ଅମ୍ବାଦଳା : ମୁନିଗୁଡ଼ା-ଭବାନୀପାଟଣା ରାଜ୍ୟ ରାଜପଥର ବନ୍ଧୁଗୁଡା ନିକଟରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଅଜଣା ଟ୍ରକ ଧକ୍କାରେ ଅମ୍ବାଦଳା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ର ତପଜ୍ୟୋତି ସାହୁ (୧୮) ଙ୍କ ମୃତ୍ୟୁ ହୋଇଛି। ସେହିପରି ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି କଲେଜର ଅଧ୍ୟାପକ ସବୀର କୁମାର ବେହେରା। ଗୁରୁତର ଅଧ୍ୟାପକ ସବୀରଙ୍କୁ ଚିକିତ୍ସା ପାଇଁ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୁଲିସ୍ ତପଜ୍ୟୋତିଙ୍କ ମୃତଦେହ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ଅମ୍ବାଦଳାର ତପଜ୍ୟୋତି ଗତ କିଛି ଦିନ ତଳେ ନିଜ ମାଆଙ୍କ ସହ ମାମୁଁ ଘର ରାମନାଗୁଡ଼ାକୁ ଯାଇଥିଲେ। ଯୁକ୍ତ ତିନି ବିଭାଗରେ ନାମ ଲେଖାଇବାକୁ ତପଜ୍ୟୋତି କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ମହାବିଦ୍ୟାଳୟରେ ଆବେଦନ କରିଥିଲେ। ଆଜିଠୁ ନାମ ଲେଖା ଆରମ୍ଭ ପାଇଁ କଲେଜ କର୍ତ୍ତୃପକ୍ଷ ସୂଚନା ଦେବା ପରେ ତପଜ୍ୟୋତି ରାମନାଗୁଡ଼ାରୁ ବସ୍ ଯୋଗେ ଆସି ମୁନିଗୁଡ଼ାରେ ପହଞ୍ଚିଥିଲେ। ବିଶ୍ବନାଥପୁର ଯିବା ପାଇଁ ତପଜ୍ୟୋତି ବସକୁ ଅପେକ୍ଷା କରିଥିବା ବେଳେ ଗୁଣପୁରରୁ ବାଇକରେ ଅମ୍ବାଦଳା ଅଭିମୁଖେ ଯାଉଥିବା ଅଧ୍ୟାପକ ସବୀର ତପଜ୍ୟୋତିକୁ ଡାକିଥିଲେ। ଛାତ୍ର ତପଜ୍ୟୋତି ଓ ଅଧ୍ୟାପକ ସବୀର ବାଇକରେ ଯାଉଥିବା ବେଳେ ବନ୍ଧୁଗୁଡ଼ା ନିକଟରେ ରାସ୍ତା ଉପରେ ବିରାଟ ର୍ତ୍ତ ଦେଖି ବ୍ରେକ୍ ମାରିଥିଲେ। ଫଳରେ ଏହି ସମୟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ସବୀରଙ୍କ ବାଇକକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଟ୍ରକଟି ଫେରାର ହୋଇଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତପଜ୍ୟୋତି ଓ ସବୀରଙ୍କୁ ୧୦୮ ଆମ୍ବୁଲାନସ୍ ଯୋଗେ ଆଣି ଚିକିତ୍ସା ପାଇଁ ମୁନିଗୁଡ଼ା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତପଜ୍ୟୋତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ତପଜ୍ୟୋତିଙ୍କ ମୃତଦେହକୁ ପରିବାର ଲୋକ ନେଇ ଶୋକାକୂଳ ପରିବେଶରେ ଅନ୍ତିମ ସଂସ୍କାର କରିଛନ୍ତି। ତପଜ୍ୟୋତିଙ୍କ ମୃତ୍ୟୁରେ ଅମ୍ବାଦଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଓ ଅମ୍ବାଦଳା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଗଭୀର ଶୋକ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/RGD_Accident-College-Student-Ambadola.jpg)