ରାଉରକେଲା: ସ୍ମାର୍ଟସିଟି ଓ ରାଜ୍ୟ ସରକାରଙ୍କ ପାଣ୍ଠିରୁ ପାର୍କଗୁଡ଼ିକର ସୌନ୍ଦର୍ଯ୍ୟକରଣରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲା। ବର୍ଷକ ତଳେ ଅର୍ଥାତ୍ ୨୦୨୩ ପୁରୁଷ ହକି ବିଶ୍ବକପ୍ ଆରମ୍ଭ ପୂର୍ବରୁ ଏସବୁ ପାର୍କଗୁଡ଼ିକର ସୌନ୍ଦର୍ଯ୍ୟକରଣ କରାଯାଇଥିଲା। ଏସ୍ଏଚ୍ଜି ମହିଳା ହାତରେ ଟେକିଦିଆଗଲା ରକ୍ଷଣାବେକ୍ଷଣ ଦାୟିତ୍ବ। ପ୍ରତି ଏସ୍ଏଚ୍ଜିଙ୍କୁ ଦିଆଯାଇଥିଲା ଗୋଟିଏ ଲେଖାଏଁ ପାର୍କର ଦାୟିତ୍ବ। ପାରିଶ୍ରମିକ ବାବଦରେ ଦିଆଯାଉଛି ମାସିକ ୬ ହଜାର। ଏମିତି ଭାବେ ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ଅଧୀନରେ ପ୍ରାୟ ୧୦୨ ପାର୍କକୁ ୧୦୦ରୁ ଅଧିକ ଏସ୍ଏଚ୍ଜି ମହିଳାଙ୍କୁ ଦେଖାରେଖା କରିବାକୁ ଦିଆଯାଇଛି। ୧୦୨ରୁ ୮୨ ପାର୍କର ସୌନ୍ଦର୍ଯ୍ୟକରଣ ହୋଇଛି। ଖେଳ ସରଞ୍ଜାମଠୁ ଆରମ୍ଭ କରି ଆଲୋକୀକରଣ ଓ ପାନୀୟ ଜଳର ମଧ୍ୟ ବ୍ୟବସ୍ଥା କରାଯାଇଛି। ହେଲେ ଠିକ୍ ଭାବେ ରକ୍ଷଣାବେକ୍ଷଣ ହେଉ ନଥିବାରୁ ପ୍ରାୟ ଅଧିକାଂଶ ପାର୍କ ଅବହେଳିତ ଅବସ୍ଥାରେ ରହିଛି।
ଆର୍ଏମ୍ସି କାର୍ଯ୍ୟାଳୟ ସମ୍ମୁଖ ନେତାଜୀ ସୁବାସ ବୋଷ ଫିଟ୍ନେସ୍ ପାର୍କ, ବାସନ୍ତୀକଲୋନି ଏଲ୍ ବ୍ଲକ (ଫେଜ୍-୧) ଓ ଛେଣ୍ଡକଲୋନି ଏଏଲ୍ ବ୍ଲକ (ଫେଜ୍-୧)ରେ ଥିବା ପାର୍କଗୁଡ଼ିକ ସ୍ଥିତି ଦେଖିଲେ ଏସ୍ଏଚ୍ଜି ଗ୍ରୁପଗୁଡ଼ିକ କେମିତି ରକ୍ଷଣାବେକ୍ଷଣ କରୁଛନ୍ତି ସ୍ପଷ୍ଟ ବାରିହୋଇପଡୁଛି। ଅଧିକାଂଶ ପାର୍କର ଏମିତି ସ୍ଥିତି ଉପୁଜିଛିଯେ, ସ୍ଥାନୀୟ ଲୋକ ବୁଲିବାକୁ ଯାଉନାହାନ୍ତି। କେଉଁଠି ଅନ୍ଧାର, ଅଳିଆ ଆବର୍ଜନାପୂର୍ଣ୍ଣ ତ ଅନ୍ୟ କେଉଁଠି ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲେ ହେଁ ପାର୍କ ବୁଲି ଯାଉଥିବା ଲୋକଙ୍କ କାମରେ ଆସୁନି। କେବଳ ଏତିକି ନୁହେଁ ଲକ୍ଷ ଲକ୍ଷ ଟଙ୍କାର ଖେଳ ସରଞ୍ଜାମଗୁଡ଼ିକ ନଷ୍ଟ ହୋଇଗଲାଣି। ଅନ୍ୟ କିଛି ପାର୍କରେ ଭାଙ୍ଗିରୁଜି ଖତ ଖାଉଥିଲେ ହେଁ ମରାମତି ଦିଗରେ ଆଦୌ ଧ୍ୟାନ ଦିଆଯାଉନି। ଅବହେଳିତ ଅବସ୍ଥାରେ ରହିଥିବା