନ୍ନ ଅବତାରରେ ଯେ ତାଙ୍କର ରୂପ ଅଲଗା ଅଲଗା ହୋଇଥାଏ ତାହା ନୁହେଁ, ଗୋଟିଏ ଅବତାରରେ ମଧ୍ୟ ବିଭିନ୍ନ ଅବସ୍ଥାରେ ରୂପ ଭିନ୍ନ ଭିନ୍ନ ହୋଇଥାଏ ଏବଂ ବିଭିନ୍ନ ଶାସ୍ତ୍ରରେ ସେହିସବୁ ରୂପର ବର୍ଣ୍ଣନା ପରିଦୃଷ୍ଟ ହୁଏ। ବିଭିନ୍ନ ମନସ୍କାମନା ପୂର୍ତ୍ତି ନିମନ୍ତେ ଭକ୍ତଗଣ ମାଆଙ୍କର ଭିନ୍ନ ଭିନ୍ନ ରୂପର ଆରାଧନା କରିଥାନ୍ତି। ଶିଳ୍ପୀଗଣ ଶାସ୍ତ୍ରୀୟ ବର୍ଣ୍ଣନା ଅନୁସାରେ ମାଆଙ୍କର ମୂର୍ତ୍ତି ନିର୍ମାଣ କରିଥାନ୍ତି। ଓଡ଼ିଶା ଓ ଭାରତର ବିଭିନ୍ନ ସ୍ଥାନରେ ମାଆଙ୍କର ଯେଉଁସବୁ ଧାତବ ବା ମୃଣ୍ମୟୀ ମୂର୍ତ୍ତି ପୂଜା କରାଯାଏ ତାହାର ଆକାରପ୍ରକାର ଓ ବେଶପରିପାଟୀ ସମାନ ହୋଇ ନ ଥାଏ। ନବରାତ୍ର ବା ନବଦିନାତ୍ମକ ଦୁର୍ଗାପୂଜାରେ ନଅ ପ୍ରକାର ଦେବୀ ମୂର୍ତ୍ତିର ପରିକଳ୍ପନା କରାଯାଇ ପୂଜା କରାଯାଏ। 
Advertisment

ବ୍ରହ୍ମାଙ୍କ କଥନ ଅନୁସାରେ ନବଦୁର୍ଗାଙ୍କ ନଅଟି ରୂପ ହେଉଛନ୍ତି: ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରି, ମହାଗୌରୀ ଓ ସିଦ୍ଧିଦାତ୍ରୀ। 

ନବଦୁର୍ଗାଙ୍କର ପ୍ରଥମ ରୂପ ହେଉଛି ଶୈଳପୁତ୍ରୀ। ସ୍ବାମୀଙ୍କର ନିନ୍ଦା ସହ୍ୟ କରି ନ ପାରି ଦକ୍ଷ ଯଜ୍ଞରେ ଦକ୍ଷ ରାଜକନ୍ୟା ସତୀ ଆତ୍ମାହୁତି ଦେଇ ପରଜନ୍ମରେ ପର୍ବତରାଜ ହିମାଳୟଙ୍କ କନ୍ୟା ରୂପରେ ଜନ୍ମଗ୍ରହଣ କରିଥିଲେ। ତେଣୁ ତାଙ୍କର ନାମ ହେଲା ପାର୍ବତୀ ବା ଶୈଳପୁତ୍ରୀ ବା ହୈମବତୀ। ଏହି ରୂପରେ ଦେବୀ ହେଉଛନ୍ତି ଦ୍ୱିଭୁଜା। ତାଙ୍କର ଗୋଟିଏ ହାତରେ ପଦ୍ମଫୁଲ ଓ ଅନ୍ୟ ହାତରେ ତ୍ରିଶୂଳ ଶୋଭା ପାଉଥାଏ। ବୃଷଭବାହନା ଦେବୀଙ୍କର ଏହି ରୂପ ନବରାତ୍ରର ପ୍ରଥମ ରାତ୍ରିରେ ପୂଜା କଲେ ସକଳ ମନୋଭୀଷ୍ଟ ପୂରଣ ହୋଇଥାଏ। 

