ଗୁଣପୁର: ଯୁବକଙ୍କ ମୃତ୍ୟୁ ପରେ ତାତିଲେ ଗ୍ରାମବାସୀ | ମିଳିଥିବା ସୂଚନା ମୁତାବକ ଗତକାଲି ରାୟଗଡା ଜିଲ୍ଲା ଗୁଣପୁର ବଂଶଧାରା ବ୍ରିଜ ନିକଟରେ ଏକ ଘରୋଇବସ୍ ଏବଂ ବାଇକ ମଧ୍ୟରେ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଥିଲେ । ଯୁବକ ଜଣକ ପୁଟାସିଂ ପଞ୍ଚାୟତର ମାନେଙ୍ଗୁଲୁ ଗ୍ରାମର ପଞ୍ଚିନ ଶବର ବୟସ (୩୫) ବୋଲି ଜଣାପଡିଛି। ସେ କୌଣସି କାରଣରୁ  ଗୁଣପୁର ଆସିଥିବାବେଳେ ବସ ଦୁର୍ଘଟଣାର ଶିକାର ହୋଇଥିଲେ।

Advertisment

 ତେବେ ତାଙ୍କୁ ପ୍ରଥମେ ଗୁଣପୁର ମେଡିକାଲ ଅଣାଯାଇଥିଲା | ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା | ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା | ଆଜି ଗୁଣପୁର ବଂଶଧାରା ବ୍ରିଜଠାରେ ଶବକୁ ରଖି ସମ୍ପର୍କୀୟ ଲୋକେ ତାଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ରାସ୍ତାରୋକ କରିଛନ୍ତି।

କ୍ଷତିପୂରଣ ନ ମିଳିବା ଯାଏଁ ରାସ୍ତାରୁ ଉଠିବେ ନାହିଁ ବୋଲି ରାସ୍ତାରୋକ କରି ବସିଛନ୍ତି। ଗୁଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି। ରାସ୍ତାର ଉଭୟ ପଟୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇ ପଡ଼ିଛି। ଯାହା ଦ୍ୱାରା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।