ପାର୍କଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ଛେଣ୍ଡକଲୋନି, ବାସନ୍ତୀକଲୋନି, ସିଭିଲଟାଉନସିପ୍ ଓ କୋଏଲନଗର ଆଦି ଅଞ୍ଚଳବାସୀ ଅନେକବାର ଆର୍ଏମ୍ସି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଯେଉଁ ଏସ୍ଏଚ୍ଜି ମହିଳାମାନେ ଏଭଳି ଅବହେଳା କରୁଛନ୍ତି, ସେମାନଙ୍କୁ କାମରୁ ହଟାଯିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଜଣେ ହେଲେ ଏସ୍ଏଚ୍ଜି ଗ୍ରୁପ୍ଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ବରଂ ରକ୍ଷଣାବେକ୍ଷଣ କରୁନଥିବା ଏସ୍ଏଚ୍ଜି ଗ୍ରୁପଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମାସିକ ପାରିଶ୍ରମିକ ପଠାଯାଉଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।
ବାସନ୍ତୀକଲୋନି, ଛେଣ୍ଡକଲୋନିରେ ପାର୍କର ଅବ୍ୟବସ୍ଥାକୁ ନେଇ ସ୍ଥାନୀୟବାସିନ୍ଦା ଆର୍ଏମ୍ସି ଉପାୟୁକ୍ତ ଓ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କୁ କହିଥିଲେ ହେଁ, ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଆର୍ଏମ୍ସି ଅଧୀନସ୍ଥ ୪୧ ୱାର୍ଡ ଅନ୍ତର୍ଗତ ସିଭିଲଟାଉନସିପ୍, ପାନପୋଷ, ଜଲଦା, ଜଗଦା, କଳିଙ୍ଗବିହାର, ଛେଣ୍ଡକଲୋନି, ବାସନ୍ତୀକଲୋନି, ନୟାବଜାର, ଲେବରଟେନାମେଣ୍ଟ, କୋଏଲନଗର, ଶକ୍ତିନଗର ଆଦି ଅଞ୍ଚଳରେ ୧୦୨ରୁ ଅଧିକ ଛୋଟବଡ ପାର୍କ ରହିଛି। ସ୍ମାର୍ଟସିଟି ପାଣ୍ଠିରେ ପ୍ରାୟ ୧୦ରୁ ଅଧିକ ପାର୍କର ବିକାଶମୂଳକ କାମ ହୋଇଛି। ବିଭିନ୍ନ ପାଣ୍ଠିରେ ଅନ୍ୟପାର୍କଗୁଡ଼ିକ ସୌନ୍ଦର୍ଯ୍ୟକରଣ କରାଯାଇଛି। ହେଲେ ବର୍ଷ ନ ଯାଉଣୁ ପାର୍କଗୁଡ଼ିକ ଏଭଳି ସ୍ଥିତି ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ ଆର୍ଏମ୍ସି କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେବାକୁ ସହରବାସୀଙ୍କ ପକ୍ଷରୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/17/oKigkH0ZfvusVzd2yH9N.jpg)