ଏହି ନବଦୁର୍ଗା କ’ଣ? ସପ୍ତସତୀ ଚଣ୍ଡୀର ବର୍ଣ୍ଣନା ଅନୁସାରେ- 
ପ୍ରଥମଂ ଶୈଳପୁତ୍ରୀ ଚ ଦ୍ୱିତୀୟଂ ବ୍ରହ୍ମଚାରିଣୀ। 
ତୃତୀୟଂ ଚନ୍ଦ୍ରଘେଣ୍ଟତି କୁଷ୍ମାଣ୍ଡେତି ଚତୁର୍ଥକମ୍।।
ପଞ୍ଚମଂ ସ୍କନ୍ଦମାତେତି ଷଷ୍ଠଂ କାତ୍ୟାୟନୀ ତଥା। 
ସପ୍ତମଂ କାଳରାତ୍ରୀତି ମହାଗୌରୀତି ଚାଷ୍ଟମମ୍।।
ନବମଂ ସିଦ୍ଧିଦାତ୍ରୀ ଚ ନବଦୁର୍ଗାଃ ପ୍ରକୀର୍ତ୍ତିତାଃ। 
ଉକ୍ତାନ୍ୟେତାନି ନାମାନି ବ୍ରହ୍ମଣୈବ ମହାତ୍ମନା।।
ଅର୍ଥାତ୍ ବ୍ରହ୍ମାଙ୍କ କଥନ ଅନୁସାରେ ନବଦୁର୍ଗାଙ୍କ ନଅଟି ରୂପ ହେଉଛନ୍ତି: ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରି, ମହାଗୌରୀ ଓ ସିଦ୍ଧିଦାତ୍ରୀ। 
ନବଦୁର୍ଗାଙ୍କର ପ୍ରଥମ ରୂପ ହେଉଛି ଶୈଳପୁତ୍ରୀ। ସ୍ବାମୀଙ୍କର ନିନ୍ଦା ସହ୍ୟ କରି ନ ପାରି ଦକ୍ଷ ଯଜ୍ଞରେ ଦକ୍ଷ ରାଜକନ୍ୟା ସତୀ ଆତ୍ମାହୁତି ଦେଇ ପରଜନ୍ମରେ ପର୍ବତରାଜ ହିମାଳୟଙ୍କ କନ୍ୟା ରୂପରେ ଜନ୍ମଗ୍ରହଣ କରିଥିଲେ। ତେଣୁ ତାଙ୍କର ନାମ ହେଲା ପାର୍ବତୀ ବା ଶୈଳପୁତ୍ରୀ ବା ହୈମବତୀ। ଏହି ରୂପରେ ଦେବୀ ହେଉଛନ୍ତି ଦ୍ୱିଭୁଜା। ତାଙ୍କର ଗୋଟିଏ ହାତରେ ପଦ୍ମଫୁଲ ଓ ଅନ୍ୟ ହାତରେ ତ୍ରିଶୂଳ ଶୋଭା ପାଉଥାଏ। ବୃଷଭବାହନା ଦେବୀଙ୍କର ଏହି ରୂପ ନବରାତ୍ରର ପ୍ରଥମ ରାତ୍ରିରେ ପୂଜା କଲେ ସକଳ ମନୋଭୀଷ୍ଟ ପୂରଣ ହୋଇଥାଏ। 
ଦେବୀଙ୍କର ଦ୍ୱିତୀୟ ରୂପ ହେଉଛି ବ୍ରହ୍ମଚାରିଣୀ। ବ୍ରହ୍ମ ଅର୍ଥ ବୃଦ୍ଧି ବା ବିକାଶ ଏବଂ ଚର୍ଯ୍ୟା ଅର୍ଥ ଆଚରଣ। ଯେ ବୃଦ୍ଧି ବା ବିକାଶର ପଥରେ ଚାଲନ୍ତି ସେ ହେଉଛନ୍ତି ବ୍ରହ୍ମଚାରିଣୀ। ଦେବୀ ନାରଦଙ୍କ ପରାମର୍ଶକ୍ରମେ ଶିବଙ୍କୁ ପତି ରୂପରେ ପାଇବା ପାଇଁ ବ୍ରହ୍ମଚର୍ଯ୍ୟ ପାଳନ ପୂର୍ବକ ଦୀର୍ଘକାଳ କଠୋର ତପସ୍ୟା ଆଚରଣ କରିଥିଲେ। ତେଣୁ ତାଙ୍କର ନାମ ହେଲା ବ୍ରହ୍ମଚାରିଣୀ। ଏହି ରୂପରେ ଦେବୀ ଦ୍ୱିଭୁଜା, ଶରୀର ଶୁଭ୍ର ତେଜଯୁକ୍ତ, ଦକ୍ଷିଣ ହସ୍ତରେ ଜପମାଳା ଓ ବାମ ହସ୍ତରେ କମଣ୍ଡଳୁ ଶୋଭା ପାଉଥାଏ। ନବରାତ୍ରର ଦ୍ୱିତୀୟ ଦିନରେ ବ୍ରହ୍ମଚାରିଣୀଙ୍କ ପୂଜାର୍ଚ୍ଚନା କଲେ ମନୁଷ୍ୟ ସୁସ୍ଥ ଓ ନିରୋଗ ଜୀବନଯାପନ କରିଥାଏ ଏବଂ ନାରୀ ମନୋବାଞ୍ଛିତ ପତି ଲାଭ କରିଥାଏ। 
ଦେବୀଙ୍କର ତୃତୀୟ ରୂପ ହେଉଛି ଚନ୍ଦ୍ରଘଣ୍ଟା। ସୁବର୍ଣ୍ଣକାନ୍ତି ବିଶିଷ୍ଟ ଦେବୀଙ୍କ ମସ୍ତକୋପରି ଘଣ୍ଟା ସଦୃଶ ଅର୍ଦ୍ଧଚନ୍ଦ୍ର ବିରାଜମାନ କରୁଥିବାରୁ ତାଙ୍କର ଏପରି ନାମ ହୋଇଛି। ଏହି ରୂପରେ ଦଶଭୁଜା ଦେବୀଙ୍କର ବାହନ ବ୍ୟାଘ୍ର। ହସ୍ତଗୁଡ଼ିକରେ ଯଥାକ୍ରମେ ପଦ୍ମ, କମଣ୍ଡଳୁ, ଗଦା, ତରବାରୀ, ଧନୁ ଓ ବାଣ ଶୋଭା ପାଉଥାଏ। ଚନ୍ଦ୍ରଘଣ୍ଟାଙ୍କର ଉପାସନା କଲେ ସମସ୍ତ ପାପ କ୍ଷୟ ହୁଏ, ଗ୍ରହଦୋଷ ନିବାରଣ ହୁଏ ଏବଂ ଭକ୍ତ ଶାନ୍ତି ଓ ସମ୍ପଦର ଅଧିକାରୀ ହୁଏ। 
ମାଆଙ୍କର ଚତୁର୍ଥ ରୂପ ହେଉଛି କୁଷ୍ମାଣ୍ଡା। କୁଷ୍ମାଣ୍ଡ ଅର୍ଥ କଖାରୁ ବା ପାଣିକଖାରୁ। ପାଣିକଖାରୁ ଏକ ଉତ୍ତମ ପରିବା। ପାଚିଲା ପାଣିକଖାରୁକୁ ଦୀର୍ଘ ଦିନ ସାଇତି ରଖିହୁଏ। ଏହି ଲତାଫଳରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ତେଣୁ ମାଆ ପାଣିକଖାରୁକୁ ଭଲ ପାଆନ୍ତି। ଦେବୀଙ୍କ ପାଖରେ ପାଣିକଖାରୁ ବଳି ଦିଆଯିବାର ପରମ୍ପରା ରହିଛି। କୁଷ୍ମାଣ୍ଡକୁ ଭଲ ପାଉଥିବାରୁ ଦେବୀଙ୍କର ଅନ୍ୟ ନାମ କୁଷ୍ମାଣ୍ଡା। ସୂର୍ଯ୍ୟଙ୍କ ପରି ତେଜସ୍ବୀ ଅଷ୍ଟଭୁଜା କୁଷ୍ମାଣ୍ଡାଙ୍କ ଗୋଟିଏ ହସ୍ତରେ ଜପମାଳା ଶୋଭା ପାଉଥିବା ବେଳେ ଅନ୍ୟ ହସ୍ତଗୁଡ଼ିକରେ ଯଥାକ୍ରମେ ଧନୁ, ବାଣ, ପଦ୍ମ, ଅମୃତକଳସ, କମଣ୍ଡଳୁ, ଚକ୍ର ଓ ଗଦା ଶୋଭା ପାଉଥାଏ। 
ଦେବୀଙ୍କର ପଞ୍ଚମ ରୂପ ହେଉଛି ସ୍କନ୍ଦମାତା। ସ୍କନ୍ଦ ଅର୍ଥ ଦେବସେନାନୀ କାର୍ତ୍ତିକେୟ। ତାଙ୍କର ମାଆ ହୋଇଥିବାରୁ ଦେବୀଙ୍କର ନାମ ସ୍କନ୍ଦମାତା। ଚତୁର୍ଭୁଜା ସ୍କନ୍ଦମାତାଙ୍କର ଗୋଟିଏ ହସ୍ତ ଆଶିଷ ମୁଦ୍ରାରେ ଭକ୍ତମାନଙ୍କୁ ଶୁଭାଶୀର୍ବାଦ ବର୍ଷଣ କରୁଥିବା ବେଳେ ଗୋଟିଏ ହସ୍ତରେ ଧନୁର୍ବାଣ ଓ ଅନ୍ୟ ଦୁଇ ହସ୍ତରେ ପଦ୍ମଫୁଲ ଶୋଭା ପାଉଥାଏ। ନବରାତ୍ରର ପଞ୍ଚମ ଦିନରେ ସ୍କନ୍ଦମାତାଙ୍କର ପୂଜା କଲେ ଭକ୍ତ ସମସ୍ତ ସୁଖଶାନ୍ତି ପ୍ରାପ୍ତ କରେ। 
ଦେବୀଙ୍କର ଷଷ୍ଠ ରୂପ ହେଉଛି କାତ୍ୟାୟନୀ। ଋଷିବର କାତ୍ୟାୟନଙ୍କ ଭକ୍ତିରେ ପ୍ରସନ୍ନା ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମଗ୍ରହଣ କରିଥିଲେ। ତେଣୁ ତାଙ୍କର ନାମ କାତ୍ୟାୟନୀ। ଦେବୀ କାତ୍ୟାୟନୀ ଗୌରବର୍ଣ୍ଣା, ଚତୁର୍ଭୁଜା ଓ ସିଂହାସୀନା। ତାଙ୍କର ଉପାସନା କଲେ ଚତୁର୍ବର୍ଗ ଫଳପ୍ରାପ୍ତି ହୋଇଥାଏ। 
ଦେବୀଙ୍କର ସପ୍ତମ ରୂପ କାଳରାତ୍ରି। ଚତୁର୍ଭୁଜା ଅବିନ୍ୟସ୍ତକେଶା ଦେବୀଙ୍କର କାଳରାତ୍ରିର ଘନାନ୍ଧକାର ସଦୃଶ ଏହି କଳା ରୂପ ଅତି ଭୟଙ୍କର। ଶତ୍ରୁ ଓ ଅସୁର ଦମନ ପାଇଁ ସେ ଏହି ଭୟଙ୍କର ରୂପ ଧାରଣ କରିଥିଲେ ମଧ୍ୟ ଭକ୍ତ ଓ ସନ୍ତାନମାନଙ୍କ ପାଇଁ ସେ ଅଭୟପ୍ରଦା। ଦେବୀ କାଳରାତ୍ରିଙ୍କର ଉପାସନାରେ ଭକ୍ତର ସମସ୍ତ ପ୍ରକାର ଭୟ ଓ ବାଧାବିଘ୍ନ ଦୂର ହୋଇଥାଏ। 
ଦେବୀଙ୍କର ଅଷ୍ଟମ ରୂପ ହେଉଛି ମହାଗୌରୀ। ଅତିଶୟ କଠୋର ତପସ୍ୟା କରି ତାଙ୍କର ବର୍ଣ୍ଣ କଳା ହୋଇଯାଇଥିଲା। ଶିବ ସନ୍ତୁଷ୍ଟ ହୋଇ ଗଙ୍ଗା ଜଳରେ ଧୌତ କରି ତାଙ୍କର କଳା ରୂପକୁ ପୁଣି ବିଦ୍ୟୁତ୍‌ପ୍ରଭା ସଦୃଶ ଗୌର କରିଦେଇଥିଲେ। ତେଣୁ ତାଙ୍କର ନାମ ହେଲା ମହାଗୌରୀ। ଚତୁର୍ଭୁଜା ମହାଗୌରୀଙ୍କର ଗୋଟିଏ ହାତରେ ଅଭୟ ମୁଦ୍ରା ଶୋଭା ପାଉଥିବା ବେଳେ ଅନ୍ୟ ହସ୍ତଗୁଡ଼ିକରେ ତ୍ରିଶୂଳ, ଡମ୍ବରୁ ଓ ବରମୁଦ୍ରା ଶୋଭା ପାଉଥାଏ। ମହାଗୌରୀଙ୍କର ପୂଜା-ଉପାସନାରେ ଭକ୍ତଗଣଙ୍କର ଜନ୍ମଜନ୍ମର କଳଙ୍କ ଧୋଇହୋଇଯାଏ। ଦାରିଦ୍ର୍ୟ, ଦୁଃଖଦୁର୍ଦ୍ଦଶା ଦୂର ହୁଏ। 
ଦେବୀଙ୍କର ନବମ ରୂପ ହେଉଛି ସିଦ୍ଧିଦାତ୍ରୀ। ଶାସ୍ତ୍ରର ବର୍ଣ୍ଣନା ଅନୁସାରେ ଦେବୀଙ୍କ କୃପାରୁ ଶିବ ସମସ୍ତ ସିଦ୍ଧି ପ୍ରାପ୍ତ ହୋଇଥିଲେ। ମା’ ସିଦ୍ଧିଦାତ୍ରୀ ଚତୁର୍ଭୁଜା ଓ ସିଂହବାହିନୀ। ତାଙ୍କର ଚାରି ହସ୍ତରେ ଯଥାକ୍ରମେ ଗଦା, ଚକ୍ର, ପଦ୍ମଫୁଲ ଓ ଶଙ୍ଖ ଶୋଭା ପାଉଛି। ନବମ ରାତ୍ରିରେ ସିଦ୍ଧିଦାତ୍ରୀଙ୍କର ଉପାସନା କଲେ ସମସ୍ତ ପ୍ରକାର ସିଦ୍ଧି ମିଳିଥାଏ। ଭକ୍ତର ସମସ୍ତ କାମନା ପୂର୍ଣ୍ଣ ହୋଇଥାଏ। 
ତେବେ କେବଳ ନବରାତ୍ରରେ ଯେ ଆମେ ଦେବୀଙ୍କର ପୂଜା-ଉପାସନା କରିବା ଓ ବର୍ଷସାରା ତାଙ୍କୁ ଭୁଲିଯିବା ତାହା ଠିକ୍ ନୁହେଁ। ପ୍ରତ୍ୟହ ପ୍ରାତଃକାଳରେ ଶଯ୍ୟା ତ୍ୟାଗ କରିବା ମାତ୍ରେ ମାଆଙ୍କର ସ୍ମରଣ କରିବା ଉଚିତ। ଶ୍ରୀଶଙ୍କରାଚାର୍ଯ୍ୟଙ୍କ ଭାଷାରେ-
‘‘ପ୍ରାତଃ ସ୍ମରାମି ଲଳିତାବଦନାରବିନ୍ଦଂ
ବିମ୍ବାଧରଂ ପୃଥୁଳମୌକ୍ତିକଶୋଭିନାସମ୍। 
ଆକର୍ଣ୍ଣଦୀର୍ଘନୟନଂ ମଣିକୁଣ୍ଡଳାଢ୍ୟଂ
ମନ୍ଦାସ୍ମିତଂ ମୃଗମଦୋଜ୍ଜ୍ୱଳଭାଲଦେଶମ୍।।’’ (ଲଳିତାପଞ୍ଚକ)
ଅର୍ଥାତ୍, ପ୍ରାତଃମାଳରେ ମୁଁ ଶ୍ରୀଲଳିତାରୂପୀ ଦୁର୍ଗାଙ୍କର ସେହି ମନୋହର ମୁଖକମଳକୁ ସ୍ମରଣ କରୁଛି, ଯେଉଁ ମୁଖପଦ୍ମରେ ରହିଛି ବିମ୍ବଫଳ ପରି ରକ୍ତବର୍ଣ୍ଣ ଅଧର, ବିଶାଳ ମୌକ୍ତିକ ଦ୍ୱାରା ସୁଶୋଭିତ ନାସିକା, କର୍ଣ୍ଣ ପର୍ଯ୍ୟନ୍ତ ବ୍ୟାପ୍ତ ବିସ୍ତୀର୍ଣ୍ଣ ନୟନ ଏବଂ ଯିଏ ମଣିମୟ କୁଣ୍ଡଳ ଓ ମନ୍ଦହାସଯୁକ୍ତ ତଥା ଯାହାଙ୍କ ଲଲାଟ କସ୍ତୁରି ତିଳକ ଦ୍ୱାରା ସୁଶୋଭିତ। 
ପ୍ରତ୍ୟହ ପ୍ରାତଃକାଳରୁ ମାତୃସ୍ମରଣ କରି କାର୍ଯ୍ୟାରମ୍ଭ କଲେ ପ୍ରତ୍ୟେକ କାର୍ଯ୍ୟରେ ମନୁଷ୍ୟ ସଫଳ ହୋଇଥାଏ। କିନ୍ତୁ ଏ କଥା ପ୍ରତ୍ୟେକେ ସ୍ମରଣ ରଖିବା ଉଚିତ ଯେ, ଜଗଜ୍ଜନନୀଙ୍କର ବାସ୍ତବ ପୂଜା ସ୍ବୀୟ ଜନନୀଙ୍କର ପୂଜା ଭିତରଦେଇ ସମ୍ପାଦିତ ହୁଏ। ଯିଏ ନିଜ ଜନ୍ମଦାତ୍ରୀ ମାଆଙ୍କୁ ଭକ୍ତି (ଭକ୍ତି ଅର୍ଥ ସେବା) କରେ ନାହିଁ, ମାନ୍ୟ କରେ ନାହିଁ, ତାଙ୍କ ତୃପ୍ତିସାଧନ ନିମନ୍ତେ କାର୍ଯ୍ୟ କରେ ନାହିଁ, ଯେକୌଣସି ପରିଚିତା ବା ଅପରିଚିତା ନାରୀମୁଖ ଦର୍ଶନମାତ୍ରେ ଯାହାଙ୍କର ମସ୍ତକ ମାତୃଭାବରେ ଅବନତ ହୁଏ ନାହିଁ ନବରାତ୍ରରେ ଯେତେ ପୂଜା କଲେ ମଧ୍ୟ, ଯେତେ ଆଡ଼ମ୍ବର ପ୍ରଦର୍ଶନ କଲେ ମଧ୍ୟ ଜଗଜ୍ଜନନୀଙ୍କର ସେ କେବେହେଲେ କୃପାଭାଜନ ହୋଇପାରିବ ନାହିଁ- ଏଥିରେ କୌଣସି ସନ୍ଦେହ ନାହିଁ। 
                                                                                      ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା, ମୋ- ୭୦୦୮୯୬୦୫୦୨